ରାତାରାତି କ୍ୟୁ-ଆର୍ କୋଡ୍ ବଦଳାଇ ଚୋରୀର ନୂଆ ଟେକ୍ନିକ୍ ଆପଣାଇଥିଲା ଦୁର୍ବୃତ୍ତ। କିନ୍ତୁ ଏଭଳି ଗ୍ୟାଙ୍ଗର ଫର୍ଦ୍ଦାଫାସ କରିଦେଲା ପୁଲିସ। ମଧ୍ୟପ୍ରଦେଶର ଛତରପୁରର ଖଜୁରାହୋରେ ପୁଲିସ ଏଭଳି ଗ୍ୟାଙ୍ଗକୁ ଧରିଛି। କ୍ୟୁ-ଆର୍ କୋଡ୍ ବଦଳାଇ ଦୋକାନୀଙ୍କୁ ଚୂନ ଲଗାଉଥିଲେ। ସାଇବର ଅପରାଧର ନୂଆ ଦିଗକୁ ଉନ୍ମୋଚନ କରିଛି ପୁଲିସ। ରାତିରେ ଦୋକାନ ବାହାରେ ଲାଗିଥିବା କ୍ୟୁଆର କୋଡକୁ ବଦଳାଇଦେଉଥିଲା ଧୂର୍ତ୍ତ। ଏଭଳି କରି ପ୍ରାୟ ୧୦ରୁ ୧୨ଜଣ ଦୋକାନୀଙ୍କୁ ଚୂନ ଲଗାଇଥିଲା ଠକ। ଦୋକାନୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ବଦଳରେ ସିଧା ଠକର ଆକାଉଣ୍ଟକୁ ଟଙ୍କା ଯାଉଥିଲା। ତେବେ ଏଭଳି ଠକର ଠକାମୀକୁ ଜଣେ ଔଷଧ ଦୋକାନୀଙ୍କ ସନ୍ଦେହ ଧରାପକାଇଦେଇଥିଲା। ଯେତେବେଳେ ଦୋକାନୀ ଜାଣିଲେ ଯେ, ତାଙ୍କ ଗ୍ରାହକ ଦେଉଥିବା ଟଙ୍କା ତାଙ୍କ ଆକାଉଣ୍ଟରେ ପହଞ୍ଚୁନି। ସେଥିଲାଗି ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲେ। ଆଉ ଦେଖିବାକୁ ପାଇଥିଲେ ଯେ, ଠକ ରାତିରେ ତାଙ୍କ ଦୋକାନ ବାହାରେ ଲାଗିଥିବା କ୍ୟୁଆର୍ କୋଡ୍ ବଦଳାଉଛି। ଏହା ଦେଖି ଦୋକାନୀ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଆଉ ଯାଞ୍ଚ ପରେ ଜଣାପଡ଼ିଲା ଯେ, ସଂପୃକ୍ତ ଠକ ଅନେକ ଦୋକାନରେ ଲାଗିଥିବା କ୍ୟୁଆର୍ କୋଡ୍ର ସ୍କାନରକୁ ବଦଳାଇଦେଇଛି। ଆଉ ଅଭିଯୁକ୍ତ ଛୋଟା ତିୱାରୀକୁ ଗିରଫ କରି ଜେରା ପରେ ସବୁ ସତ ଓଗାଳିଥିଲା। ଅଭିଯୁକ୍ତ କହିଛି ଯେ, ସେ ଓ ତାଙ୍କ ସାଥୀ କାମଧନ୍ଦା ଅନ୍ୱେଷଣରେ ଆସିଥିଲେ। କାମ ନ ପାଇବାରୁ ଏଭଳି ଅଭିନବ ଢଙ୍ଗରେ ଠକିବାକୁ ଯୋଜନା କରିଥିଲେ। ସେଥିଲାଗି ଅବିକଳ କ୍ୟୁଆର କୋଡ୍ ତିଆରି କରି ଦୋକାନ ଆଗରେ ମାରିଦେଇ ଟଙ୍କା ସିଧା ନିଜ ଆକାଉଣ୍ଟକୁ ନେଇଯାଉଥିଲେ। ଛତରପୁର ଏସପି କହିଛନ୍ତି, ଏଭଳି ଠକାମୀ କେବଳ ଏଠାରେ କରିଛନ୍ତି ନା ଏଥିରେ ପୁରା ଗ୍ୟାଙ୍ଗ ସାମିଲ୍ ହୋଇ ଆଉ କେଉଁ ଜାଗାରେ ଏଭଳି କରିଛନ୍ତି, ଛାନଭିନ ଜାରି ରହିଛି। ଏହା ସହ ଦୋକାନୀ ଓ ବେପାରୀଙ୍କୁ ପୁଲିସ ଅପିଲ କରିଛି ଯେ, ନିଜର ଡିଜିଟାଲ ପେମେଣ୍ଟ ସିଷ୍ଟମର ନିୟମିତ ଯାଞ୍ଚ କରନ୍ତୁ। ଆଉ କୌଣସି ସନ୍ଦିଗ୍ଧ ଗତିବିଧି ଦେଖିଲେ ତୁରନ୍ତ ପୁଲିସକୁ ସୂଚନା ଦିଅନ୍ତୁ।
ଅନେକ ଦୋକାନୀଙ୍କ ପୁରୁଣା ସ୍କାନର ଉପରେ ନୂଆ ସ୍କାନର ଲଗାଇଦେଉଥିଲେ ଦୁର୍ବୃତ୍ତ। ଆଉ ଦୋକାନ ଖୋଲିବା ମାତ୍ରେ ଗ୍ରାହକ ଅନଲାଇନରେ ପୈଠ କରୁଥିବା ଟଙ୍କା ସିଧା ଏମାନଙ୍କ ଆକାଉଣ୍ଟକୁ ଚାଲିଯାଉଥିଲା। କେବଳ ଦୋକାନରେ ନୁହେଁ, ପେଟ୍ରୋଲ ପମ୍ପରେ ବି ନକଲି କ୍ୟୁଆର୍ ସ୍କାନର ଲଗାଇଥିଲେ। ତେଲ ପକାଇବାକୁ ଆସି ଲୋକେ ଯେତେବେଳେ ଡିଜିଟାଲ ପେମେଣ୍ଟ କଲେ, ଟଙ୍କା ଆକାଉଣ୍ଟକୁ ନ ଯାଇ ଛୋଟୁତି଼ଓ୍ୱାରୀକୁ ଯାଉଥିଲା। ସେଥିଲାଗି ସ୍କାନର ପିଙ୍ଗିଦେଇଥିଲେ ପେଟ୍ରାଲ ପମ୍ପ କର୍ମଚାରୀ। କିନ୍ତୁ ପୁଲିସରେ କୌଣସି ଅଭିଯୋଗ କରିନଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now