୭୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଆଇଆରଏସ ଅଧିକାରୀ। ଝାନସିରେ ସିବିଆଇ ସଂପୃକ୍ତ ମହିଳା ଆଇଆରଏସ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଯେଉଁମାନଙ୍କ ପାଖରୁ ୧କୋଟି ୬୦ ଲକ୍ଷ ଟଙ୍କାର ଟଙ୍କା, ଗହଣା ଜବତ କରାଯାଇଛି। ଗିରଫ ହୋଇଥିବା ୫ଜଣଙ୍କ ଭିତରୁ ୨ଜଣ ଅଫିସର, ଜଣେ ଓକିଲ ଓ ଜଣେ ବ୍ୟବସାୟୀ ଅଟନ୍ତି। ନଗଦ ୯୦ଲକ୍ଷ ଏମାନଙ୍କଠୁ ସିଜ୍ କରିଛି ସିବିଆଇ। କେନ୍ଦ୍ରୀୟ ଜିଏସଟିର ଡେପୁଟି କମିଶନର ଆଇଆରଏସ ଅଧିକାରୀ ପ୍ରଭା ଭଣ୍ଡାରୀ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସିଜିଏସଟି ଅଫିସର ଦୁଇ ସୁପରିଟେଣ୍ଡେଣ୍ଟ ଅନୀଲ ତିଓ୍ୱାରୀ ଓ ଅଜୟ କୁମାର ଶର୍ମାଙ୍କୁ ବି ରାସ୍ତା ମଝିରେ ୭୦ଲକ୍ଷ ଟଙ୍କା ନେଉଥିଲା ବେଳେ ଧରିଥିଲା ସିବିଆଇ। ଜିଏସଟି ମାମଲା ଦେଖୁଥିବା ଓକିଲ ନରେଶ କୁମାର ଗୁପ୍ତା ଓ ଜୟଦୁର୍ଗା ହାର୍ଡଓ୍ୱେରର ପ୍ରୋପ୍ରାଇଟର ରାଜୁ ମଙ୍ଗତାନୀଙ୍କୁ ବି ବାନ୍ଧିଛି ସିବିଆଇ। ଏମାନଙ୍କୁ ଅଧିକ ଜେରା ଲାଗି ଅଜଣା ଜାଗାକୁ ନିଆଯାଇଛି। ଜିଏସଟି ରେଡ୍ ଓ କାର୍ଯାନୁଷ୍ଠାନକୁ ରୋକିବା ବଦଳରେ ମୋଟା ଅଙ୍କର ଲାଞ୍ଚ ନିଆଯାଉଛି ବୋଲି ସିବିଆଇକୁ ସୂଚନା ମିଳିଥିଲା। ସେଥିଲାଗି ମଙ୍ଗଳବାରରୁ ଝାନସିରେ ଡେରା ପକାଇଥିଲା ସିବିଆଇ। ମାମଲା ଥିଲା କିଛି ଏମିତି। ଡିସେମ୍ୱର ୧୯ରେ ସିଜିଏସଟି ଡେପୁଟି କମିଶନର ପ୍ରଭା ଭଣ୍ଡାରୀଙ୍କ ନେତୃତ୍ୱରେ ଝୋକେନବାଗ ସ୍ଥିତ ଜୟଦୁର୍ଗା ହାର୍ଡଓ୍ୱେର ଫାର୍ମରେ ରେଡ୍ କରାଯାଇଥିଲା। ଏହି ଫାର୍ମ ଟିକସ ଫାଙ୍କିଥିଲା। ଟିମ୍ ୩ଟି ବସ୍ତାରେ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ନେଇଥିଲା। ଏହାର ଛାନଭିନ୍ ଜାରି ଥିଲା। ଏହି ମାମଲାରୁ ଖସିବାକୁ ବିଭାଗୀୟ ଅଧିକାରୀ ଦେଢ଼ କୋଟି ଟଙ୍କା ଦାବି କରିଥିଲେ। ସିଜିଏସଟି ପ୍ରାକ୍ଚିସ କରୁଥିବା ଓକିଲ ନରେଶଙ୍କ ଜରିଆରେ ଏହି କଥାବାର୍ତ୍ତା ଚାଲିଥିଲା। ତେବେ ଏହାର ସୁରାକ ସିବିଆଇକୁ ମିଳିଥିଲା। ଏହା ପରେ ଏଭଳି ବଡ଼ଆକ୍ସନ ହୋଇଛି। ଝାନସିରେ ମୋଟ୍ ୭୧ହଜାର୮୬୧ ଫାର୍ମ ପଞ୍ଜୀକୃତ ହୋଇଛି। ଏଥିରୁ ୪୧,୩୩୦ ଫାର୍ମ ରାଜ୍ୟ ଜିଏସଟି ଓ ୩୦,୫୧୧ ଫାର୍ମ ସେଣ୍ଟ୍ରାଲ ଜିଏସଟି ଅଧୀନରେ ଆସୁଛି। ମୁରାଦାବାଦ ଓ ଲକ୍ଷ୍ନୌରେ ଜାଲି ଫାର୍ମ ଯାଞ୍ଚ ବେଳେ କେବଳ ଝାନସି ମଣ୍ଡଳରେ ୧୭ ଫାର୍ମ କାଗଜରେ କାରବାର କରୁଥିବା ଜଣାପଡ଼ିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now