ପାର୍ଟପ୍ଲଟରେ ପିସି କଲଚର – କିଏ ସେ ଷଡ଼ଯନ୍ତ୍ରକାରୀ ?

ପାର୍ଟ-ପ୍ଲଟ୍‌ ନାଁରେ କେମିତି ଲୋକଙ୍କୁ ଦଲାଲ ଶୋଷଣ କରୁଥିଲେ। ଏକ ଭାଇରାଲ ଅଡ଼ିଓରୁ ଏହା ସ୍ପଷ୍ଟ ହୋଇଛି। ଭାଇରାଲ ଅଡ଼ିଓରେ ବେଗୁନିଆର ଜଣେ ଷ୍ଟାମ୍ପଭେଣ୍ଡର କେମିତି ବିକ୍ରେତାଙ୍କୁ ରେରାର ଭୟ ଓ ସବ୍‌-ରେଜିଷ୍ଟ୍ରାରଙ୍କ ଭାଗ ନାଁରେ ରେଟ୍ ଚାର୍ଟ ଧରାଉଛନ୍ତି। ଟଙ୍କା ନ ଦେଲେ ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ କଥା ମୁହଁରେ ଧରନି କହି ରୋକଠୋକ୍ କହୁଥିଲେ। ତେବେ ଭାଇରାଲ ଅଡ଼ିଓକୁ ତାଳ ଦେଇ କେମିତି ଗଲା ଏପ୍ରିଲ ମାସରେ ଗୋଟିଏ ଦିନରେ ୧୭ଟି ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ହୋଇଥିଲା, ତାହାର ପ୍ରମାଣ ଦେଖାଇଥିଲା ନକ୍ଷତ୍ର ନ୍ୟୁଜ୍। ଖାତା ନମ୍ୱର ୯୧। ପ୍ଲଟ ନମ୍ୱର ୩୮୬। ଏରିଆ ହେଉଛି ୧ ଏକର ୪୩୫ ଡିସିମିଲ। ମୌଜା- ଧାନଘରନୂଆଗାଁ। ବିକ୍ରେତା ପୂଣ୍ୟକିର୍ତ୍ତୀ ଦାସ ଓ କ୍ରେତା ସଞ୍ଜୟ ସୁବୁଦ୍ଧି।ଏପ୍ରିଲ ୭ ଓ ୮ରେ ଦୁଇ ଦିନରେ ୧୭ଟି ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ହୋଇଥିଲା। ତେବେ ଏଭଳି କ୍ରେତା ଓ ବିକ୍ରେତା ବାଧ୍ୟବାଧକତାରେ କାନମୁଣ୍ଡା ଆଉଁସି ଟଙ୍କା ଦେଇ ଜମି ରେଜିଷ୍ଟ୍ରେସନ କରିଥିଲେ ନା ନିୟମରେ କରିଥିଲେ ବୋଲି ପ୍ରଶ୍ନ ଉଠୁଥିଲା। କାରଣ ପାର୍ଟ ଚାଷ ଜମି ଉପରେ ସେତେବେଳେ ଲାଗିଥିଲା କଟକଣା। ସବ୍‌-ରେଜିଷ୍ଟ୍ରାର ଅମିତ ସେଠୀଙ୍କ କହିବା କଥା, ଭାଇରାଲ ଅଡ଼ିଓରେ ଯିଏ ବି ଅଛନ୍ତି। ସେମାନଙ୍କ ପରିଚୟ ପାଇଲେ ବା ନିର୍ଦ୍ଦିଷ୍ଟ ଅଭିଯୋଗ କଲେ, ସେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ। ଏମିତିରେ ବେଗୁନିଆ ଗ୍ରାମାଞ୍ଚଳ ଏରିଆ। ଏଠାରେ ଓଡିଏ ଆକ୍ଟ ବା ସହରାଞ୍ଚଳ ନିୟମ ଲାଗୁ ନୁହେଁ। ତା ସତ୍ତ୍ୱେ ମଧ୍ୟସ୍ଥି ଓ ଦଲାଲ ରେରା ନାଁରେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଲୋକଙ୍କୁ ମୌଖିକ ଓ ଲିଖିତ ଭାବେ ଜଣାଇ ଦିଆଯାଇଛି। କୌଣସି କାମ ଥିଲେ ସିଧାସଳଖ ତାଙ୍କୁ ଦେଖା କରନ୍ତୁ ବୋଲି ଅପିଲ କରିଛନ୍ତି ଅମିତ। ଅଫିସକୁ ଦଲାଲମୁକ୍ତ କରିବାକୁ ଚେଷ୍ଟା ଚାଲିଥିଲେ ସୁଦ୍ଧା ସେମାନେ ଯେନତେନ ବାଟରେ ଲୋକଙ୍କୁ ଶୋଷଣ କରିବାକୁ ବାଟ ଖୋଜୁଛନ୍ତି। ଆଦିବାସୀ ଜମି ହଡ଼ପ, ଜାଲି ଆଧାର କାର୍ଡରେ ରେଜିଷ୍ଟ୍ରେସନ, ଲିଗାଲ ହାୟାର ସାର୍ଟିଫିକେଟରେ ଝିଅଙ୍କ ନାଁକୁ ବାଦ୍ ଦେଇ ଜମି ପଞ୍ଜୀକରଣ କାରସାଦିକୁ ସେ ଧରିଥିଲେ। ଆଉ ଏହାକୁ ନେଇ କିଛି ଷଡ଼ଯନ୍ତ୍ରକାରୀ ତାଙ୍କୁ ଓ ତାଙ୍କ ଅଫିସକୁ ରୀତିମତ ବଦନାମ କରିବାକୁ ଚକ୍ରାନ୍ତର ଏହା ପ୍ରତିଫଳନ ବୋଲି କହିଛନ୍ତି ଅମିତ୍। ସବ-ରେଜିଷ୍ଟ୍ରାରଙ୍କ ପିସି ଓ ରେରା ନାଁରେ ଚାଲିଛି ସାଙ୍ଘାତିକ ଫନ୍ଦି। ସେଥିଲାଗି ତ ସବ-ରେଜିଷ୍ଟ୍ରାର ଅଫିସରେ ଓଡ଼ିଆରେ ସ୍ପଷ୍ଟ ଭାବେ ପାର୍ଟ ଜମି ବା ଘରବାରି କିଣାବିକାରେ କେଉଁ ନିୟମ ରହିଛି, ଆଇଜିଆରଙ୍କ ପକ୍ଷରୁ ମାରିଦିଆଗଲେ ଅନ୍ତତଃ ଲୋକେ ଭ୍ରମ ଓ ଭୟରେ ପଡ଼ନ୍ତେନି କି ଅକାରଣରେ ଟଙ୍କା ଗଣନ୍ତେନି।  ଏ ଟଙ୍କା କାହା ପକେଟକୁ ଯାଉଛି କିଏ ଜାଣେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *