ଆପଣମାନେ ଶୁଣୁଥିବେ ଭୂତ ଭତ୍ତା ଖାଉଛନ୍ତି । କିନ୍ତୁ ଏଠି ଜୀବିତଙ୍କୁ ମୃତ ଘୋଷଣା କରି ଭତ୍ତା କାଟି ଦେଇଛନ୍ତି ବ୍ଲକ କର୍ମଚାରୀ । କଟକ ଜିଲ୍ଲା ଆଠଗଡ଼ ବ୍ଳକରେ ଦେଖିବାକୁ ମିଳିଛି ଏହିଭଳି ଘଟଣା । ବଞ୍ଚି ଥାଉ ଥାଉ ୨ ଜଣ ହିତାଧିକାରୀଙ୍କୁ ମୃତ ଦର୍ଶାଇ ବନ୍ଦ କରା ଯାଇଛି ବାର୍ଦ୍ଧକ୍ୟ ଭତ୍ତା । ମହାଦେବ ଘରେ ଘାଉଡ ବା ସର୍ପାଘାତ ଭଳି ଲୋକଉକ୍ତି ସତ ପ୍ରମାଣି ହୋଇଛି । ପ୍ରଥମେ ନଜର ପକାନ୍ତୁ ଏ ଦୃଶ୍ୟକୁ, ଏ ହେଉଛନ୍ତି ଆଠଗଡ଼ ପଞ୍ଚାୟତ ସମିତିର ଭାଇସ ଚେୟାରମ୍ୟାନ ସୁବାଷ ଚନ୍ଦ୍ର ମଲ୍ଲିକଙ୍କ ବାପା ବସନ୍ତ ମଲ୍ଲିକ ମହାକାଳବସ୍ତ ଗ୍ରାମ ପଞ୍ଚାୟତର ବାସିନ୍ଦା ଅଟନ୍ତି । ୭୨ ବର୍ଷୀୟ ଏହି ବୃଦ୍ଧ ଗାଁ ରାସ୍ତାରେ ଚଲା ବୁଲା କରୁଛନ୍ତି । ହାତରେ ଭତ୍ତା ବହି ଏବଂ ଆଧାର ପ୍ରମାଣପତ୍ର ମଧ୍ୟ ଧରିଛନ୍ତି। ଦୀର୍ଘ ବର୍ଷ ହେବ ଭତ୍ତା ପାଇ ଆସୁଛନ୍ତି କିନ୍ତୁ ପ୍ରଶାସନ ଏବେ ତାଙ୍କୁ ମୃତ ଘୋଷଣା କରି ଭତ୍ତା ବନ୍ଦ କରିଛି । ୨ୟ ଦୃଶ୍ୟ ମଧ୍ୟ ସେହିପରି ମହାକାଳବସ୍ତ ପଞ୍ଚାୟତ ଅଧିନ ପର୍ଶୁରାମପୁର ଗ୍ରାମର ହରେକୃଷ୍ଣ ସାହୁ ଜଣେ ବୃଦ୍ଧ ଅଟନ୍ତି । ତାଙ୍କର ମଧ୍ୟ ଭତ୍ତା ବନ୍ଦ କରିଛି ପ୍ରଶାସନ । ପଚାରିଲେ କୁହନ୍ତି ପ୍ରଶାସନ ଖାତାରେ ମୁଁ ମରିଯାଇଛି। ତେଣୁ ମୋ ଭତ୍ତା କାଟି ଦେଇଛନ୍ତି। ଆମେ ବଞ୍ଚିଛୁ ଆମକୁ ନ୍ୟାୟ ଦିଅ ଏବଂ ଆମର ଭତ୍ତା ପୁଣିଥରେ ମିଳିବା ବ୍ୟବସ୍ଥା କରାଯାଉ ।
ଆଠଗଡ଼ ବ୍ଳକରେ କେନ୍ଦ୍ରୀୟ ଯୋଜନାରେ ଆକାଉଣ୍ଟ ମାଧ୍ୟମରେ ୧୦ ହଜାର ହିତାଧିକାରୀ ଭତ୍ତା ପାଉଥିବା ବେଳେ ମଧୁବାବୁ ପେନସନ ଯୋଜନାରେ ୧୩ ହଜାର ୯ ଶହ ୩୭ ଜଣ ଭତ୍ତା ପାଇଛନ୍ତି । ବର୍ତ୍ତମାନ ୪ ଶହରୁ ଉର୍ଦ୍ଧ ହିତାଧିକାରୀ ଭତ୍ତା ପାଇବା ପାଇଁ ଆବେଦନ କରିଥିବା ଜଣାପଡ଼ିଛି । କିନ୍ତୁ ଏହି ଦୁଇ ଜଣ ଜୀବିତ ଥିଲେ ମଧ୍ୟ ମୃତ ଦର୍ଶାଇ ଭତ୍ତା ବନ୍ଦ କରିବାକୁ ନେଇ ଆଠଗଡ଼ ବିଡିଓ ଆକାଶ କୁମାର ପଣ୍ଡା କହିଛନ୍ତି ଘଟଣାର ତଦନ୍ତ ହେବ । ଏବଂ ଦୁଇ ଜଣ ହିତାଧିକାରୀଙ୍କୁ ପୁର୍ନବାର ଭତ୍ତା ମିଳିବା ପାଇଁ ବ୍ୟବସ୍ଥା କରାଯିବ ।
ଜୀବନ୍ତ ବ୍ୟକ୍ତି ଙ୍କୁ ମୃତ ଘୋଷଣା କରିଛନ୍ତି ଖୋଦ ବ୍ଲକ କର୍ମଚାରୀ। ବିଡ଼ିଓ କହିଛନ୍ତି ବ୍ଲକ ର ଯେଉଁ ଅଧିକାରୀ ଏଭଳି ଭୁଲ ତଥ୍ୟ ଦେଇଛନ୍ତି ତାଙ୍କ ବିରୋଧରେ କଡା ପଦକ୍ଷେପ ନିଆଯିବ। ଏବଂ ହିତାଧିକାରୀଙ୍କୁ ଭତ୍ତା ଦିଆଯିବ। ଏବେ ଦେଖିବାକୁ ବାକି ରହିଲା ବ୍ଲକ କର୍ମଚାରୀଙ୍କ ବିରୋଧରେ କି ପଦକ୍ଷେପ ନିଆଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now