ନା ଖେଳିବ ନା ହୋଷ୍ଟ କରିବ ଭାରତ। ଏସିଆ କପ୍ ୨୦୨୫ରୁ ଦୂରେଇ ରଖିଲା ନିଜକୁ ଭାରତ। ଭାରତ- ପାକିସ୍ତାନ ଉତ୍ତେଜନା ସ୍ଥିତି ବେଳେ ଏସିଆ କପ୍ ସନ୍ଦର୍ଭରେ ଏଭଳି ବଡ଼ ନିଷ୍ପତ୍ତି ନେଇଛି ଭାରତ। କୂଟନୈତିକ, ଅର୍ଥନୈତିକ ବୟକଟ୍ ପରେ ଏବେ ସ୍ପୋର୍ଟରେ ବି ଏଭଳି ପଦକ୍ଷେପ ନେଲା ଭାରତ। ତେବେ ଏଭଳି ଚର୍ଚ୍ଚାରେ କେତେ ସତ୍ୟତା ଅଛି, ତାହା ପୁଷ୍ଟି ହୋଇନି। ବିସିସିଆଇ ଏସିଆ କପ ବାବଦରେ ବଡ଼ ନିଷ୍ପତ୍ତି ନେଇଛି। ଯଦି ଭାରତୀୟ ଟିମ୍ ଏସିଆ କପରେ ଭାଗ ନେବନି, ତାହେଲେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ବି ସାଜିବା ସମ୍ଭବ ନୁହେଁ। କାରଣ ଏହାର ଅଧିକାଂଶ ପ୍ରାୟୋଜକ ଭାରତରୁ। ଏସିଆ କପର ଶେଷ ସଂସ୍କରଣ ୨୦୨୩ରେ ଦିନିକିଆ ବିଶ୍ୱକପ୍ ପୂର୍ବରୁ ହାଇବ୍ରିଡ୍ ମଡେଲରେ ଖେଳାଯାଇଥିଲା। ଭାରତ-ପାକିସ୍ତାନ ଭିତରେ ଯଦିଓ ଅନିର୍ଦ୍ଦିଷ୍ଟ କାଳ ଯାଏ ଅସ୍ତ୍ରବିରତି ଘୋଷଣା ହୋଇସାରିଛି। ତଥାପି ଦୁଇ ଦେଶ ଭିତରେ ଉତ୍ତେଜନା ଜାରି ରହିଛି। ବିସିସିଆଇ ଏସିଆନ କ୍ରିକେଟ କାଉନସିଲ୍ ବା ଏସିସିକୁ ମୌଖିକ ଭାବରେ ଅବଗତ କରିଦେଇଥିଲା ଯେ, ଆସନ୍ତା ପୁରୁଷ ଏସିଆ କପ୍- ୨୦୨୫ରେ ଭାରତ ଖେଳିବନି। ଏହା ସହ ଏହାର ପ୍ରାୟୋଜକ ବି ସାଜିବନି। କେବଳ ଏତିକି ନୁହେଁ। ମହିଳା ଇମର୍ଜିଂ ଟିମ୍ସ ଏସିଆ କପ୍ ୨୦୨୫ରେ ବି ଭାଗ ନେବନି ଭାରତ। ଯାହା ଆସନ୍ତା ମାସ ଶ୍ରୀଲଙ୍କାରେ ଆୟୋଜିତ ହେବାର ଥିଲା। ଭାରତ ଏଥିରେ ଭାଗ ନେଉନଥିବାରୁ ଓ୍ୱେମେନ୍ସ ଇମର୍ଜିଂ ଟିମ୍ସ ଏସିଆ କପକୁ ବି ରଦ୍ଦ କରିଦିଆଗଲା। ଆଉ ସେପ୍ଟେମ୍ୱରରେ ପୁରୁଷ ଏସିଆ କପ୍ ଆୟୋଜନ କଥା ଉଠୁଥିଲା ବେଳେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଏସିସି ବୈଠକରେ ନିଆଯିବ। ଏସିଆନ କ୍ରିକେଟ କାଉନସିଲ ଅଧ୍ୟକ୍ଷ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭି ଅଟନ୍ତି। ଯିଏ ପାକିସ୍ତାନ କ୍ରିକେଟ ବୋର୍ଡ ପିସିବିର ଅଧ୍ୟକ୍ଷ ବି ଅଟନ୍ତି। ଏସିଆ କପରେ ଭାରତ ଭାଗ ନ ନେଲେ ଏହି ଟୁର୍ଣ୍ଣାମେଣ୍ଟ ଅସମ୍ଭବ ଅଟେ। ଏଭଳି ଇଣ୍ଟରନାସନାଲ ମ୍ୟାଚର ଅଧିକାଂଶ ପ୍ରାୟୋଜକ ଭାରତର। ଭାରତ-ପାକିସ୍ତାନ ମ୍ୟାଚ ଜରିଆରେ ବ୍ରଡକାଷ୍ଚରଙ୍କୁ ବିପୁଳ ଫାଇଦା ହୋଇଥାଏ। ଆଉ ଭାରତ ପଛକୁ ହଟିଗଲେ, ବ୍ରଡକାଷ୍ଟର ବି ପଛକୁ ହଟିଯିବେ। ଗଲା ବର୍ଷ ଏସିଆ କପର ରାଇଟ୍ସ ସୋନି ପିକଚର୍ସ ନେଟଓ୍ୱର୍କ ଇଣ୍ଡିଆ ୧୭୦ ମିଲିୟନ ଆମେରିକୀୟ ଡଲାରରେ ହାସିଲ୍ କରିଥିଲା। ଯାହା ୮ ବର୍ଷ ଲାଗି ହୋଇଛି। ଯଦି ଏସିଆ କପ୍ ୨୦୨୫ର ଆୟୋଜନ ନହୁଏ, ତା ହେଲେ ଏଭଳି ଡିଲ୍ ଉପରେ ପୁଣି ଥରେ କାମ କରିବାକୁ ପଡ଼ିବ ସୋନିକୁ। ଏସିସିରେ ମୋଟ୍ ୫ ମେମ୍ୱର ଅଛନ୍ତି। ଭାରତ, ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ। ବ୍ରଡକାଷ୍ଟରଙ୍କ ଜରିଆରେ ହେଉଥିବା ଆୟକୁ ଏହି ୫ଟି ଦେଶକୁ ୧୫ ପ୍ରତିଶତ ଲେଖାଏଁ ମିଳିଥାଏ। ଆଉ ବାକି ରାଶି ଏସୋସିଏଟ୍ସ ଓ ସଂପୃକ୍ତ କମ୍ପାନୀଙ୍କ ଭିତରେ ବଣ୍ଟନ କରାଯାଏ। ଏସିଆ କପର ଆୟୋଜନ ସେପ୍ଟେମ୍ୱର ଭାରତ କରିବାକୁ ଧାର୍ଯ୍ୟ ହୋଇଥିଲା। ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି, ବୋର୍ଡ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅନୁପାଳନ କରିବ। ଯଦି ଏସିଆ କପରେ ପାକିସ୍ତାନ ଭାଗ ନେବାକୁ କଥା ତୁଟେ। ତାହେଲେ ଟୁର୍ଣ୍ଣାମେଣ୍ଟ ପୁରା ନ୍ୟୁଟ୍ରାଲ୍ ଭେନ୍ୟୁରେ ଖେଳାଯିବ। ଦୁବାଇ ନଚେତ ଶ୍ରୀଲଙ୍କା ସମ୍ଭାବ୍ୟ ଭେନ୍ୟୁ ହୋଇପାରେ।୨୦୨୩ରେ ଭାରତ-ପାକିସ୍ତାନ ଗୋଟିଏ ଗୃପରେ ଥିଲେ। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ଚାମ୍ପିଅନ୍ ହୋଇଥିଲା। ବିସିସିଆଇ ସଚିବ ଦେବଜିତ୍ ସାଇକିଆ କହିଛନ୍ତି, ଏସିଆ କପ୍ ସନ୍ଦର୍ଭରେ କୌଣସି ନିଷ୍ପତ୍ତି ହୋଇନି। ଏହା କେବଳ ମିଡିଆରେ ଚର୍ଚ୍ଚା ଓ ମିଡିଆର ଆକଳନ। ଏବେ ଆଇପିଏଲ ମ୍ୟାଚକୁ ସୁରୁଖୁରୁରେ ସାରିବା ସହ ଆସନ୍ତା ମାସରେ ଫାଇଭ୍ ସିରିଜ ଟେଷ୍ଟ ମ୍ଯାଚ୍ ଇଂଲଣ୍ଡ ବିରୁଦ୍ଧରେ ଖେଳିବାକୁ ଭାରତ ଫୋକସ କରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now