ବିଶ୍ୱର ତୃତୀୟ ଧନୀ ଆଦାନୀଙ୍କୁ ଲାଗିଛି ବଡ଼ ଝଟକା!

Spread the love

()  ଷ୍ଟକ ମାନିପୁଲେସନ ଓ ଆକାଉଣ୍ଟିଂ ଫ୍ରଡ ଲାଗି ବିଶ୍ୱର ତୃତୀୟ ଧନୀ ଆଦାନୀଙ୍କୁ ଲାଗିଛି ବଡ଼ ଝଟକା। ଆଦାନି ଗ୍ରୁପର ସେୟାର ବହୁ ତଳକୁ ଖସିଯାଇଛି। ଗ୍ରୁପ ଅନ୍ତର୍ଗତ ୭ଟି ତାଲିକାଭୁକ୍ତ କମ୍ପାନୀ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ୟୁଏସ ଭିତ୍ତିକ ଇନଭେଷ୍ଟର ରିସର୍ଚ୍ଚ ହିଣ୍ଡେନବର୍ଗର ତଥ୍ୟ ଅନୁସାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହରାଇଛି ଆଦାନି ଗ୍ରୁପ୍। ଆଉ ଘରୋଇ ପୁଞ୍ଜିନିବେଶକଙ୍କ ଲାଗି ଏହା ବଡ଼ ଝଟକା ଦେଇଛି। କିନ୍ତୁ ଏଭଳି ଖବରକୁ ଭିତ୍ତିହୀନ ବୋଲି କହିଛି ଆଦାନି ଗ୍ରୁପ୍।

ଆଦାନି ଟୋଟାଲ ଗ୍ୟାସ୍, ଆଦାନି ଏଣ୍ଟରପ୍ରାଇଜ୍, ଆଦାନି ଟ୍ରାନ୍ସମିଶନ, ଆଦାନି ଗ୍ରୀନ ଏନର୍ଜି, ଆଦାନି ପୋର୍ଟସ, ଆଦାନି ପାଓ୍ୱାର ଓ ଆଦାନି ଓ୍ୱିଲମର ପରି ଆଦାନି ଗ୍ରୁପର  ୭ଟି କମ୍ପାନୀକୁ ଲାଗିଛି ବଡ଼ ଝଟକା। ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛି ଗ୍ରୁପ। ୧ରୁ ୯ ପ୍ରତିଶତ ଯାଏ ଏ ସବୁ କମ୍ପାନୀ ସେୟାର ହରାଇଛି। ୟୁଏସ ଭିତ୍ତିକ ହିଣ୍ଡେନବର୍ଗ ରିସର୍ଚ୍ଚ ତଥ୍ୟ ଅନୁସାରେ ଏଭଳି ବିପୁଳ କ୍ଷତିର ପ୍ରତିଫଳନ ସିଧାସଳଖ ଘରୋଇ ନିବେଶକଙ୍କୁ ଛାନିଆ କରିଛି। ସିମେଣ୍ଟ ମ୍ୟାନୁଫ୍ୟାକ୍ଚରିଂ ଫାର୍ମସ ଅମ୍ୱୁଜା ସିମେଣ୍ଟ ଓ ଏସିସି ଏହି ଦୁଇ କମ୍ପାନୀକୁ ଗଲାବର୍ଷ ଆଦାନୀ ଗ୍ରୁପ ଅଧିଗ୍ରହଣ କରିଥିଲା। ଏହି ଦୁଇ କମ୍ପାନୀ ବି ୬ରୁ ୭ ପ୍ରତିଶତ ସେଲଅଫ ଖସିଛି। ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଯାହାକି ଜାନୁଆରୀ ୨୪, ୨୦୨୩ରେ ପ୍ରକାଶିତ ହୋଇଛି। ଏଥିରେ ଦର୍ଶାଯାଇଛି କି, ଷ୍ଟକ ମ୍ୟାନିପୁଲେସନ ଓ ଆକାଉଣ୍ଟିଂ ଫ୍ରଡ୍ କରି ଦୀର୍ଘ ଦଶନ୍ଧି ହେଲା ଆଦାନି ଗ୍ରୁପ୍ ଠକି ଆସୁଛି।

ହିଣ୍ଡେନବର୍ଗ ଏହାର ଦୁଇ ବର୍ଷର ଅନୁସନ୍ଧାନରେ ପାଇଛି କି, ଗୌତମ ଆଦାନୀଙ୍କ ମାଲିକାନାରେ ଥିବା କମ୍ପାନୀଗୁଡ଼ିକ ସମସ୍ତ ସନ୍ତୋଷଜନକ ଋଣ ନେଉଥିଲା। ଯେଉଁଥିରେ ଏମାନଙ୍କ ସେୟାରକୁ ଷ୍ଟକ୍ ଫର ଲୋନ୍ସ ଭାବେ ଦର୍ଶାଯାଉଥିଲା। ପୁରା ଗ୍ରୁପକୁ ଅନିଶ୍ଚିତତା ଫାଇନାନ୍ସିଆଲ ଫୁଟିଂରେ ରଖାଯାଉଥିଲା। କେବଳ ଏତିକି ନୁହେଁ, ଆଦାନୀ ଗ୍ରୁପର ୭ଟି କମ୍ପାନୀ ପ୍ରାୟ ୮୫ ପ୍ରତିଶତ ଶୀର୍ଷ ଭାଲ୍ୟୁଏସନରେ ଥିବା ଦର୍ଶାଯାଉଥିଲା। ରିପୋର୍ଟ ଏହା ବି କହୁଛି କି, ଷ୍ଟକ ମାର୍କେଟରେ ଘରୋଇ ନିବେଶକଙ୍କୁ ଏହା ବଡ଼ କ୍ଷତି ପହଞ୍ଚାଇଛି। ସେନସେକ୍ସ ଓ ନିଫଟିର ଇକ୍ୟୁଟି ବେଞ୍ଚମାର୍କରୁ ପ୍ରାୟ ୧ ପ୍ରତିଶତ ଖସିଛି ଆଦାନୀ ଗ୍ରୁପର ଏ ସବୁ କମ୍ପାନୀ। ଅବଶ୍ୟ ଆଦାନି ଗ୍ରୁପ ଏଭଳି ଖବରକୁ ଖଣ୍ଡନ କରିଛି। ଆଉ ଏଭଳି ଖବର ପ୍ରକାଶିତର ସମୟକୁ ନେଇ ପ୍ରଶ୍ନବାଚୀ ଆଙ୍କିଛି।

ଆଦାନୀ ଏଣ୍ଟରପ୍ରାଇଜ ଏଫପିଓ ହେବାର ଦିନକ ଆଗରୁ ହିଣ୍ଡେନବର୍ଗ ରିସର୍ଚ୍ଚ ଏହି ରିପୋର୍ଟ ପ୍ରକାଶିତ କରିଥିବାରୁ ଏହା ପଛର ଷଡ଼ଯନ୍ତ୍ରକୁ ଦର୍ଶାଇଛି। ଆଦାନି ଗ୍ରୁପର ସିଏଫଓ ଜୁଗେସିନ୍ଦର ସିଂ କହିଛନ୍ତି କି, ଆଦାନି ଗ୍ରୁପ ସହ କୌଣସି ଯୋଗାଯୋଗ ନ କରି ଆଉ କୌଣସି ସତ ଓ ତଥ୍ୟ ନ ଜାଣି ଏଭଳି ରିପୋର୍ଟ ପ୍ରକାଶ କଲା କେମିତି ହିଣ୍ଡେନବର୍ଗ। ଭଳି ରିପୋର୍ଟ ଭିତ୍ତୀହିନ। ମିଛ,ଗୁଜବ ଓ ନିରାଧାର ତଥ୍ୟକୁ ନେଇ ଏହା ପ୍ରକାଶିତ ହୋଇଛି। କେବଳ ଏତିକି ନୁହେଁ, ଏଭଳି ମନଗଢ଼ା ଖବର ବହୁବାର ତର୍ଜମା ହୋଇଛି ଓ ଏପରିକି ଭାରତର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ବି ଖାରଜ ହୋଇସାରିଛି। ଆଦାନି ଗ୍ରୁପର କୌଣସି ନିବେଶକ ଏଭଳି ଏକପାଖିଆ ରିପୋର୍ଟରେ ଭ୍ରମିତ ହେବେନି।

କାରଣ ଏହା ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର କାମ ବୋଲି ନିବେଶକ ବୁଝିପାରୁଛନ୍ତି। ଆଦାନି ଗ୍ରୁପର ବିଶ୍ୱସନୀୟତା ପ୍ରତି ବିଦେଶୀ ଶକ୍ତି ଆକ୍ରୋଶମୂଳକ ଭାବେ ପ୍ରହାର କରୁଛି। ୧୦୩ ପୃଷ୍ଠାର ଫରେନସିକ ଫାଇନାନ୍ସିଆଲ ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗ ଦର୍ଶାଇଛି କି, ଆଦାନୀ ଗ୍ରୁପର ସେୟାର ୧୮ ପ୍ରତିଶତ ଯାଏ ଖସିଛି। ଆଦାନୀ ଏଣ୍ଟରପ୍ରାଇଜ୍ ସେୟାର ୩ ପ୍ରତିଶତରୁ ବେଶୀ ସୋମବାର ଖସିଥିଲା। ଆଦାନୀ ପୋର୍ଟସ ୪ ପ୍ରତିଶତ, ଆଦାନୀ ପାଓ୍ୱାର ୫ ପ୍ରତିଶତ, ଆଦାନୀ ଟ୍ରାନ୍ସମିଶନ ସେୟାର ବିଏସଇରେ ୧୫ ପ୍ରତିଶତ, ଆଦାନୀ ଗ୍ରୀନ ଏନର୍ଜି ୧୧ ପ୍ରତିଶତ, ଆଦାନୀ ଟୋଟାଲ ଗ୍ୟାସ୍ ୧୮ ପ୍ରତିଶତ ଓ ଆଦାନୀ ଓ୍ୱିଲମାର ସେୟାର ୫ ପ୍ରତିଶତ ତଳକୁ ଖସିଥିଲା ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ କହୁଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *