ଝାନସି ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ବଡ଼ ଧରଣର ଅଗ୍ନିକାଣ୍ଡ: ୧୦ ନବଜାତ ଜୀବନ୍ତ ଦଗ୍ଧ

ଶୁକ୍ରବାର ରାତିରେ ଝାନସୀ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ବଡ଼ ଧରଣର ଅଗ୍ନିକାଣ୍ଡରୁ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ୧୬ଜଣଙ୍କ ଅବସ୍ଥା ଗୁରୁତର ଅଛି। ମୋଟ୍ ୩୭ ନବଜାତଙ୍କୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲର ସ୍ୱତନ୍ତ୍ର ନବଜାତ ଶିଶୁ ଓ୍ୱାର୍ଡରେ ଏହି ଅଗ୍ନିକାଣ୍ଡ ପରେ ରୋଗୀମାନେ ପ୍ରାଣ ବିକଳରେ ଡାକ୍ତରଖାନାରୁ ବାହାରକୁ ପଳାଇବା ବେଳେ ଦଳାଚକଟା ସ୍ଥିତି ଉପୁଜିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନାନ୍ତର ଲାଗି ଉଦ୍ୟମ ହୋଇଥିଲା। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ଓ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସର୍ଟସର୍କିଟରୁ ହସ୍ପିଟାଲରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଆଁ ଲାଗିବା ସତ୍ତ୍ୱେ ଫାୟାର ଆଲାର୍ମ ସିଷ୍ଟମ କାମ କରିନଥିଲା। ଏକ୍ସପାଏରୀ ସିଲିଣ୍ଡର ହସ୍ପିଟାଲରେ ରହିଥିବା ଦେଖିବାକୁ ମିଳିଥିଲା। ନବଜାତକଙ୍କ ଅଭିଭାବକଙ୍କ କାନ୍ଦ ବୋବାଳିରେ ଫାଟିପଡ଼ୁଥିଲା ପୁରା ପରିବେଶ। ଥରେ ନିଜ ପିଲାର ଚେହେରା ଅନ୍ତତଃ ଦେଖିପାରିଥାଆନ୍ତେ ବୋଲି କାନ୍ଦି କାନ୍ଦି ବେହୋସ ହୋଇପଡ଼ିଥିଲେ ଅନେକ ମା। ସେମାନଙ୍କ ପିଲାଙ୍କୁ ମାରିଦେଲେ କହି ଆରୋପ ଲଦିଥିଲେ।

ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରବର୍ଗକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇଛନ୍ତି। କ୍ଷତିପୂରଣ ବି ଘୋଷଣା ହୋଇଛି। ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦେଶ ଦେବା ସହ ୧୨ ଘଣ୍ଟା ଭିତରେ ଝାନସିର ଡିଭିଜନାଲ କମିଶନର ଓ ଡିଆଇଜିଙ୍କୁ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଘଟଣା ଲାଗି ଦାୟୀ ସମସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା ହୋଇଛି। ମୃତ ୧୦ ଜଣଙ୍କ ଭିତରୁ ୭ଜଣଙ୍କୁ ଚିହ୍ନଟ ହୋଇଥିଲା ବେଳେ ବାକି ୩ ଶିଶୁଙ୍କ ଚିହ୍ନଟ ହୋଇପାରିନଥିଲା। ଆବଶ୍ୟକ ବେଳେ ଏମାନଙ୍କ ଡିଏନଏ ପରୀକ୍ଷା ହେବ ବୋଲି କହିଥିଲେ ଉପ-ମୁଖ୍ୟମନ୍ତ୍ରୀ। ହସ୍ପିଟାଲରେ ଗଲା ଫେବୃଆରୀରେ ଅଗ୍ନିନିରାପତ୍ତା ଅଡିଟ୍ ହେବା ସହ ଜୁନରେ ମକ୍ ଡ୍ରିଲ୍ ବି ଅନୁଷ୍ଠିତ ହୋଇଥିଲା। ତେବେ ଏତେ ବଡ଼ ଅଘଟଣ ଲାଗି କିଏ ଉତ୍ତରଦାୟୀ, ତାକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ବି ତେଜିଛି। ସପା ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି, ଯିଏ ଏଥିଲାଗି ଦାୟୀ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମେଡିକାଲ ଭିତ୍ତିଭୂମିର ବିକାଶ ହେବା ଜରୁରୀ। ପୀଡ଼ିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ମିଳୁ। ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ମିଳିବା ଜରୁରୀ। ବିଏସପି ସୁପ୍ରିମୋ ମାୟାବତୀ ବି ଏଭଳି ଘଟଣାରେ ମର୍ମାହତ ହେବା ସହ ଏଭଳି ଘଟଣା ଲାଗି ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ଲାଗି ଦାବି କରିଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *