ବରଗଡ଼ବାସୀଙ୍କୁ ୧୨୨ କୋଟିର ପ୍ରକଳ୍ପ ଭେଟି। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ମିଳିବ ସ୍ଥାୟୀ ରାଜ ମହଲ। ଯମୁନା ବା ଜୀରା ନଦୀରେ ନିର୍ମାଣ ହେବ ଆନିକଟ୍ । ନୂଆ ରୂପ ପାଇବ ମଥୁରାଗଡ଼ର କେନାଲ । ଧନୁଯାତ୍ରା ଦେଖିବା ପାଇଁ ୨୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ବୋଧ ହୁଏ ଜଗନ୍ନାଥ ଚାହୁଁଥିଲେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ଧନୁଯାତ୍ରା ଆସେ। ଧନୁଯାତ୍ରା ଆମ ସମୃଦ୍ଧ ଇତିହାସର ମୁଖଶାଳା ବୋଲି ଧନୁଯାତ୍ରାରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବରଗଡ଼ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି ରଙ୍ଗ ମହଲ ପର୍ଯ୍ୟନ୍ତ ଭବ୍ୟ ଶୋଭାଯାତ୍ରାରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ବରଗଡ଼ ତଥା ମଥୁରା ଗଡ଼ରୁ ଭେଟି ଦେଇଥିଲେ ୩ ବଡ଼ ଉପହାର। ଧନୁଯାତ୍ରାର ସ୍ଥାୟୀ ରାଜ ମହଲ ନିର୍ମାଣ ପାଇଁ ୧୨ କୋଟି ୮୦ ଲକ୍ଷର DPR ପ୍ରସ୍ତୁତ ହୋଇସାରିଛି । ଜୀରା ନଦୀ ଉପରେ ଏକ ଆନିକଟ ନିର୍ମାଣ ହେବ। ଏଥିପାଇଁ ୮୦ କୋଟି ଟଙ୍କା ପ୍ରଦାନ କରିବେ ସରକାର । ସେହିପରି ବରଗଡ଼ ସହରରେ ଯାଇଥିବା କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୩୦ କୋଟି । ମୋଟ ୧୨୨ କୋଟି ୮୦ ଲକ୍ଷ ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ବରଗଡ଼ ଜିଲ୍ଲାର ଶ୍ରେଷ୍ଠ ୧୦ ଛାତ୍ରଛାତ୍ରୀଙ୍କୁ ୯ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଧନୁଯାତ୍ରାରେ ଅଭିନୟ କରୁଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ୧୦ ଜଣ କଳାକାରଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିବା ବେଳେ ବାକି ୧୬୦ ଜଣ କଳାକାରଙ୍କ ଆକାଉଣ୍ଟରେ ଡିବିଟି ମାଧ୍ୟମରେ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ବରଗଡ଼ ମାଟିର ବରପୁତ୍ରଙ୍କୁ ସ୍ମରଣ କରି ତାଙ୍କ ଜୟଗାନ କରିବା ସହ ଧନୁଯାତ୍ରାକୁ ବାସ୍ତବର ବିଶ୍ବସ୍ତରକୁ ପହଞ୍ଚାଇବାକୁ ସରକାର ବଦ୍ଧ ପରିକର ଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now