
କିରାଡପୁରା: ମହାରାଷ୍ଟ୍ରର ସାମ୍ଭାଜିନଗରର କିରାଡପୁରାରେ ଗତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ସ୍ଥିତି ଅଣାୟତ ହୋଇଯାଇଥିଲା। ଘଟଣାସମ୍ପର୍କରେ ସୂଚନା ପାଇ ପୁଲିସ ସେଠାରେ ପହଞ୍ଚିବାରୁ ଲୋକଙ୍କ ଆକ୍ରମଣର ହୋଇଛି ଶିକାର। ଲୋକେ ପୁଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ। ପରେ ପୁଲିସ ପ୍ଲାଟୁନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିବାରେ ହୋଇଥିଲା ସକ୍ଷମ। ହିଂସା ଘଟାଇଥିବା ଲୋକଙ୍କୁ ଧରିବାକୁ ପୁଲିସ ୧୦ଟି ଟିମ ଗଠନ କରିଛି।
ପୁଲିସ ସୂଚନା ମୁତାବକ, ଏହି ହିଂସାକାଣ୍ଡରେ ୫୦୦-୬୦୦ ଲୋକ ସାମିଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ କମିଶନର ନିଖିଳ ଗୁପ୍ତା କହିଛନ୍ତି କି, ଏହି ଘଟଣା କିରାଡପୁରାରେ ହୋଇଛି, ଯେଉଁଠି ପ୍ରସିଦ୍ଧ ରାମ ମନ୍ଦିର ରହିଛି। ହିଂସାକାରୀ ୬-୭ ଗାଡିକୁ କ୍ଷତି ପହଞ୍ଚାଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି। ଲୋକଙ୍କୁ ଘଟଣାସ୍ଥଳରୁ ଘଉଡାଇବାକୁ ପୁଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସହ ଶାନ୍ତି ଫେରିଥିବା ସୂଚନା ଦେଇଛନ୍ତି କମିଶନର।
ସେପଟେ ରାମନବମୀ ଓ ରମଜାନକୁ ଦୃଷ୍ଟିରେ ରଖି କ୍ଷତିଗ୍ରସ୍ତ ଗାଡିକୁ ଘଟଣାସ୍ଥଳରୁ ହଟାଇ ଦିଆଯାଇଛି ତଥା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସମ୍ଭାଜୀନଗରରୁ ଏଆଇଏମଆଇଏମ ସାଂସଦ ଇମତିୟାଜ ଜଲିଲ ଲୋକଙ୍କୁ ରାମନବମୀ ତଥା ରମଜାନ ପରି ପବିତ୍ର ପର୍ବ ଅବସରରେ ଲୋକଙ୍କୁ ନିଜ ନିଜ ଘରେ ରହି ସହରରେ ଶାନ୍ତି ପ୍ରତିଷ୍ଠା କରିବାକୁ କରିଛନ୍ତି ଅପିଲ।