
ହୋଲଡିଂ ଟିକସ ଠକୁଥିବା ଖିଲାଫୀଙ୍କୁ ଏକ୍ସପୋଜ୍ କଲା ବିଏମସି। ଯେଉଁ ଖିଲାଫୀ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିଛନ୍ତି, ତାହାର ତାଲିକା ବାହାର କରିଛି ବିଏମସି। ବିଏମସିର ସାଉଥ-ଇଷ୍ଟ ଓ ସାଉଥ-ଓ୍ୱେଷ୍ଟ ଜୋନାର ୫ ଜଣ ଲେଖାଏଁ ଖିଲାଫି ୧ କୋଟିରୁ ବେଶୀ ଟଙ୍କାର ହୋଲଡିଂ ଟିକସ ଫାଙ୍କିଛନ୍ତି। ନର୍ଥ-ଜୋନର ୬ଜଣ ବ୍ୟକ୍ତିଙ୍କ ନାଁରେ ଗଡ଼ୁଛି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଟିକସ। ୧୫ ଖିଲାଫୀଙ୍କ ବିରୁଦ୍ଧରେ ୫୦ଲକ୍ଷ ଟଙ୍କାରୁ କୋଟିଏ ଟଙ୍କା ଭିତରେ ହୋଲଡିଂ ଟିକସ ଗଡ଼ୁଛି। ମୋଟ୍ ୩୧ ଖିଲାଫିଙ୍କୁ ନୋଟିସ କରିଛି ବିଏମସି। ସାଉଥ-ଓ୍ୱେଷ୍ଟ ଜୋନରେ ରଞ୍ଜିତା ଷ୍ଟେଡିଓ ଇଣ୍ଡଷ୍ଟ୍ରିଜ୍ ଉପରେ ସର୍ବାଧିକ ୨କୋଟି ୪୧ ଲକ୍ଷ ଟଙ୍କାର ହୋଲଡିଂ ଟିକସ ବକେୟା ଥିଲା ବେଳେ ନର୍ଥ ଜୋନରେ ଏସଜେ ଚାରିଟେବୁଲ ଟ୍ରଷ୍ଟ ଉପରେ ଗଡୁଛି ୫ କୋଟି ବକେୟା। ଲାଇଫଲାଇନ ମଲଟି ଭେଞ୍ଚୋର ଲିମିଟେଡ ୭ କୋଟି ଟଙ୍କାର ବକେୟା ରଖିଛି। ବିଏମସିର ସମସ୍ତ ସେବା ପାଉଛନ୍ତି ଏମାନେ। କିନ୍ତୁ ହୋଲଡିଂ ଟିକସ ଦେବା ବେଳକୁ ପଛାଉଛନ୍ତି। ବିଏମସିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ବଡ଼ ଖିଲାଫୀଙ୍କ ତାଲିକା ବାହାରିଛି। ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଶହେ କୋଟି ଟଙ୍କାର ହୋଲଡିଂ ଟିକସ ଟାର୍ଗେଟ ଥିଲା ବେଳେ ଏ ଯାଏଁ ମାତ୍ର ୪୦ କୋଟି ଆଦାୟ ହୋଇପାରିଛି। କିଟ୍ ଦେଇନି ୩ କୋଟିର ହୋଲଡିଂ ଟ୍ୟାକ୍ସ। କିଟ୍ ଓ କିମସ ମୋଟ୍ ୨ କୋଟି ୯୮ଲକ୍ଷ ଟଙ୍କାର ହୋଲଡିଂ ଟିକସ ଦେଇନାହାନ୍ତି। ସୋଆ ଓ ଏହାର ଅଧ୍ୟକ୍ଷ ମନୋଜ ରଞ୍ଜନ ନାୟକ ପ୍ରାୟ ୬କୋଟି ୧୫ଲକ୍ଷ ଟଙ୍କା ଦେଇନାହାନ୍ତି। ଜଗଦୀଶ ପ୍ରସାଦ ନାୟକଙ୍କ ମେସର୍ସ ଲାଇଫଲାଇନ ମଲଟି ଭେଞ୍ଚର୍ସ ୧କୋଟି ୨୭ଲକ୍ଷ ଦେଇନି। ଆଦିତ୍ୟ ବିର୍ଲା ଫ୍ୟାସନ ଉପରେ ୨ କୋଟି ୧୨ଲକ୍ଷ ଟଙ୍କା ଗଡ଼ୁଛି। ସରକାରୀ ସଂସ୍ଥା ଖିଲାଫି ଭିତରେ ଆର ଆଣ୍ଡ ବିର ନିର୍ବାହୀ ଯନ୍ତ୍ରୀ-୩ ୮୯ ଲକ୍ଷ ଓ ନିର୍ବାହୀ ଯନ୍ତ୍ରୀ-୪ ୭୦ଲକ୍ଷ ଟଙ୍କାର ଟିକସ ଦେଇନାହାନ୍ତି। ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ ପୋଖରୀପୁଟ ଅଫିସ ବାବଦକୁ ୫୪ଲକ୍ଷ ଟଙ୍କା ଦେଇନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now