ମହିଳା ସମ୍ମାନ ଓ ସାମାଜିକ ନ୍ୟାୟ- ବିହାରର ବଡ଼ ମୁଦ୍ଦା

ବିହାର ନିର୍ବାଚନରେ ଫୋକସରେ ମହିଳା ଭୋଟ ବ୍ୟାଙ୍କ୍। ଆଜି ପ୍ରଧାନମନ୍ତ୍ରୀ ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୭୫ ଲକ୍ଷ ମହିଳାଙ୍କ ଖାତାରେ ୧୦ହଜାର ଟଙ୍କାର ପ୍ରଥମ କିସ୍ତି ପଠାଇଛନ୍ତି ମୋଦି। ଏହି ଟଙ୍କାରେ ନିଜ ରୋଜଗାର ବଢ଼ାଇବେ ବୋଲି କହିଛନ୍ତି ମୋଦି। ଆଉ ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ମହିଳାଙ୍କ ଟଙ୍କା ଆଉ କେହି ମାରି ଖାଇପାରିବେନି। ପୂର୍ବରୁ ପିଏମ କହୁଥିଲେ, ସେ ଟଙ୍କାଏ ପଠାଇଲେ ଲୋକଙ୍କ ପାଖରେ ୧୫ ପଇସା ପହଞ୍ଚୁଥିଲା। ନବରାତ୍ର ପର୍ବରେ ସମସ୍ତ ମାଆ ଭଉଣୀଙ୍କ ଆଶୀର୍ବାଦ ବଡ଼ ସାହାସ ସାଜିବ। ରୋଜଗାର କଲେ ସମାଜରେ ସମ୍ମାନ ବଢ଼ିବ।  ଆପଣଙ୍କ ଦୁଇ ଭାଇ ମୋଦି ଓ ନୀତିଶ ଲଗାତାର ଆପଣଙ୍କ ଲାଗି କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ୨ଲକ୍ଷ ଟଙ୍କା ମିଳିବ। ଏହି ଟଙ୍କାକୁ ମହିଳା କୃଷି, ପଶୁପାଳନ, ହସ୍ତଶିଳ୍ପ, ସିଲେଇ, ବୁଣା ଓ ଅନ୍ୟ ଲଘୁଉଦ୍ୟୋଗରେ ବିନିଯୋଗ କରିପାରିବେ। ଛୋଟ ଛୋଟ ଦୋକାନ ଖୋଲିପାରିବେ। ଏହି ଯୋଜନା ଆଗକୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ସମର୍ଥ ହେବ। ଦେଶରେ ଅତି କମରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା କେନ୍ଦ୍ରର ଟାର୍ଗେଟ ରହିଛି। ଆଉ ତାଙ୍କର ସବୁଠୁ ଆଶା ରହିଛି ଯେ, ବିହାରରୁ ଅଧିକ ଲକ୍ଷପତି ଦିଦି ବାହାରିବେ। ଆର୍ଥିକ ଓ ସାମାଜିକ ରୂପରେ ମହିଳାଙ୍କୁ ସଶକ୍ତ କରିବ। ସେପଟେ ମହାଗଠବନ୍ଧନ ପକ୍ଷରୁ ବିହାରରେ ମହିଳାଙ୍କ ଲାଗି ନାନା ଗ୍ୟାରେଣ୍ଟି ଦେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ମହାଗଠବନ୍ଧନ କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା, ୨୫ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା, ଭୂମିହୀନ ପରିବାରକୁ ୩ରୁ ୫ଡିସିମିଲ୍ ଜମି ମିଳିବ। ଯାହାର ମାଲିକାନା ହକ୍ ମହିଳାଙ୍କ ପାଖରେ ରହିବ। ପ୍ରିୟଙ୍କା କହିଛନ୍ତି, ସମ୍ମାନର ଆଳରେ କିଣିବାକୁ ପ୍ରୟାସ କରୁଥିବା ଦଳକୁ ସାବଧାନ।  ନିର୍ବାଚନ ପୂର୍ବରୁ କିଛି ଟଙ୍କା ଧରାଇଦେଇ ଭୋଟ କିଣିବାକୁ ଚାହୁଁଛନ୍ତି ଏମାନେ।ମାଆ ଭଉଣୀଙ୍କୁ ଦେଖିବାକୁ ପଡ଼ିବ, କେଉଁ ଦଳ ସମ୍ମାନ ଦେଉଛି। ନୀତିଶ ନେତୃତ୍ୱାଧୀନ ସରକାର କେବେ ବି ସମ୍ମାନ ଦେବନି। ସ୍ୱର ଉଠାଇଲେ ପୁଲିସ ଲଗାଇ ଦମନଲୀଳା କରାଯାଉଛି। ନିଜ ଗୋଡ଼ରେ ଛିଡ଼ା ହେବାକୁ ଯେଉଁ ସରକାର ନିରନ୍ତର ସହଯୋଗ କରିବ ଆଉ ସବୁଠି ମହିଳା ନିଜକୁ ସୁରକ୍ଷିତ ମଣୁଥିବ। ସେଭଳି ଦଳ ଉପରେ ଆସ୍ଥା ରଖନ୍ତୁ। ସଦାକତ ଆଶ୍ରମରେ ଆୟୋଜିତ ମହିଳା ସମ୍ୱାଦ ସଭା ତଥା ଶକ୍ତିଅଧିକାର ସମାବେଶକୁ ସମ୍ୱୋଧିତ ବେଳେ ଆଶା, ଅଙ୍ଗନଓ୍ୱାଡ଼ି, ଚାଷ, ଶ୍ରମିକ ଓ ଅନ୍ୟ ବ୍ୟବସ୍ଥା ସହ ଜଡ଼ିତ ମହିଳାଙ୍କ ସମସ୍ୟା ଶୁଣିବା ସହ ସମାଧାନର ଭରସା ଦେଇଛନ୍ତି ପ୍ରିୟଙ୍କା। ସମ୍ମାନ ଓ ସାମାଜିକ ନ୍ୟାୟ ଚାହୁଁଥିଲେ ବିଜେପି-ଆରଏସଏସକୁ ହରାଇବାକୁ ପଡ଼ିବ। ନିଜ ପରିସ୍ଥିତି ସହ ନିର୍ବାଚନରେ ରାଜନୈତିକ ପରିସ୍ଥିତିକୁ ବି ବୁଝନ୍ତୁ ବୋଲି ଅପିଲ୍ କରିଛନ୍ତି ପ୍ରିୟଙ୍କା। ବିହାରରେ ମହିଳା ଭୋଟ ବ୍ୟାଙ୍କ କୁଆଡ଼େ ଢଳିବ। ମହାଗଠବନ୍ଧନ ନା ଏନଡିଏ ମେଣ୍ଟକୁ। ମହିଳା ସମ୍ମାନ ଓ ଅଧିକାରର କଥା କହି ଉଭୟ ଦଳ ଏବେ ଏହି ବଡ଼ ଭୋଟ ବ୍ୟାଙ୍କକୁ ନିଜ ଆଡ଼କୁ ଟାଣିବାକୁ ପୁରା ଦମ୍ ଲଗାଇଦେଲେଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *