ବିବାହକୁ ମାତ୍ର ୧୮ ମାସ ହୋଇଛି। କିନ୍ତୁ ପତ୍ନୀ ଭରଣପୋଷଣ ଭତ୍ତା ବାବଦକୁ ଡିମାଣ୍ଡ କଲେ ୧୮ କୋଟି। ଅର୍ଥାତ ମାସକୁ ପଡ଼ିଲା କୋଟିଏ। ଏହାକୁ ଶୁଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ ଏଭଳି ଦାବିର ଯଥାର୍ଥତାକୁ ନେଇ ପ୍ରଶ୍ନ କରିବା ସହ ଯାହା ପରାମର୍ଶ ଦେଇଥିଲେ, ତାକୁ ନେଇ ସବୁଠି ଚର୍ଚ୍ଚା। ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ହାଇପ୍ରୋଫାଇଲ୍ ବୈବାହିକ ବିବାଦରେ ଭରଣପୋଷଣ ଭତ୍ତାର ଶୁଣାଣୀ ସାରି ରାୟକୁ ସଂରକ୍ଷିତ ରଖାଯାଇଛି। କିନ୍ତୁ ଶୁଣାଣୀ ବେଶ୍ ରୋଚକ ଥିଲା। ସଂପୃକ୍ତ ମହିଳାଙ୍କୁ ସିଜେଆଇ ପରାମର୍ଶ ଦେଇଥିଲେ ଯେ, ସେ ତ ଉଚ୍ଚଶିକ୍ଷିତ। ନିଜ ସ୍ୱାମୀର ଗୁଜୁରାଣ ଉପରେ ନିର୍ଭରଶୀଳ ବା ଭରସା କରିବା ଉଚିତ ନୁହେଁ। ବିଶେଷ କଥା ଥିଲା ଯେ, ଏହି ମାମଲାରେ ନିଜେ ମହିଳା ଜଣକ ନିଜ ମାମଲା ଲଢ଼ୁଥିଲେ। ମୁମ୍ୱାଇସ୍ଥିତ ଘର ଓ ୧୨କୋଟି ଟଙ୍କାର ଭରଣପୋଷଣ ଚାହୁଁଛି ବୋଲି କହିଥିଲେ ମହିଳାଜଣକ। ସିଜେଆଇ କହିଥିଲେ, ସେ ଘର କଳ୍ପତରୁରେ ଅଛି। ଭଲ ବିଲଡର୍ସଙ୍କ ଭିତରେ ଅନ୍ୟତମ। ସେ ନିଜେ ଆଇଟି ଏକ୍ସପର୍ଟ। ଏମବିଏ ବି କରିଛନ୍ତି। ବେଙ୍ଗାଲୁରୁ କି ହାଇଦ୍ରାବାଦରେ କେଉଁଠି ଚାକିରୀ କାହିଁକି କରୁନାହାନ୍ତି। ବିବାହ ମାତ୍ର ୧୮ ମାସ ଚାଲିଲା। ଆଉ ଏବେ ବିଏମଡବ୍ଲୁ ବି ଚାହୁଁଛ। ୧୮ କୋଟି ହିସାବରେ ମାସକୁ କୋଟିଏ ପଡ଼ିଲା। ଆଉ ଜବାବରେ ମହିଳା ଜଣକ କହିଥିଲେ, ତାଙ୍କ ସ୍ୱାମୀ ବହୁତ ଧନୀ। ସିଜୋଫ୍ରେନିଆରେ ପୀଡ଼ିତ କହି ତାଙ୍କ ସ୍ୱାମୀ ତାଙ୍କଠୁ ଛାଡ଼ପତ୍ର ଚାହୁଁଛନ୍ତି। ସେପଟେ ସ୍ୱାମୀଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ, ତାଙ୍କୁ ବି କାମ କରିବାକୁ ପଡ଼ୁଛି। ସବୁର ଦାବି ଏମିତି କରାଯାଇପାରିବନି। ମହିଳା ଜଣକ କହିଥିଲେ, ସେ କଅଣ ସିଜୋଫ୍ରେନିଆରେ ପୀଡ଼ିତ ଭଳି ଦେଖାଯାଉଛନ୍ତି କି। ସିଜେଆଇ ତାଙ୍କୁ କହିଥିଲେ, ତାଙ୍କ ଆୟକର ରିଟର୍ଣ୍ଣର ଦସ୍ତାବିଜ୍ କୋର୍ଟକୁ ଦେଖାଅ। ସ୍ୱାମୀଙ୍କ ପିତାଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେନି ମହିଳା। ଆୟକର ରିଟର୍ଣ୍ଣ ଫାଇଲରୁ ୨୦୧୫-୧୬ରେ ଆୟ ଅଧିକ ଥିଲା। ସେତେବେଳେ ବ୍ୟକ୍ତିଜଣକ ଚାକିରୀ କରୁଥିଲେ। ୨କୋଟି୫୦ଲକ୍ଷ ଓ କୋଟିଏ ଟଙ୍କାର ବୋନସ ପାଇଥିଲେ। ତେବେ ଏହା ଉପରେ ପ୍ରକ୍ସି ବିଜନେସର ଆରୋପ ରହିଛି। ଯେଉଁ ଫ୍ଲାଟରେ ରହୁଛନ୍ତି। ସେଠାରେ ଦୁଇଟି କାର୍ ପାର୍କିଂ ବି ଅଛି। ସେ ଏଥିରୁ ରୋଜଗାର କରିପାରିବେ। ଯେଉଁ ବିଏମଡବ୍ଲୁର ସ୍ୱପ୍ନ ଦେଖୁଛନ୍ତି ମହିଳା, ତାହା ବି ୧୦ ବର୍ଷ ପୁରୁଣାା ଗାଡ଼ି। ତାହା କେବେଠୁ ବନ୍ଦ ହୋଇଗଲାଣି। ଏଥିରେ ସିଜେଆଇ କହିଥିଲେ, ମୁମ୍ୱାଇରେ ସବୁ ଜାଗାରେ ଟଙ୍କା ରୋଜଗାର କରିହେବ। ସିଜେଆଇ ମହିଳାଙ୍କୁ କହିଥିଲେ, ସେ ଯେହେତୁ ଉଚ୍ଚଶିକ୍ଷିତାଓ ନିଜ ଇଛାରେ କାମ କରିବାକୁ ନିଷ୍ପତ୍ତି ନେବେ। ନଚେତ ୪ କୋଟି ଟଙ୍କା ନେଇ ପୁଣେ, ହାଇଦ୍ରାବାଦ, ବେଙ୍ଗାଲୁରୁରେ ଭଲ ଚାକିରୀ ଖୋଜିନିଅ। ଆଇଟି ସେକ୍ଟରରେ ବି ଚାକିରୀର ଡିମାଣ୍ଡ ରହିଛି। ତେବେ ମହିଳା ଜଣକ କହିଥିଲେ, ତାଙ୍କ ଚାକିରୀ ବି ତାଙ୍କ ସ୍ୱାମୀ ଛଡ଼ାଇଦେଲେ। ତାଙ୍କ ଉପରେ ଏତଲା କଲେ। ସିଜେଆଇ କହିଥିଲେ ସେ ଏତଲାକୁ ସେ ରଦ୍ଦ କରିଦେବେ। କୌଣସି ପକ୍ଷ ବି ପରସ୍ପର ବିରୁଦ୍ଧରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ନେବେନି। ରାୟକୁ ସଂରକ୍ଷିତ ରଖି ସିଜେଆଇ ସଂପୃକ୍ତ ମହିଳାଙ୍କୁ କହିଥିଲେ, ସେ ମାଗିବାର ନଥିଲା। ନିଜେ ରୋଜଗାର କରି ଖାଇବା ଦରକାର।

Naxatra News is now on Whatsapp
Join and get latest news update delivered to you via whatsapp
Join Now