ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ହିଂସାର ରୂପ ନେଇଛି। ଆର୍ଥିକ ମାନ୍ଦାବସ୍ଥା ଓ ମହଙ୍ଗା ମାଡ଼ ବିରୁଦ୍ଧରେ ଜାରି ଥିବା ଆନ୍ଦୋଳନ ଗ୍ରାମୀଣସ୍ତରକୁ ବ୍ୟାପିଛି। ହିଂସାରେ ଏ ପର୍ଯ୍ୟନ୍ତ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମହଙ୍ଗା, ମୁଦ୍ରାସଙ୍କଟ ଓ ବେରୋଜଗାର ବିରୁଦ୍ଧରେ ଜନଅସନ୍ତୋଷରୁ ସତ୍ତା ବିରୋଧୀ ନାରା ତେଜିବାରେ ଲାଗିଛି। ୨୦୨୨ ପରେ ଇରାନରେ ଏହା ସବୁଠୁ ବଡ଼ ପ୍ରଦର୍ଶନ ଅଟେ। ଇରାନର ୩ଟି ସହରରେ ଯେଉଁଠି ଲୁର୍ ସମୁଦାୟର ଲୋକେ ଅଧିକ ରହୁଛନ୍ତି। ସେଠାରେ ଏହାର ପ୍ରଭାବ ଅଧିକା ଦେଖିବାକୁ ମିଳୁଛି। ତେହେରାନରେ ଆନ୍ଦୋଳନର ଗତି କିଛିଟା ଥମିଥିଲା ବେଳେ ଦେଶର ଅନ୍ୟ ଭାଗରେ କିନ୍ତୁ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଅଗ୍ନିକାଣ୍ଡ, ଗୁଳିର ସ୍ୱର ଓ ସରକାର ବିରୋଧୀ ନାରାରେ ଇରାନ ରାସ୍ତା କମ୍ପୁଛି। ଇରାନରେ ଏଭଳି ପ୍ରଦର୍ଶନରେ ଆମେରିକା ଖୁସି ହୋଇଯାଇଛି। ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ କହିଛି, ଏହି ପ୍ରଦର୍ଶନ ଇରାନବାସୀଙ୍କ ରାଗର ସ୍ୱାଭାବିକ ଅଭିବ୍ୟକ୍ତି। ସରକାରଙ୍କ ଅପାରଗତାରୁ ଲୋକଙ୍କ ବିରୋଧ ରାସ୍ତାରେ ଦେଖିବାକୁ ମିଳୁଛି। ଲିଖିତ ବୟାନରେ ଆମେରିକା ଆରୋପ ଲଦିଛି ଯେ, ତେହେରାନ ସରକାର ଦଶନ୍ଧି ଧରି ଦେଶର ଅର୍ଥବ୍ୟବସ୍ଥା, ଜମି, ପାଣି ଓ ବିଜୁଳି ଭଳି ମୌଳିକ ମୁଦ୍ଦାକୁ ନଜରଅନ୍ଦାଜ କରିଆସିଛି। ଏହା ବ୍ୟତୀତ ଆତଙ୍କି ସଂଗଠନ ଓ ପରମାଣୁ ଅସ୍ତ୍ର ଉପରେ ବଡ଼ ଭାଗ ଖର୍ଚ୍ଚ କରୁଛି। ଆମେରିକା ଓ ତାହାର ସହଯୋଗୀଙ୍କ ବିରୁଦ୍ଧରେ ଆତଙ୍କବାଦ ଗତିବିଧିରେ ସାମିଲ୍ ଇରାନ ସରକାର। ଅନେକ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଛି। ଶହେରୁ ଅଧିକ ଚୋରି ପିସ୍ତଲ ଜବତ କରାଯାଇଛି। ଇରାନର ଧାର୍ମିକ ସତ୍ତା ବ୍ୟବସ୍ଥା ବିରୁଦ୍ଧରେ ନାରା ଜାରି ରହିଛି। ଡେଥ ଟୁ ଡିକ୍ଟେଟର ନାରାରେ କମ୍ପୁଛି ରାଜରାସ୍ତା। ୨୧ ପ୍ରାନ୍ତରେ ବିଦ୍ରୋହର ନିଆଁ ବ୍ୟାପିଛି। ଇରାନରେ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଦାବି ଜୋର ଧରିଛି। ସୁପ୍ରିମ ଲିଡର ଅଲି ଖାମେନୋଇଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି। ନିର୍ବାସିତ ଇରାନର ପୂର୍ବ ଶାସକ ରାଜକୁମାର ରଜା ପହଲବିଙ୍କୁ ସମର୍ଥନ କରିଛନ୍ତି। ଆଉ ଗଲା ବିଦ୍ରୋହରେ ମରିଥିବା ଆନ୍ଦୋଳନକାରୀଙ୍କୁ ସ୍ମରଣ କରିଥିଲେ। ଡିସେମ୍ୱର ୨୮ରୁ ଆରମ୍ଭ ହୋଇଛି ଏହି ଆନ୍ଦୋଳନ। ଇରାନରେ ମହଙ୍ଗା ମାଡ଼ ଚରମସୀମାରେ ପହଞ୍ଚିଛି। ମୁଦ୍ରାସ୍ଫୀତି ୪୨ ପ୍ରତିଶତ ଯାଏ ପହଞ୍ଚିଗଲାଣି। ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ସୁରକ୍ଷାକର୍ମୀ ବଳପ୍ରୟୋଗ କରିଛି। ନାହବନ୍ଦ, ଅସଦାବାଦ ଓ ହମାଦାନ ସହରରେ ଗୁଳି ଚଳାଇବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୁଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now