ରାଜଭବନରେ ଲୋକଉତ୍ସବ ଓ ଜନଜାତି କଳା ପ୍ରଦର୍ଶନ

Spread the love

ଭୁବନେଶ୍ୱର : ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ ଯାହାକି ବର୍ତମାନର ଓଡ଼ିଶା । ସେ ଲୋକକଳା ହେଉ କି ପାରମ୍ପରିକ ସାମରିକ କଳାକୌଶଳ ଅଥବା ଜନଜାତିଙ୍କ କଳା ପ୍ରତ୍ୟେକଟିର ପରିଚୟ ସ୍ୱତନ୍ତ୍ର । ଏହିସବୁ କଳାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ରାଜଭବନର ନ୍ୟୁ ଅଭିଷେକ ହଲ୍ ରେ । କାଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକକଳାକାରଙ୍କୁ ନେଇ ଆୟୋଜନ କରାଯାଇଥିଲା ଲୋକଉତ୍ସବ ଓ ଜନଜାତି କଳା ପ୍ରଦର୍ଶନ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ ସହ ଉଦ୍‌ଘାଟନ କରିବା ଅବସରରେ ନିଜ ଉଦ୍‌ବୋଧନରେ ପ୍ରକୃତି ଓ ସଂସ୍କୃତି ସହିତ ଯୋଡ଼ି ହେବାର ଅପୂର୍ବ ଆନନ୍ଦ ଓ ଅନୁଭୂତିର ମଞ୍ଚ ଲୋକଉତ୍ସବ ବୋଲି କହିବା ସହିତ ଏହାର ସୁରକ୍ଷା ଏବଂ ପ୍ରସାର ଦିଗରେ ଗ୍ରହଣ କରାଯାଉଥିବା ପ୍ରୟାସ ସ୍ୱାଗତଯୋଗ୍ୟ । ରାଜ୍ୟପାଳ କାଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟର ଉଦ୍ୟମକୁ ପ୍ରଶଂସା କରିବା ସହିତ ତୃଣମୂଳ ସ୍ତରରୁ କଳାକାରମାନଙ୍କୁ ଚିହ୍ନଟ କରି ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ଓ କଳାର ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଲୋକଉତ୍ସବର ଆୟୋଜନର ଆବଶ୍ୟକତା ରହିଛି ବୋଲି କହିଥିଲେ । ଟ୍ରଷ୍ଟର କୋଷାଧ୍ୟକ୍ଷ  ଅର୍ଦ୍ଧେନ୍ଦୁ ଶେଖର ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଲୋକଉତ୍ସବ ଆରମ୍ଭ ହୁଏ ରାୟଗଡ଼ା ଜିଲ୍ଲାର ଦୃଷ୍ଟିବାଧିତ ଲକ୍ଷ୍ମଣ ଶବରଙ୍କ କଣ୍ଠରେ ଶ୍ରୀଜଗନ୍ନାଥଙ୍କ ଭଜନ । ପରେ ଗଞ୍ଜାମ ଜିଲ୍ଲା ନରେନ୍ଦ୍ରପୁର ଗ୍ରାମର ଗଙ୍ଗେଶ୍ୱର ଯୁଗଳ ଶଙ୍ଖବାଦ୍ୟ ଅନୁଷ୍ଠାନର କଳାକାର ଶଙ୍ଖନାଦ କରିଥିଲେ । ତା’ପରେ ପରେ ଗଞ୍ଜାମ ଜିଲ୍ଲା ହରିପ୍ରିୟାପୁର ଗ୍ରାମର ଦେବେନ୍ଦ୍ରନାଥ ଦାଶ ଏବଂ ସାଥୀ ଦାସକାଠିଆ, ପୁରୀ ଜିଲ୍ଲା ଖଜୁରିଆସ୍ଥିତ ନୀଳକଣ୍ଠେଶ୍ୱର ଗୋଟିପୁଅ ଗୁରୁକୁଳ ଡ୍ୟାନ୍ସ ଏକାଡେମୀ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବିଚିତ୍ରବର୍ଣ୍ଣାଳି ନାଟ୍ୟ ସଂସଦ, ପୁରୀ ବାସେଳି ସାହିର ମାଲଖମ୍ବ ୟୁନାଇଟେଡ୍‌, ବ୍ରହ୍ମପୁର ସ୍କେଟିଙ୍ଗ୍ ଏକାଡେମୀ, ଭୁବନେଶ୍ୱର, ସମ୍ବଲପୁରର ଆଦିବାସୀ ଏବଂ ଲୋକକଳା ସେଂଟର, ଖୋର୍ଦ୍ଧା ଜିଲ୍ଲା ସାଗୁଆନ୍ ବଗିଚା ସ୍ଥିତ କଳିଙ୍ଗ ପାଇକ କ୍ରିଏସନ୍‌, ଓଡ଼ିଶା ସାମରିକ କଳା, ଗଞ୍ଜାମ ଜିଲ୍ଲା ଶ୍ରୀ କାଳେଶ୍ୱର ରଣପା ନୃତ୍ୟ, କନ୍ଧମାଳ ଜିଲ୍ଲା ମା’ସୁବର୍ଣ୍ଣଗିରି ଆଦିବାସୀ ଲୋକକଳା ସାଂସ୍କୃତିକ ସଂଘ, ରାୟଗଡ଼ାସ୍ଥିତ ଗାୟତ୍ରୀ କଳା ସଂଗଠନ ଓ ବରଗଡ଼ ଜିଲ୍ଲାର କଳାଜୀବୀ କଳା ଅନୁଷ୍ଠାନ ଲୋକକଳା, ପାରମ୍ପରିକ ସାମରିକ କଳା ଓ ଜନଜାତି କଳା ପ୍ରଦର୍ଶନ କରିଥିଲେ । ଲୋକନୃତ୍ୟ, ଲୋକସଂଗୀତ ଓ ଲୋକବାଦ୍ୟରେ ଝୁମି ଉଠିଥିଲା ସଂପୂର୍ଣ୍ଣ ପ୍ରେକ୍ଷାଳୟ । କଳାକାରମାନଙ୍କ ଆକର୍ଷଣୀୟ କଳାନୈପୁଣ୍ୟରେ ରାଜ୍ୟପାଳଙ୍କ ସମେତ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଭିଭୂତ ଓ ବିଭୋର ହୋଇଥିଲେ । ରାଜ୍ୟପାଳ କାଳାଞ୍ଜଳି ଆର୍ଟିଷ୍ଟ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସଂପାଦିକା ଶ୍ରୀମତୀ ରାମେଶ୍ୱରୀ ନନ୍ଦଙ୍କ ସହିତ କଳା ପ୍ରଦର୍ଶନ କରିଥିବା ସମସ୍ତ ଅନୁଷ୍ଠାନ ଓ କଳାକେନ୍ଦ୍ରକୁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *