ଲଟେରି ଲଗେଇଦେଲା ଚନ୍ଦନ ଗଛ-ଚାଷୀ ପାଇବ କୋଟିଏ..

ଗୋଟିଏ ଚନ୍ଦନ ଗଛ ବଦଳରେ ୯୫ ବର୍ଷୀୟ ଚାଷୀଙ୍କୁ ମିଳିବ କୋଟିଏ ଟଙ୍କାର କ୍ଷତିପୂରଣ। ଚନ୍ଦନ ଗଛଟି ବୃଦ୍ଧ ଚାଷୀଙ୍କୁ ରାତାରାତି କରିଦେଲା କୋଟିପତି। ମହାରାଷ୍ଟ୍ର ୟବତମାଲ୍ ରୁ ଆସିଛି ଏଭଳି ଘଟଣା। ରେଲଓ୍ୱେ ରୁଟ ପାଇଁ ଜମି ଅଧିଗ୍ରହଣ ବେଳେ ମଝିରେ ଏହି ଚନ୍ଦନ ଗଛଟି ପଡ଼ିଥିଲା। ଆଉ ଏଭଳି ପୁରୁଣା ବହୁମୂଲ୍ୟ ଚନ୍ଦନ ଗଛ ବଦଳରେ ଚାଷୀଙ୍କୁ କୋଟିଏ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ରେଳବିଭାଗ କହିବା ପରେ ପୁରା ଚାଷୀ ପରିବାର ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ପ୍ରାୟ ଶହେ ବର୍ଷ ପୁରୁଣା ଚନ୍ଦନ ଗଛ ଏବେ ସଂପୃକ୍ତ ଚାଷୀଙ୍କ ଲାଗି ଲଟେରି ହୋଇଯାଇଛି। ପୁସଦ ତହସିଲ ଅନ୍ତର୍ଗତ ଖୁର୍ସି ଗାଁର ଚାଷୀ କେଶବ ସିନ୍ଦେ ୭ ଏକର ପରିମିତ ଜାଗାରେ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ୭ ଏକର ଜମିରେ ଗୋଟିଏ ରକ୍ତଚନ୍ଦନ ଗଛ ଲାଗିଥିଲା। ୨୦୧୩-୧୪ ପର୍ଯ୍ୟନ୍ତ କେଶବଙ୍କ ପରିବାରକୁ ଜଣାନଥିଲା ଯେ, ତାଙ୍କ ଜମିରେ ରକ୍ତଚନ୍ଦନ ପ୍ରଜାତିର ଗଛ ଅଛି। ସେତେବେଳେ ରେଲଓ୍ୱେ ସର୍ଭେ ଆରମ୍ଭ ହୋଇଥିଲା। ସର୍ଭେ ବେଳେ ରେଳବିଭାଗ ତାଙ୍କୁ ରକ୍ତଚନ୍ଦନ ଗଛ ବାବଦରେ ଅବଗତ କରାଇଥିଲେ। ଏହାର ବଜାରମୂଲ୍ୟ ବହୁ ଅଧିକ ବୋଲି କହିଥିଲେ। ରେଳବିଭାଗ ସିନା ଜମି ଅଧିଗ୍ରହଣ କରିଦେଲା। କିନ୍ତୁ ସେଥିରେ ଥିବା ରକ୍ତଚନ୍ଦନ ଗଛର ଉଚିତ୍ ମୂଲ୍ୟ ଦେବାକୁ ପଛଘୁଞ୍ଚା ଦେଉଥିଲା। ସିନ୍ଦେ ପରିବାର ଏହାର ମୂଲ୍ୟାଙ୍କନ କରି ଜାଣିଲେ ଯେ, ଏହାର ଦାମ୍ ପ୍ରାୟ ୪କୋଟି୯୭ ଲକ୍ଷ ଟଙ୍କା ହେବ। ରେଲଓ୍ୱେ ବିଭାଗ କିନ୍ତୁ ଏତେ ଟଙ୍କା ଦେବାକୁ ମନା କରିଦେଇଥିଲା। ଏହା ପରେ ସିନ୍ଦେ ପରିବାର ମାମଲାକୁ ଅଦାଲତକୁ ଟାଣିଥିଲେ। ମାମଲାର ଶୁଣାଣୀ ମୁମ୍ୱାଇ ହାଇକୋର୍ଟର ନାଗପୁର ବେଞ୍ଚରେ ହୋଇଥିଲା। ଅଦାଲତ ରେଳବାଇକୁ ନିର୍ଦେଶ ଦେଇଛନ୍ତି ଯେ, ଗଛର ମୂଲ୍ଯ ଏକ କୋଟି ଟଙ୍କା ଅଦାଲତରେ ଜମା କରିବ। ଏହି ରାଶିରୁ ସିନ୍ଦେ ପରିବାର ଖାତାକୁ ୫୦ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଏହାକୁ ଉଠାଣ ଲାଗି ଅନୁମତି ଦେଇଛନ୍ତି। ଏହା ସହ ଗଛର ସଠିକ୍ ମୂଲ୍ୟାୟନ କରି ଉପଯୁକ୍ତ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *