ମୁମ୍ୱାଇରେ କାଳ ସାଜିଲା ଲୋକାଲ ଟ୍ରେନ୍। ଚଳନ୍ତା ଗାଡ଼ିରୁ ଖସିଗଲେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ। ଆଉ ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୁମ୍ୱ୍ରା- ଦିବା ଷ୍ଟେସନ ମଝିରେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣା ପରେ ରେଳବାଇ ବିଭାଗ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଆଶ୍ୱାସନା ଦେଇଛି। ଆହତଙ୍କୁ ମାଗଣା ଚିକିତ୍ସା ଦିଆଯିବ ବୋଲି ଘୋଷଣା କରିଛି। ଆଜି ସକାଳେ ଚଳନ୍ତା ଟ୍ରେନରୁ ଖସିପଡ଼ିଥିଲେ ଯାତ୍ରୀ। ଭାରି ଭିଡ଼ କାରଣରୁ ଯାତ୍ରୀ ଅସୁରକ୍ଷିତ ଭାବେ ଗେଟ୍ ପାଖରେ ଓହଳିଥିଲେ। ଆଉ ଟ୍ରେନ ଗଡ଼ିବା ମାତ୍ରେ ଅନେକ ଭାରସାମ୍ୟ ହରାଇ ଭୟରେ ତଳେ ପଡ଼ିଯାଇଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେଲଓ୍ୱେ ଆଇଜି ହେମନ୍ତ କୁମାର କହିଛନ୍ତି, ମୁମ୍ୱ୍ରା ରେଲଓ୍ୱେ ଷ୍ଟେସନରେ ସାର୍ପ କର୍ଭ ହେତୁ ଏଭଳି ଅଘଟଣ ଘଟିଛି। ଘଟଣା ବେଳେ ଲୋକାଲ ଟ୍ରେନର ବେଗ ଘଣ୍ଟାପ୍ରତି ଶହେ କିଲୋମିଟର ଥିଲା। ସାର୍ପ କର୍ଭ ହେତୁ ଟ୍ରେନର ଗେଟ୍ ପାଖରେ ଝୁଲିଥିବା ଯାତ୍ରା ପଡ଼ିଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଟ୍ରେନର ପ୍ରବଳ ଭିଡ଼ ଥିଲା। ଯାତ୍ରୀଙ୍କ ଭିତରେ ଧସ୍ତାଧସ୍ତିରୁ ଅନେକ ଲୋକ ସନ୍ତୁଳନ ହରାଇ ଟ୍ରାକ୍ ଉପରେ ପଡ଼ିଯାଇଥିଲେ। ଆହତଙ୍କ ଭିିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଟ୍ରେନର ଅସମ୍ଭାଳ ଭିଡ଼ ଓ ସୁରକ୍ଷା ଚିନ୍ତା ସହ ଯାତ୍ରୀ ଜୁଝୁଛନ୍ତି। ୨୦୨୩ରେ ୨୫୯୦ ଓ ୨୦୨୪ରେ ୨୪୬୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଟ୍ରାକ୍ କ୍ରସିଂ ଓ ଟ୍ରେନରୁ ପଡ଼ିବା ଘଟଣା ସର୍ବାଧିକ। ଏହି ଘଟଣା ପରେ ଟ୍ରେନ ଗେଟକୁ ସ୍ୱୟଂଚାଳିତ କରିବାକୁ ଯୋଜନା କରୁଛି ରେଳବାଇ ବିଭାଗ। ଏଭଳି ଘଟଣା ପରେ ସେଣ୍ଟ୍ରାଲ ରେଲଓ୍ୱେ ସେବା ପ୍ରଭାବିତ ହୋଇଥିଲା। କିଛି ସମୟ ଧରି ମୁମ୍ୱ୍ରା- ଦିଓ୍ୱାରେ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now