ଶୁଖିଲାଣି ଓଡ଼ିଶାର ଜୀବନ ରେଖା

Spread the love

() ଶୁଖିଲାଣି ଓଡ଼ିଶାର ଜୀବନ ରେଖା ମହାନଦୀର ଜଳସ୍ତର କମିବାରେ ଲାଗିଛି। ଆଗକୁ ଅବସ୍ଥା ଅସମ୍ଭାଳ ହୋଇପାରେ। ଦଳମତ ନିର୍ବିଶେଷରେ ବିଧାନସଭାର ଶୂନ୍ୟକାଳରେ ମହାନଦୀ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା।

ମହାନଦୀ ଜଳସ୍ତର କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ମହାନଦୀକୁ ନେଇ ଆଲୋଚନା ହେଉ। ଏହାର ସୁରକ୍ଷା ନେଇ ସରକାର କଅଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବଦଳୀୟ କମିଟି କଅଣ ନିଷ୍ପତ୍ତି ନେଲା। ମହାନଦୀ ଜଳ ବିବାଦ ତୁଟାଇବା ଦିଗରେ ଟ୍ରିବ୍ୟୁନାଲ କେତେ ବାଟ ଗଲା। କାହିଁକି ଟ୍ରିବ୍ୟୁନାଲରେ ତାରିଖ ବାରମ୍ୱାର ଘୁଞ୍ଚୁଛି। ଏହାକୁ ନେଇ ଶୂନ୍ୟକାଳରେ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଥିଲେ। ଆଉ ବିରୋଧୀ ଦଳ ନେତାଙ୍କୁ ସମର୍ଥନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କମିଟି ଗୁଡ଼ିକର ବୈଠକ କେବେ ବି ହୋଇନି। ମୋସନ ଆକାରରେ ଆଲୋଚନା କରିବା ଜରୁରୀ ହୋଇପଡ଼ିଲାଣି। ଜଳସମ୍ପଦ ମନ୍ତ୍ରୀ ଏ ଦିଗରେ ବିବୃତ୍ତି ଏ ଯାଏ ରଖିଲେନି। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓଡ଼ିଶାର ହେଲେ ମଧ୍ୟ ଏ ପ୍ରସଙ୍ଗ ଉଠୁନି।

ସେପଟେ ମହାନଦୀ ବିପଦରେ ବୋଲି ଶାସକ ଦଳ ବି ହୃଦବୋଧ କରିଛି। ଉପରମୁଣ୍ଡରୁ ଆସୁଥିବା ପାଣିକୁ ପଡ଼ୋଶୀ ରାଜ୍ୟ ଅଟକାଇଦେଉଛି। ବର୍ଷା ଓ ନଦୀର ଜଳ ସମୁଦ୍ରକୁ ଚାଲିଯାଉଛି। ଟ୍ରିବ୍ୟୁନାଲ ଉପରେ ନିର୍ଭର ନ କରି ଭବିଷ୍ୟତ ଲାଗି ଯୋଜନା କରିବା ଜରୁରୀ। ଭୂତଳ ଜଳର ହ୍ରାସ ଘଟୁଛି। କଳକାରଖାନା ଓ ନଦୀରେ ବର୍ଜ୍ୟବସ୍ତୁ ଛାଡ଼ୁଥିବା ଶିଳ୍ପାନୁଷ୍ଠାନକୁ ଜଗିବାକୁ ପଡ଼ିବ।

ମହାନଦୀର ଜଳସ୍ତର ଡରାଇଲାଣି। ଯେଭଳି କ୍ରମାଗତ ଖସୁଛି, ଆଗକୁ ଅଧିକ ଖରା ଅଛି। ଏବେଠୁ ସଜାଗ ନ ହେଲେ ଆଗକୁ ଅବସ୍ଥା ଅସମ୍ଭାଳ ହେବ ବୋଲି ଜଳଜଳ କରି ଦିଶୁଛି।

ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *