୨ କୋଟିରୁ ଅଧିକ ନଗଦ ଜବତ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ବେଳେ ତେଲେଙ୍ଗାନାର ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ଏସିବି ବା ଆଣ୍ଟି କରପସନ ବ୍ୟୁରୋ ଜଳକା ହୋଇଯାଇଛି। ବିଦ୍ୟୁତ ବିଭାଗର ଇଞ୍ଜିନିୟରଙ୍କ ଘର ଓ ତାଙ୍କ ସମ୍ପର୍କୀୟଙ୍କ ଠିକଣାରେ ରେଡ୍ ହୋଇଥିଲା। ଗୋଟିଏ ଫ୍ଲାଟ୍, ଗୋଟିଏ ଭୂତଳ ଓ ୫ମହଲା ବିଲଡିଂ, ୧୦ଏକର ଜମି ଉପରେ ଏକ କେମିକାଲ କମ୍ପାନୀ, ୬ଟି ଆବାସିକ ଓପନ ଫ୍ଲାଟ୍, ୨ଟି କାର୍, ସୁନା ଅଳଙ୍କାରରୁ ନେଇ ଯାବତୀୟ ସମ୍ପତ୍ତି ଜବତ କରିଛି ଏସିବି। ତଲାସି ବେଳେ ୨କୋଟି ୧୮ଲକ୍ଷ ଟଙ୍କା ନଗଦ ମିଳିଛି ଘରୁ। ଟିଜିଏସପିଡିସିଏଲର ଆସିଷ୍ଟାଣ୍ଟ ଡିିଭିଜନାଲ ଇଞ୍ଜିନିୟର (ଅପରେସନ) ଥିବା ଅମେଦବାର ଇରୁଗୁ ନିଜ ପଦର ଦୁରୁପଯୋଗ କରି ଅଚଳାଚଳ ସମ୍ପତ୍ତି ଅର୍ଜନ କରିଛନ୍ତି। ସଂପୃକ୍ତ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଛି। ଯେଉଁ ୬ଟି ଫ୍ଲାଟ ଅଛି, ତାହା ହାଇଦ୍ରାବାଦର ପ୍ରାଇମ ଲୋକେସନରେ ଅଛି। ସେପଟେ ଆସାମରେ ସିଭିଲ ସର୍ଭିସ ଅଧିକାରୀ ନୁପୁର ବର୍ମା ଦୁର୍ନୀତିର ପାହାଡ଼ରେ କେମିତି ବସିଥିଲେ, ତାହା ସମସ୍ତଙ୍କୁ ତାଜୁବ୍ କରିଛି। ଭ୍ରଷ୍ଟାଚାରର ରାଣୀ ବୋଲି ଅନେକ କହୁଛନ୍ତି ତାଙ୍କୁ। ରେଡ୍ ବେଳେ ତାଙ୍କ ପାଖରୁ ନଗଦ ଓ ଗହଣା ଯାହାର ମୂଲ୍ୟ ପ୍ରାୟ ୩ କୋଟି ହେବ, ଜବତ ହୋଇଛି। ୨୦୧୯ ବ୍ୟାଚର ସିଭିଲ୍ ସେବା ଅଧିକାରୀଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଓ ଜମି ଘୋଟାଲାରେ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଟିମ୍ ନୁପୁରଙ୍କ ଗୌହାଟି ଓ ବାରପେଟା ସ୍ଥିତ ଘରେ ରେଡ୍ କରିଥିଲା। ନୁୁପୁରଙ୍କ ଘରୁ ପ୍ରାୟ ୯୦ଲକ୍ଷ ଟଙ୍କା ନଗଦ ଓ ୨କୋଟି ଟଙ୍କାରୁ ଅଧିକ ଦାମର ଗହଣା ଜବତ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ନୁପୁରଙ୍କ ଗତିବିଧି ଉପରେ ଲମ୍ୱା ସମୟ ଧରି ନଜର ରଖାଯାଇଥିଲା। ବାରପେଟା ଜିଲ୍ଲାରେ ସର୍କଲ ଅଧିକାରୀ ଭାବେ କାମ କରୁଥିଲା ବେଳେ ବେଆଇନ ବସବାସ କରୁଥିବା ଲୋକଙ୍କ ନାଁରେ ସରକାରୀ ଜମି ଅବୈଧ ପଞ୍ଜୀକରଣ କରିଥିଲେ। ନୁପୁରଙ୍କ ଘରେ ରେଡ୍ ଆଗ ରବିବାର କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ନୁପୁର ଘରେ ନଥିବାରୁ ଏହାକୁ ଟାଳି ଦିଆଯାଇଥିଲା। ଆଉ ସୋମବାର ସକାଳୁ ଘରକୁ ଆସିବା ପରେ ରେଡ୍ କରିଥିଲା ଟିମ୍।

Naxatra News is now on Whatsapp
Join and get latest news update delivered to you via whatsapp
Join Now