ପୁଲଓ୍ୱାମା ଆତଙ୍କି ଆକ୍ରମଣକୁ ୬ବର୍ଷ..

ପୁଲଓ୍ୱାମା ଆକ୍ରମଣକୁ ୬ ବର୍ଷ ପୂରଣ ହୋଇଛି। ସାରା ଦେଶ ଯବାନଙ୍କ ବଳିଦାନକୁ ମନେ ପକାଇଛି। ଫେବୃଆରୀ ୧୪ର ସେହି କଳା ଦିନରେ ୪୦ ଯବାନ ଶହୀଦ୍ ହୋଇଥିଲେ। ସିଆରପିଏଫର ଯବାନଙ୍କ ଉପରେ ଆତଙ୍କି ଆକ୍ରମଣ ହୋଇଥିଲା। ଜୈସ-ଏ-ମହମ୍ମଦ ସଂଗଠନର ଆଦିଲ୍ ଅହମ୍ମଦ ଆତ୍ମଘାତୀ ଆକ୍ରମଣ କରି ବିସ୍ଫୋରକ ଭର୍ତ୍ତି ଗାଡ଼ିରେ ସିଆରପିଏଫ ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଜମ୍ମୁରୁ ଶ୍ରୀନଗର ଯାଉଥିଲା ସିଆରପିଏଫର ୭୮ଟି ବସ୍। ଯେଉଁଥିରେ ପ୍ରାୟ ୨୫ଶହ ଯବାନ ଥିଲେ। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ୍ ଆଦିଲ ଓ ତା ସହଯୋଗୀଙ୍କୁ ଯବାନ ମାରିଦେଇଥିଲେ।  ଏହି ଘଟଣା ପରଠୁ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ଅଧିକ ବଢ଼ିଥିଲା। ଏହି ଆକ୍ରମଣର ୧୨ ଦିନ ପରେ ପୁଲଓ୍ୱାମାର ପ୍ରତିଶୋଧ ନେଇଥିଲା ଭାରତ। ଫେବୃଆରୀ ୨୬, ୨୦୧୯ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଥିବା ଜୈସ-ଏ-ମହମ୍ମଦର ଆତଙ୍କି ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଭାରତୀୟ ବାୟୁସେନା ପ୍ରାୟ ହଜାରେ କିଲୋଗ୍ରାମର ବିସ୍ଫୋଟକ ପକାଇ ଆତଙ୍କି ଶିବିରକୁ ଧ୍ୱଂସ କରିବା ସହ ଆତଙ୍କିକୁ ମାରିଥିଲା। ଏନଆଇଏ ଏହାର ଯାଞ୍ଚ କରି ୧୩ହଜାର୫ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଆତଙ୍କି ବିରୁଦ୍ଧରେ ଲଢ଼େଇ ଲାଗି ଅନେକ ରାଷ୍ଟ୍ର ଭାରତକୁ ସମର୍ଥନ କରିଥିଲେ। ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଆତଙ୍କିଙ୍କୁ ମୂଳପୋଛ ଲାଗି ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛନ୍ତି ସରକାର। ସାରା ଦେଶରେ ଶହୀଦଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରାଯାଇଛି। ଭୁବନେଶ୍ୱରରେ ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପକ୍ଷରୁ ଶହୀହଙ୍କ ସ୍ମୃତି ଉଦ୍ଦେଶ୍ୟରେ  ତ୍ରିରଙ୍ଗା ଯାତ୍ରା ନାଁରେ ମାରାଥନ ଆୟୋଜିତ ହୋଇଥିଲା।  ଏହି ମାରାଥନ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ପ୍ରଦର୍ଶନୀ ପଡ଼ିଆ ଯାଏ ହୋଇଥିଲା। ବରଗଡ଼ରେ ଏହି ଉପଲକ୍ଷେ ସଂକଳ୍ପ ପରିବାର ପକ୍ଷରୁ ବଳିଦାନ ଦିବସ ପାଳିତ ହୋଇଛି। ଯବାନଙ୍କ ବୀରତ୍ୱର ଗାଥାକୁ ସ୍ମୃତିଚାରଣ ସହ ଶହୀଦ ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ। କିଛି ଶହୀଦଙ୍କ ପରିବାରକୁ ଏହି ଅବସରରେ ସମ୍ୱର୍ଦ୍ଧିତ କରାଯାଇଥିଲା।

ଏବେ ବି ପୁଲଓ୍ୱାମା ଆକ୍ରମଣକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଅସମାହିତ ହୋଇ ରହିଛି। ଆକ୍ରମଣରେ ବ୍ୟବହାର ହୋଇଥିବା ୩ଶହ କିଲୋ ଆରଡିଏକ୍ସ କେଉଁଠୁ ଆସିଥିଲା। ସିଆରପିଏଫକୁ ଏୟାରକ୍ରାଫ୍ଟ ଦେବାକୁ ସରକାର କଅଣ ମନା କରିଥିଲେ କି। ଏହି ଆକ୍ରମଣ କାହାର ଅବହେଳା ଲାଗି ଘଟିଲା ବୋଲି ଜାଣିବାକୁ ଚାହିଁଛନ୍ତି ବିରୋଧୀ ଦଳ। ପୁଲଓ୍ୱାମା ଆକ୍ରମଣ ପରେ ତତ୍କାଳୀନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ପ୍ରଧାନମନ୍ତ୍ରୀ ଚୁପ୍ ରହିବାକୁ ଧମକ ଦେଇଥିଲେ କି। ଏ ସବୁର ଉତ୍ତର ମୋଦିଙ୍କଠୁ ମାଗିଛନ୍ତି ବିରୋଧୀ। ସେପଟେ ଶାସକ ଦଳ କହିଛି, ଶହୀଦଙ୍କ ତ୍ୟାଗ ଓ ବଳିଦାନରେ ରାଜନୀତି ଓ ଦେଶର ଯବାନଙ୍କ ସୌର୍ଯ୍ୟ ଓ ବୀରତାକୁ ଏଭଳି ଦୃଷ୍ଟିଭଙ୍ଗୀରେ ଦେଖିବା ବିରୋଧୀଙ୍କ ଏଭଳି ମାନସିକତା କେତେଦୂର ଗ୍ରହଣୀୟ।

ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇସାରିଛି ଭାରତ। କିନ୍ତୁ ତା ସହ ବି ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଥିବା ପାକିସ୍ତାନକୁ ଠିକଣା ଜବାବ ଦେବାକୁ ସବୁବେଳେ ପ୍ରସ୍ତୁତ ହୋଇ ରହିଛି ଭାରତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *