ଭଳିକି ଭଳି ଶ୍ରଦ୍ଧାଳୁଙ୍କ ଗହଳି

 କୁମ୍ଭ ନଗରୀ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଆସ୍ଥା ଓ ବିଶ୍ୱାସର ବୁଡ । ବିଶ୍ୱର ସର୍ବବୃହତ ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମାଗମରେ ଅଭିଭୁତ ପୁରା ପରିବେଶ । ୧୩ ଜାନୁଆରୀରୁ ଆରମ୍ଭ ହୋଇ ୨୬ ଫେବୃଆରୀ ଶିବରାତ୍ରୀ ଯାଏଁ ପ୍ରାୟ ୪୫ ଦିନ ଧରି ସେଠି ପବିତ୍ର ମହାସ୍ନାନ କରିବେ କୋଟି କୋଟି ଶ୍ରଦ୍ଧାଳୁ । ପ୍ରାୟ ୪୦ କୋଟି ଲୋକଙ୍କ ଆଗମନ ପାଇଁ ପ୍ରସ୍ତୁତି କରାଯାଇଛି । ତେବେ ଆଜି ମକର ସଂକ୍ରାନ୍ତି ଅବସରରେ ପ୍ରଥମ ସାହି ସ୍ନାନ ବା ଅମୃତ ସ୍ନାନ ସକାଳ ୬:୧୫ ମିନିଟରୁ ଆରମ୍ଭ ହୋଇଛି । ପ୍ରଥମ ଦିନ ଦେଢ କୋଟି ଲୋକ ସ୍ନାନ କରିଥିବା ବେଳେ ଆଜି ସେ ସଂଖ୍ୟା ପାର କରିବା ଆକଳନ ରହିଛି । ଯଦି ତାହା ହୁଏ ତେବେ ୩୦ ଘଣ୍ଟା ମଧ୍ୟରେ ୩କୋଟି ଲୋକ ଗଙ୍ଗାରେ ବୁଡ଼ ପକାଇବେ । ଭକ୍ତଙ୍କ ଉପରେ ସ୍ନାନ ସମୟରେ ପ୍ରାୟ ୫୦ କ୍ୱିଣ୍ଟାଲ ଫୁଲର ବର୍ଷା ହେଲିକପ୍ଟର ଦ୍ୱାରା କରାଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇଥିବା ବେଳେ ଆର୍ମିକୁ ମଧ୍ୟ ସକ୍ରୀୟ ରଖାଯାଇଛି ।

ମୁହଁରେ ହର ହର ମହାଦେବଙ୍କ ଉଦଘୋଷ । ହାତରେ ତଲୱାର, ତ୍ରୀଶୂଳ, ଡମ୍ୱରୁ ଆଉ ଦେହରେ ବିଭୁତି । ଘୋଡ଼ା ଆଉ ରଥର ସବାରୀରେ ସଙ୍ଗମ ସ୍ଥଳୀରେ ପହଞ୍ଚିଥିଲେ ନାଗା ସାଧୁ ସଂଥ । ସ୍ନାନ ପୂର୍ବରୁ ଧର୍ମଧ୍ୱଜକୁ ସମବେତ ପ୍ରଣାମ କରିଥିଲେ । ପଞ୍ଚାୟତି, ଅଟଳ, ନିରଞ୍ଜନୀ ଓ ଆନନ୍ଦ ଆଖଡ଼ାର ନାଗା ସାଧୁ ସ୍ନାନ କରି ସାରି ହାତରେ ଫାର୍ସା ଧରି ଖୁସି ବ୍ୟକ୍ତ କରିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଜୁନା ଆଖାଡ଼ାର ମୁଖ୍ୟ ଜଗତଗୁରୁ ସ୍ୱାମୀ ମହେନ୍ଦ୍ର ଗିରି ଓ ଅନ୍ୟ ସଦସ୍ୟ ଚାନ୍ଦିର ସିଂହାସନରେ ବସି ଶାହି ସ୍ନାନ ପାଇଁ ପହଞ୍ଚିଥିଲେ । ତେବେ ଭଳିକି ଭଳି ବାବାଙ୍କୁ ଦେଖିବାର ସୁଯୋଗ ଦେଇଛି ମହାକୁମ୍ଭ । କେଉଁଠି କବୁତର ବାବାଙ୍କର ମୁଣ୍ଡରେ ପାରା ଧରି ସ୍ନାନ କରିବା ଦୃଶ୍ୟ ତ ଆଉ କେଉଁଠି ବିଭିନ୍ନ ଆଖଡ଼ାର ପୀଠାଧୀଶ୍ୱରଙ୍କ ବଡ ଆୟୋଜନ ସହ ଘାଟରେ ପହଞ୍ଚିବାର ଦୃଶ୍ୟ । କିନ୍ନର ଆଖଡ଼ାର ସଦସ୍ୟ ମଧ୍ୟ ଅମୃତ ସ୍ନାନର ଲାଭ ଉଠାଇଛନ୍ତି । ବିଦେଶୀ ଭକ୍ତଙ୍କ ମୁହଁରୁ ମହାକୁମ୍ଭର ଅଦଭୁତ ଅନୁଭୁତି ଶୁଣିବାକୁ ମିଳିଛି ।

ପୌଷ ପୂର୍ଣ୍ଣିମାର ଆଗମନ ସହ ମହାକୁମ୍ଭ ପାଇଁ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଦେଶବିଦେଶର ବହୁ ନାମିଦାମୀ ପ୍ରତିଷ୍ଠିତ ପ୍ରଭାବଶାଳୀ ଲୋକଙ୍କ ଗହଳି ଲାଗୁଥିବାରୁ ଗୁଗୁଲ ତାର ସ୍କ୍ରୀନକୁ ସ୍ୱତନ୍ତ୍ର ସ୍ପର୍ଶ ଦେଇଛି।ଯଦି ଗୁଗୁଲ ହୋମପେଜ ରେ ଯାଇ ମହାକୁମ୍ଭ ଟାଇପ୍ କରାଯିବ ତେବେ କୁମ୍ଭମେଳା ସମ୍ପର୍କିତ କଣ୍ଟେଣ୍ଟ ଆସିବା ସହ ୟୁଜର୍ସର ସ୍କ୍ରୀନରେ ଗୋଲପ ପାଖୁଡ଼ାର ବର୍ଷା ହେବ । ଯାହା ବାସ୍ତବିକ ବହୁତ ଅଦ୍ଭୁତ ଅନୁଭବ ଦେଉଛି ।

ପ୍ରୟାଗରାଜ ସହର ସାରା ଭଳିକି ଭଳି ଶ୍ରଦ୍ଧାଳୁଙ୍କ ଗହଳି । ଭିଡ଼ ଏତେ କି କିଛି ସ୍ଥାନରେ ଶ୍ରଦ୍ଧାଳୁ ମୂର୍ଚ୍ଛା ଯିବାର ଦୃଶ୍ୟ । ପ୍ରବଳ ଜନଗହଳିରେ କୁମ୍ଭରେ ହଜିବା ଏକ ସ୍ୱାଭାବିକ କଥା ହୋଇଥିବା ବେଳେ ଏହାରି ମଧ୍ୟରେ ଖୋୟାପାୟା କେନ୍ଦ୍ର ଦ୍ୱାରା ସାଢେ ୪ହଜାର ଲୋକଙ୍କୁ ତାଙ୍କ ପରିବାର ଲୋକଙ୍କ ଭେଟ କରାଯାଇ ପାରିଛି ।ଅନେକ ଲୋକ ଏବେ ମଧ୍ୟ ନିଜ ଲୋକଙ୍କ ସନ୍ଧାନରେ ଅଛନ୍ତି । ବହୁ ଅବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ଦୂରଦୂରାନ୍ତରୁ ଆସୁତିବା ତୀର୍ଥଯାତ୍ରୀ । ୧୨ କିଲୋମିଟରରୁ ଅଧିକ ଚାଲି ଚାଲି ଯିବା ବେଳେ ବୟସ୍କ, ଛୋଟ ପିଲା ଓ ଅସୁସ୍ଥ ଲୋକ ବିଭିନ୍ନ ପ୍ରକାର ସମସ୍ୟାରେ ପଡ଼ୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *