ଜମ୍ମୁକଶ୍ମୀରରେ ଭୂସ୍ଖଳନରୁ ୩୧ଜଣଙ୍କ ଜୀବନ ଯାଇଛି। ବୈଷ୍ଣୋଦେବୀ ଯାତ୍ରା ବେଳେ ଭୂସ୍ଖଳନରୁ ୩୧ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା ବେଳେ ୩୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଅନେକ ଶ୍ରଦ୍ଧାଳୁଙ୍କ ଖୋଜଖବର ମିଳୁନି। ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସେନା ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତ୍ରିକୂଟ ପାହାଡ଼ ଧସିବାରୁ ସେଥିରେ ଚାପି ହୋଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଖରାପ ପାଗରୁ ଯାତ୍ରାକୁ ସ୍ଥଗିତ କରିଦେଇଛି ପ୍ରଶାସନ। ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ପାଖରେ ପାହାଡ଼ ଧସିଥିଲା। ମାତା ବୈଷ୍ଣୋଦେବୀଙ୍କୁ ଦର୍ଶନ କରି ଫେରୁଥିଲା ବେଳେ ଏଭଳି ଅଘଟଣ ଘଟିଛି। ଅର୍ଦ୍ଧକୁମାରୀ ପାଖରେ ଭୂସ୍ଖଳନ ହୋଇଥିଲା। ଆଜି ବି ଆଇଏମଡି ଜମ୍ମୁକଶ୍ମୀର ଲାଗି ରେଡ୍ ଆଲର୍ଟ ଜାରି କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହା ବଡ଼ ବିପତ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଓ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥା ହୋଇଛନ୍ତି ଶାହା। କେନ୍ଦ୍ର ପକ୍ଷରୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଦିଆଯିବ ବୋଲି କହିଛନ୍ତି ଶାହା। ଜମ୍ମୁକଶ୍ମୀରରେ ଲଗାଣ ବର୍ଷା ଜାରି ରହିଛି। ଏଭଳି ସ୍ଥିତିରେ ଭୂସ୍ଖଳନ ବିପତ୍ତି ଦାଉ ସାଧିଛି। ଜମ୍ମୁକଶ୍ମୀର-କଟାରା ହାଇଓ୍ୱେକୁ ବନ୍ଦ କରିଦିଆଯାଇଛି। ପ୍ରବଳ ବର୍ଷାରୁ ଉତ୍ତର ରେଳପଥ ୨୨ଟି ଟ୍ରେନକୁ ରଦ୍ଦ କରିଦେଇଛି ଓ ୨୭ ଟ୍ରେନକୁ ସାମୟିକ ସ୍ଥଗିତ ରଖିଛି। ଏଥିରେ ବୈଷ୍ଣୋଦେବୀ ବେସ୍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ୍ ବି ସାମିଲ। ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ଉପୁଜିଛି। ଅନେକ ଘର ଭାସିଯାଇଛି। ଜମ୍ମୁ ସହର, ଆରଏସପୁରା, ସାମ୍ୱା, ଅଖନୁର, ନାଗରୋଟା, କଠୁଆ, ଉଧମପୁରରେ ବର୍ଷାର ତାଣ୍ଡବ ଦେଖାଯାଇଛି। ଚକ୍କି ନଦୀରେ ବନ୍ୟା ଆସିବାରୁ ପଠାନକୋଟ- କନ୍ଦରୋରି(ହିମାଚଳପ୍ରଦେଶ) ଭିତରେ ରେଳ ଯାତାୟତକୁ ବି ରଦ୍ଦ କରିଦିଆଯାଇଛି। ଅବଶ୍ୟ କଟାରା-ଶ୍ରୀନଗର ମାର୍ଗ ପ୍ରଭାବିତ ହୋଇନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now