ପତ୍ନୀକୁ ଦେଢ଼ ଲକ୍ଷ, ଝିଅକୁ ଅଢ଼େଇ ଲକ୍ଷ- ଭରଣପୋଷଣ ରାଶି ଦେବେ ସାମି

ପତ୍ନୀଙ୍କ ପାଇଁ ଦେଢ଼ ଲକ୍ଷ। ଝିଅ ପାଇଁ ଅଢ଼େଇ ଲକ୍ଷ। ଆଲିପୁର କୋର୍ଟ କେଉଁ ଆଧାରରେ ଏତେ କମ୍ ଭରଣପୋଷଣ ରାଶି ସ୍ଥିର କଲେ ବୋଲି କୋଲକାତା ହାଇକୋର୍ଟ ପଚାରିଛନ୍ତି। ସଂଶୋଧିତ ଆଦେଶରେ କୁହାଯାଇଛି, ପୂର୍ବ ରାୟରେ ସଂଶୋଧନର ଆବଶ୍ୟକତା ଅଛି। ଭାରତର ଷ୍ଟାର ବୋଲର ମହମ୍ମଦ ସାମି ଓ ତାଙ୍କ ପୂର୍ବତନ ପତ୍ନୀ ହସିନ ଜହାନଙ୍କ ମାମଲାରେ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। କୋଲକାତା ହାଇକୋର୍ଟ ସାମିଙ୍କୁ ଆଦେଶ ଦେଇଛନ୍ତି ଯେ, ସେ ହସିନ ଜାହାନଙ୍କୁ ମାସିକ ୪ଲକ୍ଷ ଟଙ୍କା ମାସିକ ଭରଣପୋଷଣ ଭତ୍ତା ଦେବେ। ଜଷ୍ଟିସ ଅଜୟ କୁମାର ମୁଖାର୍ଜୀଙ୍କ ଖଣ୍ଡପୀଠ ଆଦେଶ ଦେଇଛନ୍ତି ଯେ, ହସିନ ଜାହାଁଙ୍କୁ ଭରଣପୋଷଣ ବାବଦକୁ ମାସିକ ଦେଢ଼ ଲକ୍ଷ ଓ ତାଙ୍କ ନାବାଳିକା ଝିଅକୁ ଦେଖାଶୁଣା ଓ ଅନ୍ୟାନ୍ୟ ଖର୍ଚ୍ଚ ଲାଗି ଅଢ଼େଇ ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। ହସିନ ଜହାଁ କୋଲକାତାର ଅଲିପୁର କୋର୍ଟ ଦେଇଥିବା ୨୦୧୮ର ରାୟ ବିରୁଦ୍ଧରେ ଅପିଲ୍ କରିଥିଲେ। ଯେଉଁ ରାୟରେ କୁହାଯାଇଥିଲା, ପ୍ରତି ମାସରେ ହସିନଙ୍କୁ ୫୦ହଜାର ଟଙ୍କା ଓ ତାଙ୍କ ଝିଅକୁ ଖର୍ଚ୍ଚ ଲାଗି ଅତିରିକ୍ତ ୮୦ହଜାର ଟଙ୍କା ଦେବେ ସାମି। ହସିନ ଜହାନ ମୋଟ୍ ୧୦ଲକ୍ଷ ଟଙ୍କା ମାଗିଥିଲେ। ନିଜ ଲାଗି ୭ ଲକ୍ଷ ଓ ଝିଅ ପାଇଁ ୩ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ତଳ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହସିନ ନିଜ ଅପିଲରେ ଯୁକ୍ତି ବାଢ଼ିଥିଲେ ଯେ, ସାମିଙ୍କ ଆର୍ଥିକ ସ୍ଥିତି ବେଶ୍ ଭଲ। ସାମି ଅଧିକ ଭରଣପୋଷଣ ରାଶି ଦେଇପାରିବେ। କାରଣ ୨୦୨୧ ଆର୍ଥିକ ବର୍ଷରେ ସାମିଙ୍କ ଆୟକର ରିଟର୍ଣ୍ଣ ମୁତାବକ, ସାମିଙ୍କ ବାର୍ଷିକ ଆୟ ପ୍ରାୟ ୭କୋଟି। ଅର୍ଥାତ ମାସକୁ ୬୦ଲକ୍ଷ ଟଙ୍କା ଆୟ। ହସିନ ଜହାନ ଦାବି କରିଥିଲେ, ତାଙ୍କ ଝିଅର ମାସିକ ଖର୍ଚ୍ଚ ୬ଲକ୍ଷ ଟଙ୍କା। ଦଲିଲ ଶୁଣାଣୀ ପରେ ହାଇକୋର୍ଟ ହସିନ ଜହାନଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ସହ କହିଛନ୍ତି ଯେ, ସାମି ନିଜ ଝିଅର ଶିକ୍ଷା ଓ ଭବିଷ୍ୟତ ଲାଗି ଯାହା ଜରୁରୀ, ନିଜ ପକ୍ଷରୁ ଅତିରିକ୍ତ ରାଶି ଦେଇପାରିବେ। ଅଲିପୁର କୋର୍ଟ ବି କେଉଁ ଆଧାରରେ କମ୍ ଅର୍ଥରାଶି ଦେବାକୁ ଆଦେଶ ଦେଇଥିଲେ, ଏହା ସ୍ପଷ୍ଟ କରିନାହାନ୍ତି। ସେଥିଲାଗି ଏହି ରାୟରେ ସଂଶୋଧନର ଆବଶ୍ୟକତା ଅଛି। ୨୦୧୪ରେ କୋଲକାତା ନାଇଟ ରାଇଡର୍ସର ପୂର୍ବତନ ମଡେଲ ଓ ଚିଅରଲିଡର ହସିନ ଜହାନ ଓ ମହମ୍ମଦ ସାମିଙ୍କ ଭିତରେ ବିବାହ ହୋଇଥିଲା। ୨୦୧୫ରେ ଗୋଟିଏ ଝିଅ ଜନ୍ମ ହୋଇଥିଲା। ୨୦୧୮ରେ ତାଙ୍କ ସମ୍ପର୍କ ଭିତରେ ତିକ୍ତତା ସୃଷ୍ଟି ହୋଇଥିଲା। ହସିନ ଜହାନ ମହମ୍ମଦ ସାମିଙ୍କ ଉପରେ ଘରୋଇ ହିଂସା, ଯୌତୁକ ଉତ୍ପୀଡ଼ନ ଓ ମ୍ୟାଚ ଫିକ୍ସିଂର ଆରୋପ ଲଦିଥିଲେ। ସାମି ଘରକୁ ଫାଇନାନ୍ସିଆଲ ସପୋର୍ଟ ଦେବାକୁ ବି ବନ୍ଦ କରିଦେଇଥିଲେ ସାମି। ୨୦୨୩ରେ ସାମି ନିଜ ଝିଅ ଆୟରାଙ୍କୁ ଲମ୍ୱା ସମୟ ପରେ ଭେଟିବା ପରେ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *