ନେପାଳୀ ଛାତ୍ରୀ ଆତ୍ମହତ୍ୟା, ନେପାଳ ଛାତ୍ରଛାତ୍ରୀଙ୍କ ପ୍ରତି କିଟ୍ର ଅମାନବୀୟ ଆଚରଣ ଲାଗି ସବୁଠି ହୁଲସ୍ତୁଲ ହେଉଛି। କ୍ୟାମ୍ପସ ସ୍ୱାଭାବିକ, ସ୍ଥିତି ସୁଧୁରିଲାଣି ବୋଲି କିଟ୍ କର୍ତ୍ତୃପକ୍ଷ ଯେତେ ସଫେଇ ଦେଲେ ବି ବାସ୍ତବ କଥା ଭିନ୍ନ। ମାନବାଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି ନ୍ୟାୟ ମାଗିଛନ୍ତି ନେପାଳ ମାନବାଧିକାର ଆୟୋଗ। ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଛନ୍ତି ନେପାଳ ମାନବାଧିକାର କମିଶନ।
ସେପଟେ କିଟ୍ ବିରୁଦ୍ଧରେ ସରକାରୀ ଆକ୍ସନ, ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରାଇ ଆଣିବା ଦିଗରେ ପ୍ରୟାସ ଓ ସର୍ବୋପରି ନେପାଳ ସରକାର କେତେଦୂର ସନ୍ତୁଷ୍ଟ ହୋଇଛନ୍ତି, ତାକୁ ନେଇ ସନ୍ଦେହୀ ଆଖିରେ ଦେଖିଛି କଂଗ୍ରେସ। କାରଣ କିଟ୍ କାଣ୍ଡ ଲାଗି ବିଶ୍ୱରେ ନାଁ ମଳିନ ହୋଇଗଲା। ଆତ୍ମସନ୍ତୋଷ ଲାଗି ସରକାର କେବଳ ଗଣମାଧ୍ୟମରେ ବିବୃତ୍ତି ଝାଡ଼ୁଛନ୍ତି। କିନ୍ତୁ ନିର୍ଯାସ ନାହିଁ। ଅପରାଧୀଙ୍କ ପ୍ରତି ଆକ୍ସନ ନେବା ସହ ଶାନ୍ତିପୂର୍ଣ୍ଣ ବାତାବରଣ ଫେରାଇ ଆଣନ୍ତୁ ସରକାର ବୋଲି କଂଗ୍ରେସ କହିଛି। ବିଜେଡି କହିଛି, କିଟ୍ ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫେଲ୍ ମାରିଛନ୍ତି। ନେପାଳ ଆଜି ପ୍ରତିକ୍ରିୟାଶୀଳ ହେବା ପଛରେ କିଟ୍ କର୍ତ୍ତୃପକ୍ଷ ଯେତିକି ଦାୟୀ, ରାଜ୍ୟ ସରକାର ସେତିକି ଦାୟୀ। ସଠିକ୍ ଢଙ୍ଗରେ ଦାୟିତ୍ୱ ନିର୍ବାହ ସହ ପରିସ୍ଥିତିକୁ ମୁକାବିଲା କରିପାରିନଥିବାରୁ ତ ନେପାଳ ମାନବାଧିକାର ଆୟୋଗ ବାଧ୍ୟ ହୋଇ ଚିଠି ଲେଖିଲେ। ଛାତ୍ରଛାତ୍ରୀଙ୍କ ଭରସା ଜିତି ସେମାନଙ୍କ କ୍ୟାରିଅର ଗଠନରେ ସହଯୋଗ କରନ୍ତୁ ସରକାର। ଶାସକ ଦଳ କହିଛି, ନେପାଳ ସହ ଭାରତର ସମ୍ପର୍କ କିଛି ଖରାପ ହେବନି। ମାନବାଧିକାର କମିଶନ ଯାହା ତଥ୍ୟ ମାଗିବେ, ଯୋଗାଇ ଦିଆଯିବ। ନେପାଳ ଛାତ୍ରଛାତ୍ରୀ ଓଡ଼ିଶା ଆସିବାକୁ ଅମଙ୍ଗ ଅଭିଯୋଗ ସତ ନୁହେଁ। କିଟ୍ ଘଟଣାରେ କାହାକୁ କ୍ଷମା କରିବାର ପ୍ରଶ୍ନ ଉଠୁନି।ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ସଂକଳ୍ପବଦ୍ଧ।
କିଟ୍ ର ଅମାନବୀୟ ଆଚରଣ ଲାଗି ନେପାଳ ମାନବାଧିକାର କମିଶନ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ନିରନ୍ତର ନେପାଳ ସରକାରଙ୍କ ସହ ଯୋଗସୂତ୍ରରେ ରହି ସ୍ଥିତି ଓ ସମ୍ପର୍କକୁ ସ୍ୱାଭାବିକ କରିବା ସହ ଓଡ଼ିଶାରେ ନେପାଳ ଛାତ୍ରଛାତ୍ରୀ ସୁରକ୍ଷିତ ବୋଲି ଦର୍ଶାଇବାକୁ ଲାଗିଛନ୍ତି। ତେବେ କଥା ପଡ଼ିଛି। ଅସଲ କାର୍ପଟଦାର ଏବେ ବି ସରକାରୀ ଆକ୍ସନର ପଞ୍ଝାରେ ପଡ଼ିନାହାନ୍ତି। ତାହେଲେ ପୂର୍ବର ଭରସା କେମିତି ଆସିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now