ଖେଳାଳିଙ୍କ ପାଇଁ ଜାରି ହେଲା ଦଶ ସୂତ୍ରୀ ନିର୍ଦ୍ଦେଶ । ଆଉ ରହିବନି କ୍ରିକେଟ ଖେଳାଳିଙ୍କ ଷ୍ଟାର କଲଚର୍। ବିସିସିଆର ସୂଚନା କୋଚ୍ ଚାହୁଁ ନାହାଁନ୍ତି ଖେଳାଳିଙ୍କ ଷ୍ଟାରଡମ୍ । ପୂର୍ବରୁ ଖେଳିବା ଯିବା ସମୟରେ ପରିବାର ଲୋକସାଙ୍ଗରେ କେତିକି ଦିନ ରହିପାରିବେ ତାର ସବିଶେଷ ନିୟମ କୁହାଯାଇଥିଲା । ଏବେ କୌଣସି ପ୍ରକାର ଢିଲା ଦିଆଯିବ ନାହିଁ । ଆବଶ୍ୟକସ୍ଥଳେ ହେଡ କୋଚ୍ ଗୌତମ ଗମ୍ଭୀର ଏବଂ ଚୟନ ସମିତି ଅଧ୍ୟକ୍ଷ ଅଜିତ ଅଗରକରଙ୍କର ମଞ୍ଜୁରୀ ଅନିବାର୍ଯ୍ୟ କରାଯାଇଛି ।
ଭାରତୀୟ କ୍ରିକେଟ ଖେଳାଳିଙ୍କର ଷ୍ଟାର ସଂସ୍କୃତି ଉପରେ ଲାଗିବ କଟକଣା । ଅନୁଶାସନ ଓ ଏକତାକୁ ଗୁରୁତ୍ୱ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଘରୋଇ କ୍ରିକେଟକୁ ଅନିର୍ବାଯ୍ୟ କରିବା, ଟୁର୍ ବେଳେ ପରିବାର ସଦସ୍ୟ ଓ ନିଜ ବ୍ୟକ୍ତିଗତ ଷ୍ଟାଫଙ୍କୁ ସାଙ୍ଗରେ ନନେବା, ଟୁର୍ଣ୍ଣାମେଣ୍ଟ ସମୟରେ ବ୍ୟବସାୟିକ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲାଗାଯାଇଛି । ବିଗତ ମ୍ୟାଚରେ ଖରାପ ପ୍ରଦର୍ଶନକୁ ନେଇ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟ ପ୍ରଶୀକ୍ଷକ ଗୌତମ ଗମ୍ଭୀର ଏଭଳି ଦାବି ରଖିଥିଲେ । ଯାହାକୁ ପୁରା ସମର୍ଥନ କରିଛି ବିସିସିଆଇ ।
ଏହାର ଅନୁପାଳନ ନକଲେ ଖେଳାଳିଙ୍କୁ ଜରିମାନା ଦେବାକୁ ହେବ । ତାଙ୍କ ଫିସର ଅଂଶ କଟାଯିବା ସହ ବଡ ଧରଣର ଆର୍ଥିକ କାରବାରରେ ସମୃଦ୍ଧ ଆଇପିଏଲ ଲିଗରୁ ଖେଳାଳିଙ୍କୁ ବାଦ ଦିଆଯିବ । ବର୍ଡର ଗାଭାସ୍କର ଟ୍ରଫି ହରାଇ ଅଷ୍ଟ୍ରେଲିଆରୁ ଫେରିବା ପରେ କଡ଼ା ଆଭିମୁଖ୍ୟ ନେଇଥିଲା କ୍ରିକେଟ ବୋର୍ଡ। ତା ପୂର୍ବରୁ ଘରୋଇ ଗ୍ରାଉଣ୍ଡରେ ଅପେକ୍ଷାକୃତ ଦୁର୍ବଳ ନ୍ୟୁଜିଲାଣ୍ଡ ଠାରୁ ମଧ୍ୟ ପରାସ୍ତ ହୋଇଥିଲେ ।
୧୦ ସୂତ୍ରୀ ନିର୍ଦ୍ଦେଶ ସହ ତାର ଅନୁପାଳନକୁ ସୁନିଶ୍ଚିତ କରିବା ଦିଗରେ କଡ଼ା ଆଭିମୁଖ୍ୟ ନିଆଯାଇଛି । ବିଦେଶରେ ହେଉଥିବା ସିରିଜର ୪୫ ଦିନିଆ ଟୁରରେ ବ୍ୟକ୍ତିଗତ ଷ୍ଟାଫ ଓ ପରିବାର ଲୋକଙ୍କୁ ସାଙ୍ଗରେ ନେବା କ୍ଷେତ୍ରରେ କଟକଣା ଲଗାଯାଇଛି । ସେହି ସମୟରେ ବିଜ୍ଞାପନର ସୁଟିଂ ନକରିବାକୁ କୁହାଯାଇଛି । ଖେଳାଳିଙ୍କ ବୃତ୍ତିଗତ ମାନକ ଓ ଶୃଙ୍ଖଳାକୁ ପ୍ରାଥମିକତା ଦିଆଯାଇଛି । ବିସିସିଆଇ କୌଣସି ଖେଳାଳି ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକୃତ । ଯେଉଁଥିରେ ଖେଳାଳି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇ ପାରିବ ବୋର୍ଡ । ଖେଳାଳିଙ୍କ ପ୍ରତିଭାର ବିକାଶ ଓ ଫିଟନେସକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟ ରହିଛି । ଅଭ୍ୟାସ ମ୍ୟାଚ ଅବଧିକୁ ମଝିରୁ ଛାଡ଼ି ଆସି ପାରିବେନାହିଁ । ଯାହା ପ୍ରତିବଦ୍ଧତା ଓ ନୈତିକତା ବଢାଇବ କହିଛି ବୋର୍ଡ ।
ଖେଳାଳିଙ୍କ ଲଗେଜ ତାଙ୍କ ପରିବାର ଲୋକ ଓ ବ୍ୟକ୍ତିଗତ ଷ୍ଟାଫଙ୍କ ବ୍ୟାଗ ଯୋଗୁ ୧୫୦ କେଜିରୁ ବହୁତ ଅଧିକ ରହୁଛି ତେଣୁ ବିସିସିଆଇ ଅତିରିକ୍ତ ସାମଗ୍ରୀର ଶୁଳ୍କ ପଇଠ କରିବନାହିଁ ସିଧା କହିସାରିଛି ।ମ୍ୟାନେଜର, ସହାୟକ, ରୋଷେୟା, ସୁରକ୍ଷାକର୍ମୀଙ୍କୁ ନେଇ ଯାଉଛନ୍ତି ପ୍ଲେୟାର ।ଯାହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯାହା ଗୌତମ ଗମ୍ଭୀରଙ୍କ ମ୍ୟାନେଜରଙ୍କଠାରୁ ଆରମ୍ଭ ହୋଇଛି। ସେ ଷ୍ଟାଡିୟମ ବକ୍ସରେ ବସି ଖେଳ ଦେଖି ପାରିବେନି, ଟିମର ବସରେ ଯାଇ ପାରିବେନି ଓ ଟିମ ରହୁଥିବା ହୋଟେଲରେ ରହି ପାରିବେନି କୁହାଯାଇଛି ।
ଖେଳାଳି ନିଜ ପରିବାର ସହ ଅଲଗା ଅଲଗା ଯାତ୍ରା କରୁଛନ୍ତି । ଏପରିକି ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନ୍ୟ ସହରରୁ ଚାର୍ଟର ବିମାନ ଯୋଗେ ଯିବା ଆସିବା କଲେ ଷ୍ଟାର ପ୍ଲେୟାର କିନ୍ତୁ ଏକାଠି ରହିଲେ ନାହିଁ । ମ୍ୟାଚ ଓ ଅଭ୍ୟାସ ମ୍ୟାଚ ବେଳେ ଟିମ ସହ ଯିବା ଆସିବା ଓ ରହିବା ଜରୁରୀ । ଅନୁଶାସନ ଓ ଟିମ ମଧ୍ୟରେ ସମନ୍ୱୟ ପାଇଁ ଏହା ଆବଶ୍ୟକ କହିଛି ବିସିସିଆଇ ।
ଏଭଳି କଡ଼ା ନିଦ୍ଦେର୍ଶ ପଛର ଅନ୍ୟତମ କାରଣ ହେଉଛି ରଣଜୀ ମ୍ୟାଚରୁ ଷ୍ଟାର କ୍ରିକେଟର ଦୂରେଇ ରହିବା । ଏଠି ସୂଚନାଯୋଗ୍ୟ ଯେ ବିରାଟ କୋହଲି ୨୦୧୨ ପରଠାରୁ କୌଣସି ରଣଜୀ ମ୍ୟାଚ ଖେଳି ନାହାଁନ୍ତି । ସଚିନ ତେନ୍ଦୁଲକର ଶେଷ ରଣଜୀ ଟ୍ରଫି ଖେଳିଥିଲେ ୨୦୧୩ରେ। ରୋହିତ ଶର୍ମା ୨୦୧୫ରେ ଶେଷ ଥର ରଣଜୀ ସର୍କିଟରେ ଫ୍ୟାନଙ୍କ ଆଗକୁ ଆସିଥିଲେ ।
ବିଗତ ମ୍ୟାଚରେ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଦଳ ୱାଲ୍ଡ ଟେଷ୍ଟ ଚାମ୍ପିଅନସିପରୁ ବାହାର ହୋଇଛି । ଏବଂ ଫାଇନାଲକୁ ଯିବା ସ୍ୱପ୍ନ ଭାଙ୍ଗିଯାଇଛି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଡ୍ରେସିଂରୁମର ଗୁମର ବାହାରକୁ ଆସିବା, ସମନ୍ୱୟର ଅଭାବ ରହିବା ଭଳି ଅନେକ ଅଭିଯୋଗ ହୋଇଥିଲା । ରବିଚନ୍ଦ୍ରନ ଅଶ୍ୱିନଙ୍କ ସନ୍ୟାସରୁ ନେଇ ଶେଷ ମ୍ୟାଚରେ ରୋହିତ ଶର୍ମା ନିଜକୁ ଟିମରୁ ବାହାରେ ରଖିବା ଯାଏଁ ବିବାଦୀୟ ହୋଇଥିଲା । ଟିମ ମେମ୍ୱର ଠାରୁ ଅଲଗା ହୋଇ ନିଜ ପରିବାର ସହ ବିରାଟ କୋହଲି ଓ ଜସପ୍ରୀତ ବୁମରା ବୁଲିବା ଚର୍ଚ୍ଚାକୁ ଆସିଥିଲା । ଖେଳାଳିଙ୍କ ଧ୍ୟାନ ଖେଳରୁ ଯେଭଳି ଅନ୍ୟତ୍ର ନଯାଏ ସେଥିପାଇଁ ଏଭଳି ନିୟମ କରାଯାଉଥିବା କୁହାଯାଉଛି। ବିଭିନ୍ନ ସମୟରେ ସ୍ତ୍ରୀ ପିଲାଙ୍କ ସହ ଛୁଟି କଟାଇବା ଭଳି ପ୍ଲେୟାର ମାନେ ଯାଉଥିବା ଅଭିଯୋଗ ହୋଇ ଆସୁଥିଲା ଯାହାକୁ କଟକଣା ଲଗାଇବା ପାଇଁ ୧୦ ସୂତ୍ରୀ ନିର୍ଦ୍ଦେଶ ଆସିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now