ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡରୁ ଜୀବନ୍ତଦଗ୍ଧ ହୋଇଗଲେ ୫। ମୃତକଙ୍କ ଭିତରେ ମା-ଝିଅ, ଭାଇ-ଭଉଣୀ ଓ ଜଣେ ଯୁବକ ଅଛନ୍ତି। ସମସ୍ତ ମୃତକ ବିହାରର। ବିହାରରୁ ଦିଲ୍ଲୀ ଯାଉଥିବା ଯାତ୍ରବାହୀ ବସରେ ଲକ୍ଷ୍ନୌଠାରେ ଏଭଳି ଅଗ୍ନିକାଣ୍ଡ ହୋଇଛି। ଭୋର୍ ସାଢ଼େ ୪ଟା ବେଳକୁ ଏହି ନିଆଁ ଲାଗିଥିଲା। ପ୍ରାୟ ୧ କିଲୋମିଟର ଯାଏଁ ନିଆଁ ଲାଗିବା ଅବସ୍ଥାରେ ବସଟି ଗଡ଼ିଥିଲା। ଏମର୍ଜେନ୍ସି ଗେଟ୍ ବି ଖୋଲିନଥିଲା। ବସରେ ପର୍ଦ୍ଦା ଲାଗିଥିବାରୁ ନିଆଁର ଭୟାବହତା ଅଧିକ ହୋଇଥିଲା। ବସରେ ପ୍ରାୟ ୮୦ ଯାତ୍ରୀ ଥିଲେ। ଏହି ସ୍ଲିପର ବସ୍ ବିହାରର ବେଗୁସରାୟରୁ ଦିଲ୍ଲୀ ଯାଉଥିଲା। ଯେତେବେଳେ ବସରେ ନିଆଁ ଲାଗିଥିଲା, ବସର ବେଗ ଘଣ୍ଟାପ୍ରତି ୮୦ରୁ ୧୦୦ କିଲୋମିଟର ଥିଲା। ଲକ୍ଷ୍ନୌର ଆଉଟର୍ ରିଙ୍ଗରୋଡ ଦେଇ ଯାଉଥିଲା ବେଳେ କଟେ ଭିଟ୍ ଗାଁ ପାଖରେ ନିଆଁ ଲାଗିଥିଲା। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ଯୋଗୀ ସରକାର। ଭୋରରେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ଅଚାନକ ବସରେ ଅଚାନକ ଧୂଆଁ ଭର୍ତ୍ତି ହୋଇଯାଇଥିଲା। କେହି କିଛି ବୁଝିବା ଆଗରୁ ମାତ୍ର କେଇଟା ମିନିଟ୍ ଭିତରେ ପୁରା ବସ ନିଆଁର ଆଁରେ ପଶିସାରିଥିଲା। ବସ୍ ଭିତରେ ଜୀବନ ବଞ୍ଚାଇବାକୁ ଯାତ୍ରୀଙ୍କ ଭିତରେ ଏକପ୍ରକାର ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଡ୍ରାଇଭର ଓ କଣ୍ଡକ୍ଚର ବସ୍ ଛାଡ଼ି ଫେରାର୍ ହୋଇଯାଇଥିଲେ। ଡ୍ରାଇଭର ସିଟ୍ ପାଖରେ ଏକ ଏକ୍ସଟ୍ରା ସିଟ୍ ଲାଗିଥିଲା। ଯାହାକୁ ନେଇ ଯାତ୍ରୀ ଗେଟ୍ ଦେଇ ଓହ୍ଲାଇବାକୁ ବେଶ୍ କାଠିକର ହୋଇଯାଇଥିଲା। ଆଗରେ ବସିଥିବା ଯାତ୍ରୀ ଗାଡ଼ିର କାଚ ଭାଙ୍ଗି ଡେଇଁଥିଲେ। କିନ୍ତୁ ପଛରେ ବସିଥିବା ଯାତ୍ରୀ ଫସିଯାଇଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ ବେଳକୁ ବସଟି ସମ୍ପୂର୍ଣ୍ଣ ଜଳିସାରିଥିଲା। ବସ୍ ଭିତରୁ ୫ଜଣଙ୍କ ଶବ ମିଳିଥିଲା। ଶବ ପୁରା ଜଳିଯାଇଥିବାରୁ ମୃତକଙ୍କୁ ସେମାନଙ୍କ ଲକେଟ୍ ଓ ହାତର ବଳାରୁ ଚିହ୍ନଟ କରାଯାଇଥିଲା। ବସରେ ୭ ମାସର ଗର୍ଭବତୀ ପତ୍ନୀ ଓ ଦୁଇ ପିଲାଙ୍କ ସହ ଯାଉଥିବା ରାମଲାଲଙ୍କ ସାମ୍ନାରେ ହିଁ ତାଙ୍କର ଦୁଇ ପିଲା ଜୀଅନ୍ତା ଜଳିଗଲେ। ପତ୍ନୀଙ୍କୁ କୌଣସି ମତେ ବସରୁ ଓହ୍ଲାଇଥିଲେ ସୁଦ୍ଧା ସିଟରେ ଶୋଇଥିବା ୩ ବର୍ଷର ପୁଅ ଦେବରାଜ ଓ ୨ ବର୍ଷର ଝିଅ ସାକ୍ଷୀ ନିଆଁର ଆଁରେ ପଡ଼ିଗଲେ। ଆଉ ଜଣେ ଯାତ୍ରୀଙ୍କ ଆଗରେ ତାଙ୍କର ପତ୍ନୀ ଓ ଝିଅ ଜୀଅନ୍ତା ଜଳିଗଲେ। ଛୋଟ ନାତିକୁ କୌଣସି ମତେ ରକ୍ଷାପାରିଥିଲେ ଅଶୋକ ମେହେଟ୍ଟା। ଦୁଇ ପିଲାଙ୍କ ଶବ ସିଟରେ ପଡ଼ିଥିଲା ବେଳେ ଅନ୍ୟ ୩ ଜଣଙ୍କ ଶବ ସିଟ୍ ତଳେ ମିଳିଥିଲା।ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି। ଏମର୍ଜେନ୍ସି ଗେଟ୍ ବି ଖୋଲିନଥିଲା। ସେଥିଲାଗି ପଛରେ ବସିଥିବା ଲୋକ ଫସିଯାଇଥିଲେ। ଏହା ସହ ବସରେ ୫କିଲୋର ୭ଟି ଗ୍ୟାସ ସିଲିଣ୍ଡର ବି ଥିଲା। ସୌଭାଗ୍ୟବଶତଃ କୌଣସି ସିଲିଣ୍ଡର ଫାଟିନଥିଲା। ବସ୍ ମାଲିକ ଓ ଡ୍ରାଇଭରଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now