ମନ୍ତ୍ରୀଙ୍କ ଜମି କେଳେଙ୍କାରୀ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜମି ଦେବା ନାଁରେ ୨୫ଲକ୍ଷ ଟଙ୍କା ନେଇ ଠକିଥିବା ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ସିନା ବାନ୍ଧିଲା ପୁଲିସ। ହେଲେ ଏ ଜମି ସଂକ୍ରାନ୍ତରେ ମନ୍ତ୍ରୀ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ କାହିଁକି ଦର୍ଶାଇନଥିଲେ। ଏହାକୁ ଗଣ୍ଠି କରିଛନ୍ତି ବିରୋଧୀ ଦଳ। ଜମି କିଣା କଥା ସତ୍ୟପାଠରେ ଉଲ୍ଲେଖ କରିନଥିବାରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଯଦି ମନ୍ତ୍ରୀ ଜମି କିଣିବାକୁ ଅଗ୍ରୀମ ୨୫ଲକ୍ଷ ଦେଇଥିଲେ, ତାହା ହେଲେ ଜମିର ମୋଟ ମୂଲ୍ୟ କେତେ ହୋଇଥିବ, ସେ କଥା କାହିଁକି ସତ୍ୟପାଠରେ ଦର୍ଶାଇଲେନି। ମନ୍ତ୍ରୀ ଇସ୍ତଫା ନଦେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ। ନଚେତ ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ସ୍ପଷ୍ଟ ହେବ। ମୁଖ୍ୟମନ୍ତ୍ରୀ ନିଜର ସ୍ୱଛତା ପ୍ରମାଣିତ କରନ୍ତୁ। ନିର୍ବାଚନ କମିଶନ ବି ନିଜ ଆଡ଼ୁ ତଦନ୍ତ କରିବା କଥା। ସେ ବି ନୀରବ। ଏହାକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ ଭବନରେ ପ୍ରେସମିଟ୍ କରି କହିଛନ୍ତି ପିସିସି ଉପସଭାପତି ଦେବାଶୀଷ ପଟ୍ଟନାୟକ ଓ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାଶ। ବିଜେଡି କହିଛି, ମନ୍ତ୍ରୀ ଜମି ଠକେଇରେ ପଡ଼ିବା କଥା ଉଠୁଛି ପଡ଼ୁଛି। ଖୋଦ୍ ମନ୍ତ୍ରୀ ଠକାମୀରେ ପଡ଼ିଲେ। ସାଧାରଣ ଲୋକଙ୍କୁ କଥା ନ କହିବା ଭଲ। ମନ୍ତ୍ରୀ ସତକୁ ଲୁଚାଇଥିଲେ କାହିଁକି ବୋଲି ପଚାରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ବିଜେପି ରାଜ୍ୟ ସଭାପତି କହିଛନ୍ତି, ଯେଉଁଠି ଭୁଲ୍ ତୃଟି ଥିବ, ଫୋରମ ଅଛି। ନିଶ୍ଚିତ ଆଲୋଚନା ହେବ। ରାଜନୀତିରେ ରହୁଥିବା ଲୋକଙ୍କ ଜୀବନ ଖୋଲା ବହି ସଦୃଶ। ସେପଟେ କାଉଣ୍ଟରରେ ମନ୍ତ୍ରୀ କହିଛନ୍ତି, ସେ ଠିକ ସମୟରେ ଠିକ୍ ଜାଗାରେ ତଥ୍ୟ ରଖିବେ। ୪ରୁ ୫ ବର୍ଷ ତଳର ଘଟଣା। ଜମି ବାବଦକୁ ଅଗ୍ରୀମ ନେଇ ଫେରାଇବ କହି ଟଙ୍କା ଦେଉନଥିଲେ ନିରଞ୍ଜନ। ନିରଞ୍ଜନ କହିଥିଲେ, ଖମାରରେ ଥିବା ୮୦ ଏକର ଜମି ନେବାକୁ କୃଷ୍ଣଙ୍କ ସହ ଏଗ୍ରିମେଣ୍ଟ ଡିଲ୍ ହୋଇଥିଲା। ଅଗ୍ରୀମ ୧୦ଲକ୍ଷ ଜମି ମାଲିକଙ୍କୁ ଓ ତାଙ୍କୁ ନଗଦ ୭ଲକ୍ଷ ଦେଇଥିଲେ। ଜାଗାର ଟେକ୍ନିକାଲ ତୃଟି ଅର୍ଥାତ୍ ପଟ୍ଟାରେ ଜବରଦଖଲ ଲାଗି ଜମି ରେଜିଷ୍ଟ୍ରେସନ ହୋଇପାରିନଥିଲା। ଟଙ୍କା ମାଗିବାରୁ ସେ ମନ୍ତ୍ରୀଙ୍କୁ ଦୁଇଟି ବ୍ଲାଂକ ଚେକ୍ ଦେଇଥିଲେ। ସେ ରାଗିକି ୨୫ଲକ୍ଷ ଲେଖିଥିବାରୁ ଚେକ୍ ବାଉନ୍ସ ହୋଇଯିବାରୁ ସେ ଜେଲ୍ ବି ଯାଇଥିଲେ। ଏକକାଳୀନ ୧୦ଲକ୍ଷ ଓ ବାକି ୧୫ଲକ୍ଷ କିସ୍ତିରେ ଦେବେ ବୋଲି କହିଥିଲେ ନିରଞ୍ଜନ। ଜମି ଡିଲ୍ ନେଇ ଗୋଟିଏ ପଟେ ବିବାଦ। ତ ଅନ୍ୟ ପଟେ ଏ ଜମି ସଂକ୍ରାନ୍ତରେ ସତ୍ୟପାଠରେ ଉଲ୍ଲେଖ କରିନଥିବା ଆଉ ଏକ ବିବାଦରେ ପଡ଼ିଛନ୍ତି ମନ୍ତ୍ରୀ ପାତ୍ର। ଦେଖିବାର କଥା, ଏ ଘଟଣା ଆଗକୁ କି ମୋଡ଼ ନେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now