ଟ୍ରକ ଓ କାର ଭିତରେ ଧକ୍କା। ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ ହୋଇଛି। ୨ଜଣ ଗୁରୁତର ଆହତ ହୋଇଛନ୍ତି। ଏକ ବିବାହ ଭୋଜିରୁ ଫେରିବା ବେଳେ ଏଭଳି ଶୋଚନୀୟ ମୃତ୍ୟୁ ହୋଇଛି। ପରିବାରର ୧୧ ଜଣ ଏକ ମାରୁତି ଇକୋ ଭ୍ୟାନରେ ଫେରୁଥିଲେ। ଏତିକିବେଳେ ନିର୍ମାଣଧୀନ ସଜେଲି ରେଲଓ୍ୱେ ଫାଟକ ପାଖରେ ଅଚାନକ ଏକ ଟ୍ୟାଙ୍କର ସାମ୍ନା ପଟୁ ଆସିଯାଇଥିଲା। ସିମେଣ୍ଟ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ଇକୋ ଗାଡ଼ି ଉପରେ ପଡ଼ିଯାଇଥିଲା। ଇକୋ ଗାଡ଼ି ଟ୍ୟାଙ୍କର ତଳେ ଚାପି ହୋଇଯାଇଥିଲା। ଆଉ ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଛି। ଶବକୁ ଗାଡ଼ିରୁ ବାହାର କରିବାରେ ବେଶ୍ ମୁସ୍କିଲ ହୋଇପଡ଼ିଥିଲା। ଟ୍ୟାଙ୍କର ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଆହତ ଦୁଇ ଜଣଙ୍କୁ ଥାନ୍ଦଲା ସିଭିଲ ହସ୍ପିଟାଲକୁ ରେଫର କରିଦିଆଯାଇଛି। ବୁଧବାର ବିଳମ୍ୱିତ ରାତି ୨ଟାରେ ଥାନ୍ଦଲା- ମେଘନଗର ମଝିରେ ଏହି ଦୁର୍ଘଟଣା ଘଟିଛି। ସମସ୍ତେ ବିବାହ ଉତ୍ସବରୁ ଫେରୁଥିଲେ। ଏଥିରେ ୪ ପିଲା, ୩ ମହିଳା ଓ ୨ ପୁରୁଷଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜଣେ ମହିଳା ଓ ଛୋଟ ପିଲା ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମୃତକ ଶିବଗଡ଼ ମହୁଡ଼ା, ଦେବୀଗଡ଼ ଓ ମୋଓ୍ୱଡା ଗାଁର। ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଶିବଗଡ଼ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now