କେନ୍ଦୁଝରରେ ଲୋକକଳା ଦିବସ ପାଳିତ : ଲୋକକଳା ପ୍ରତି ସଚେତନ ରହିଲେ ସଂସ୍କୃତି ସମୃଦ୍ଧ ହେବ

Spread the love

କେନ୍ଦୁଝର : ଲୋକକଳା ହେଉଛି ସଂସ୍କୃତିର ଭିତିଭୂମି, ସମାଜର ଦର୍ପଣ ଏବଂ ଗୋଟିଏ ଜାତିର ପରିଚୟ । ଲୋକକଳାକୁ ଛାଡି ସଂସ୍କୃତିର ପରିକଳ୍ପନା କରାଯାଇ ନପାରେ । ଲୋକକଳା ହେଉଛି ଗୋଟିଏ ଜାତିର ଆଧାର । ଏଣୁ ଲୋକକଳା ପ୍ରତି ସମସ୍ତେ ସଚେତନ ରହିଲେ ସଂସ୍କୃତି ସମୃଦ୍ଧ ହେବ ବୋଲି ତା ୧୪/୬/୨୦୨୩ ରିଖ ଦିନ ସଦର ବ୍ଲକ ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ ଆୟୋଜିତ ଜିଲ୍ଲାସ୍ତରୀୟ ଲୋକକଳା ଦିବସରେ ଅତିଥି ଓ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ, ସଦର ବ୍ଲକ ଏବଂ ସେଣ୍ଡକାପ ରଜ ମହୋତ୍ସବ କମିଟି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଲୋକକଳା ଦିବସ ଅବସରରେ ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗବତ ନାଏକ,ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା,ସଦର ପଚାଂୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ସ୍ଥାନୀୟ ସରପଚଂଞ୍ଚ ସଞ୍ଜୟ ମୁଣ୍ଡା, ସଦର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଶରତ ଚନ୍ଦ୍ର ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଲୋକକଳା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅବକ୍ଷମୟମୁଖୀ ଲୋକକଳାର ପୁନର୍ଜାଗରଣ ସହିତ କଳାକାରମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରୟାସ କରୁଛନ୍ତି ତାହା ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଲୋକକଳା ହେଉଛି ଆମ ଗର୍ବ, ଗୌରବ ଓ ଅସ୍ମିତାର ପ୍ରତୀକ ବୋଲି ଅତିଥିମାନେ କହିବା ସହିତ ଏହାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ପାଇଁ ସମସ୍ତଙ୍କର ଆନ୍ତରିକତା କାମନା କରିଥିଲେ । ଓଡିଶାର ଗଣପର୍ବ ରଜ ଅବସରରେ ଜୁନ୍ ୧୪ ତାରିଖକୁ ସାରା ରାଜ୍ୟରେ ‘ଲୋକ କଳା ଦିବସ’ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାରୁ ଏହାର ମହତ୍ୱ ବଢିଯାଇଛି ବୋଲି କହିଥିଲେ । ଉକ୍ତ ସମାରୋହରେ ପୁରନ୍ଦର ନାଏକ ଦାସକାଠିଆ, ପୂର୍ଣ୍ଣଚନ୍ଦ୍ର ମହାନ୍ତ ପାଲା, ଡମ୍ବରୁଧର ମହାନ୍ତଙ୍କ ଦଳ ଦ୍ୱାରା ଝୁମର ନୃତ୍ୟ ପରିବେଷଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ତିନିଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଲୋକକଳା ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ, ଝିଅ ଓ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା- ଶଙ୍ଖ ଫୁଙ୍କା, ଛୁଚିଂସୂତା ଦୌଡ, ଜିଲାପି ଦୌଡ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଗ୍ରାମବାସୀଙ୍କ ସହଯୋଗରେ ଲୋକକଳା ଦିବସ ଧୁମଧାମରେ ପାଳିତ ହେଉଛି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

Leave a Reply

Your email address will not be published. Required fields are marked *