ପଟିଆଲାରେ ସେନାର ଜଣେ କର୍ଣ୍ଣେଲଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ନେଇ ତେଜୁଛି ନିଆଁ। କର୍ଣ୍ଣେଲ ପୁଷ୍ପିନ୍ଦର ସିଂ ବାଠ ଓ ତାଙ୍କ ପୁଅ ସହ ମାଡ଼ ମାରିବା ମାମଲାରେ ଏତଲା ହୋଇଛି। ଏହାର ଯାଞ୍ଚ ଲାଗି ଏସଆଇଟି ଗଠନ ହୋଇଛି। ପାର୍କିଂ ବିବାଦକୁ କେନ୍ଦ୍ର କରି ପୁଷ୍ପିନ୍ଦର ଓ ତାଙ୍କ ପୁଅ ସହ ମାଡ଼ପିଟ୍ କରିଥିଲା ପୁଲିସ। କର୍ଣ୍ଣେଲଙ୍କ ପତ୍ନୀ ନ୍ୟାୟ ଲାଗି ପଞ୍ଜାବ ରାଜ୍ୟପାଳ ଗୁଲାବ ଚାନ୍ଦ କଟରିଆଙ୍କୁ ଭେଟିବାର ଦିନକ ପରେ ଏହି ଏତଲା ରୁଜୁ ହୋଇଛି। ଡିଜିଙ୍କ ସହ କଥା ହୋଇ ଏହାକୁ ପ୍ରାଥମିକତା ଭିତ୍ତିରେ ଏତଲା କରି ଆକ୍ସନ ନେବାକୁ ନିର୍ଦେଶ ଦେଇଥିଲେ ରାଜ୍ୟପାଳ। ଶୁକ୍ରବାର ଚଣ୍ଡୀଗଡ଼ରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କର୍ଣ୍ଣେଲଙ୍କ ପତ୍ନୀ ଭାବବିହ୍ୱଳ ହୋଇ ନିଜ ସ୍ୱାମୀ ଓ ପୁଅକୁ ନ୍ୟାୟ ଦିଅ ବୋଲି ଦାବି କରିଥିଲେ। ନିରପେକ୍ଷ ତଦନ୍ତ ପାଇଁ ଏସପିଏସ ପରମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଏସଆଇଟି ଗଠନ ହୋଇଛି। ପଟିଆଲା ଜିଲ୍ଲାରୁ ବାହାରକୁ ବଦଳି ସହ ଏହି ମାମଲାରେ ଅଭିଯୁକ୍ତ ସମସ୍ତ ୧୨ ପୁଲିସ କର୍ମୀଙ୍କୁ ନିଲମ୍ୱିତ କରିଦିଆଯାଇଛି। କର୍ଣ୍ଣେଲଙ୍କ ପତ୍ନୀ ଯଶବିନ୍ଦର କୌର ବି ପିଟିଥିବା ପୁଲିସ ଅଫିସରଙ୍କୁ ନିଜର ରୌଦ୍ର ରୂପ ଦେଖାଇଥିବାର ଭିଡ଼ିଓ ଭାଇରାଲ ହୋଇଛି। ତାଙ୍କ ସ୍ୱାମୀ ଓ ପୁଅକୁ ନିର୍ମମ ଭାବେ ମାଡ଼ ମାରିଥିବା ପୁଲିସ ଅଫିସରଙ୍କ ଉପରେ ଗର୍ଜିଛନ୍ତି। ଜଣେ ଅଫିସର ଭୁଲ୍ ମାଗିବାରୁ ତାଙ୍କୁ ପାଲଟା ଚାପୁଡ଼ା ମାରିଲେ କେମିତି ଲାଗିବ ବୋଲି କହି ନିଆଁବାଣ ହୋଇଯାଇଥିଲେ। ଏହାକୁ ନେଇ କୌଣସି ରାଜନୈତିକ ମୁଦ୍ଦା କରିବାକୁ ଚାହୁଁନଥିବା କଥା ଯଶବିନ୍ଦର କହିବା ସତ୍ତ୍ୱେ ବିଜେପି ଏହାକୁ ଗଣ୍ଠି କରିଛି। ପଟିଆଲା ଡେପୁଟି କମିଶନରଙ୍କ ଅଫିସ ଆଗରେ ବିଜେପି ନେତ୍ରୀ ପ୍ରୀନିତ କୌର ଶତାଧିକ ଏକ୍ସ-ସର୍ଭିସମ୍ୟାନଙ୍କୁ ଧରି ଆନ୍ଦୋଳନରେ ବସିଥିଲେ। ତୁରନ୍ତ ନ୍ୟାୟ ଦେବାକୁ ସ୍ମାରକପତ୍ର ଦେଇଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now