ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଲା। ଆଉ ୨୦୨୫-୨୬ ଆର୍ଥିକ ବର୍ଷ ଆରମ୍ଭରୁ ଅନେକ କ୍ଷେତ୍ରରେ ନୂଆ ନିୟମ ହୋଇଛି। ଆୟକରରୁ ନେଇ ୟୁପିଆଇ। କ୍ରେଡିଟ୍ କାର୍ଡରୁ ନେଇ ଜିଏସଟି ଯାଏ। ଅନେକ ନିୟମରେ ସଂଶୋଧନ ହୋଇଛି। ଆଜିଠୁ କଅଣ ଶସ୍ତା ହେଲା ଆଉ କଅଣ ମହଙ୍ଗା ହୋଇଛି। ଏପ୍ରିଲ୍ ପହିଲାରୁ କମର୍ସିଆଲ ଏଲପିଜି ଦର ହ୍ରାସ ହୋଇଛି। ୧୯ କେଜିର କମର୍ସିଆଲ ଏଲପିଜି ଦର ୪୪ଟଙ୍କା୫୦ ପଇସା କମିଛି। ଦିଲ୍ଲୀରେ ୪୧ ଟଙ୍କା ହ୍ରାସ ହୋଇ ଏଣିକି କମର୍ସିଆଲ ଏଲପିଜି ଦର ୧୭୬୨ ଟଙ୍କା ହୋଇଛି। କୋଲକାତାରେ ୧୮୬୮ ଟଙ୍କା ୫୦ ପଇସା ହୋଇଛି। ଏଟିଏଫ୍ ବା ଆଭିଏନସନ ଟର୍ବାଇନ୍ ଫୁଏଲର ଦର କମିଛି। ଅର୍ଥାତ୍ ବିମାନ ଯାତ୍ରା ଶସ୍ତା ହୋଇଛି। ଦେଶର ଅନେକ ଫୋର୍ ହ୍ୱିଲର କମ୍ପାନୀ ଯେମିତିକି ଟାଟା ମୋଟର୍ସ, କିୟା ଇଣ୍ଡିଆ, ହ୍ୟୁଣ୍ଡାଇ, ହୋଣ୍ଡା କାର୍ ଦର ବଢ଼ିଛି। ମାରୁତି ସୁଜୁକିୃ ଗାଡ଼ିର ଦର ୪ ପ୍ରତିଶତ ମହଙ୍ଗା ହୋଇଛି। ବାକି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ବିଏମଡବ୍ଲୁ ଇଣ୍ଡିଆ, କିୟା, ହ୍ୟୁଣ୍ଡାଇ କାର୍ରେ ଦର ୩ ପ୍ରତିଶତ ବଢ଼ିଛି। ରେନାଲ୍ଟ ଇଣ୍ଡିଆ କାରର୍ ଦର ୨ ପ୍ରତିଶତ ବଢ଼ିଛି। ଆଜିଠୁ ୟୁପିଆଇ ଏମିତି ସବୁ ନମ୍ୱରକୁ ହଟାଇଦେଇଛି। ଯେଉଁ ନମ୍ୱର ଗୁଡ଼ିକ ୟୁପିଆଇ ସହ ଲିଂକ ସତ୍ତ୍ୱେ ଦୀର୍ଘ ଦିନ ହେଲା ବ୍ୟବହାର ହୋଇନି। ଲମ୍ୱା ସମୟ ଧରି ଇନ-ଆକ୍ଟିଭ୍ ଥିଲା। ଆରବିଆଇ ଓ ନାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ବା ଏନପିସିଆଇ ୟୁପିଆଇ ଲେନଦେନରେ ନୂଆ ନିୟମ ଆଣିଛି। ଲେନଦେନର ସୀମା, ଟ୍ରାଞ୍ଜକାସନ ଚାର୍ଜ, ସୁରକ୍ଷା ଫିଚର୍ସରେ ପରିବର୍ତ୍ତନ କରିଛି। ଏଣିକି ୟୁପିଆଇ ଜରିଆରେ ହସ୍ପିଟାଲ ଓ ଏଜୁକେସନାଲ ଇନଷ୍ଟିଚ୍ୟୁଟ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲେନଦେନ ସମ୍ଭବ। ବ୍ୟାଙ୍କର କ୍ରେଡିଟ୍ ଲାଇନକୁ ୟୁପିଆଇ ସହ ଲିଂକ କରିହେବ। ଗ୍ରାହକ ସିଧା ୟୁପିଆଇରୁ କ୍ରେଡିଟ୍ ଅର୍ଥ ବ୍ୟବହାର କରିପାରିବେ। ୟୁପିଆଇ ନେଣଦେଣ ବେଳେ ଧୋକାଦାରିରୁ ରକ୍ଷା କରିବାକୁ ସୁରକ୍ଷା ନିୟମ କଡ଼ାକଡ଼ି ହୋଇଛି। ବାୟୋମେଟ୍ରିକ ଅଥେଣ୍ଟିକେସନ ଓ ଏଆଇ ଆଧାରିତ ଫ୍ରଡ୍ ଡିଟେକ୍ସନ ସିଷ୍ଟମ ଲାଗୁ ହେବ। ବଡ଼ ବଡ଼ ବ୍ୟାଙ୍କ୍ ଯେମିତି ଏସବିଆଇ, କାନାଡ଼ା ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ସର୍ବନିମ୍ନ ଜମାରାଶି ନିୟମରେ ପରିବର୍ତ୍ତନ ଆଣିଛି। ସର୍ବନିମ୍ନ ବାଲାନ୍ସ ଖାତାରେ ନଥିଲେ, ସେସବୁ ଖାତା ଉପରେ ଚାର୍ଜ ଲଗାଇବ ବ୍ୟାଙ୍କ୍। ବୟସ୍କଙ୍କଠୁ ନେଇ ମହିଳାଙ୍କ ଯାଏ ହୋଇଥିବା ଅନେକ ଯୋଜନା ଓ ରିହାତିରେ ପରିବର୍ତ୍ତନ ହୋଇଛି। ପୋଷ୍ଟ ଅଫିସ ସ୍କିମରୁ ମିଳୁଥିବା ଆୟରେ ବରିଷ୍ଠ ନାଗରିକଙ୍କ ଟିକସ ରିହାତି ବଢ଼ିଛି। ଆଗରୁ ୫୦ ହଜାର ଟଙ୍କାର ଟିକସ ରିହାତି ବୟସ୍କଙ୍କୁ ମିଳୁଥିଲା। ଏବେ ଏହାକୁ ୧ ଲକ୍ଷକୁ ବଢ଼ାଇ ଦିଆଯାଇଛି। ମହିଳା ସମ୍ମାନ ସେଭିଙ୍ଗସ ସାର୍ଟିଫିକେଟ ସ୍କିମ୍ ବନ୍ଦ ହେଲା। ଏମଏସଏସସି ଯୋଜନାରେ ବାର୍ଷିକ ୭.୫ ପ୍ରତିଶତ ସୁଧ ହାରରେ ରିଟର୍ଣ୍ଣ ମିଳୁଥିଲା ମହିଳାଙ୍କୁ। ଏଥିରେ ନିବେଶ ଅବଧି ୨ ବର୍ଷ ରଖାଯାଇଥିଲା। ସରକାରୀ କର୍ମଚାରୀଙ୍କ ଲାଗି ନୂଆ ପେନସନ ଲାଗୁ ହୋଇଛି। କେନ୍ଦ୍ରୀୟ କର୍ମଚାରୀ ଏଣିକି ୟୁନିଫାଏଡ୍ ପେନସନ ସ୍କିମର ଫାଏଦା ଉଠାଇପାରିବେ। ଏହି ସ୍କିମରେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ଗ୍ୟାରେଣ୍ଟି ମିଳିବ। ଏହି ଯୋଜନାର ଉଦେଶ୍ୟ ହେଉଛି କି, ପୁରୁଣା ପେନସନ ସ୍କିମ୍ (ଓପିଏସ) ଓ ନୂଆ ପେନସନ ସ୍କିମ (ଏନପିଏସ) ଭିତରେ ସନ୍ତୁଳନ ବଜାୟ ରହିବ। ତେବେ ସରକାରୀ କର୍ମଚାରୀଙ୍କ ଉପରେ ନିର୍ଭର କରେ ସେମାନେ ୟୁପିଏସ ନା ଏନପିଏସ ରଖିବେ। ୟୁପିଏସ ସ୍କିମରେ କର୍ମଚାରୀ ନିଜ ଦରମାର ୧୦ ପ୍ରତିଶତ ଯୋଗଦାନ ଦେବେ। ଆଉ ଏନପିଏସରେ ୧୮.୫ ପ୍ରତିଶତ ଯାଏଁ ଯୋଗଦାନ ରହିବ। ଦିଲ୍ଲୀରେ ଆଜିଠୁ ପୁରୁଣା ଗାଡ଼ିକୁ ମିଳିବନି ଇନ୍ଧନ। ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡ଼ି ଓ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ିକୁ ପେଟ୍ରୋଲ ପମ୍ପରୁ ମିଳିବନି ତେଲ। ଏନଏଚଆଇ ଟୋଲ ଟିକସ ବଢ଼ାଇଛି। ହାଇଓ୍ୱେ ଓ ଏକ୍ସପ୍ରେସ ଓ୍ୱେରେ ଟୋଲ ଦର ବୃଦ୍ଧି ହୋଇଛି। ମାର୍ଚ୍ଚ ୩୧ ମଧ୍ୟରାତ୍ରିରୁ ଏହା ଲାଗୁ ହୋଇଛି। ହାଲୁକା ଯାନ ପାଇଁ ପ୍ରତି ଟ୍ରିପରେ ୫ରୁ ୧୦ ଟଙ୍କା ଓ ଭାରି ଯାନ ପଇଁଣ ୨୦ରୁ ୨୫ ଟଙ୍କା ଟୋଲ୍ ଦର ବଢିଛି। ପୂର୍ବରୁ ଜୁନ୍, ୨୦୨୪ରେ ବି ଟୋଲ୍ ଟିକସ ବଢ଼ିଥିଲା। ବର୍ଷକ ଭିତରେ ଦୁଇ ଥର ବଢ଼ିଲାଣି ଟୋଲ ଦର। ସେଥିଲାଗି ଫାସଟାଗରେ ପର୍ଯ୍ୟାପ୍ତ ଅର୍ଥ ରହିବା ଜରୁରୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now