ବିଧାନସଭାରେ କିଟ୍ ଝଡ଼। କିଟ୍ ୟୁନିଭରସିଟିରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଯେଉଁ ପରିସ୍ଥିତି ସୃଷ୍ଟି କଲେ କର୍ତ୍ତୃପକ୍ଷ, ସେଥିଲାଗି ଓଡ଼ିଶା ଆଜି ବିଶ୍ୱ ଦରବାରରେ ନିନ୍ଦିତ ହେଲା। ଦଳମତ ନିର୍ବିଶେଷରେ ସମସ୍ତଙ୍କ ସମସ୍ୱର ଶୁଭିଥିଲା। କିଟ୍ ଯାହା କଲା, ତାହା ଓଡ଼ିଶା ଓ ଭାରତର ଛବିକୁ ମଳିନ କରିଦେଲା। ଏଥିଲାଗି ଦାୟୀ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଗିରଫ କର। ଶୂନ୍ୟକାଳରେ ଶାସକ ଦଳର ବିଧାୟକ ବାବୁ ସିଂ କହିଛନ୍ତି, ଜମି ଜବରଦଖଲରୁ ନେଇ ଗୁଣ୍ଡାବାହିନୀ ଲଗାଇ ନିଜର ସାମ୍ରାଜ୍ୟ ମେଲାଇଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ। କନଷ୍ଟ୍ରକସନରୁ ନେଇ କଣ୍ଟ୍ରାକ୍ଟର ଯାଏ। ଅତୀତ ସରକାର ଅମଳର ଅନେକ ନେତା, ମନ୍ତ୍ରୀଙ୍କ ବନ୍ଧୁବାନ୍ଧବ କିଟ୍ରେ ଚାକିରୀ କରିଛନ୍ତି। ସେଥିଲାଗି ହାତ ମାରିବାକୁ ସାହସ କରୁନଥିଲେ। ଅନେକ ବେଆଇନ କାରବାର ସେଥିଲାଗି ସାମ୍ନାକୁ ଆସେନା। କିନ୍ତୁ ମୋହନ ସରକାର କାହାକୁ ବରଦାସ୍ତ କରିବେନି। ନେପାଳ ଛାତ୍ରୀ ଆତ୍ମହତ୍ୟା ଘଟଣା ଲୋକଲୋଚନକୁ ଆସିଲା ବୋଲି ଏତେ ଚର୍ଚ୍ଚା ହେଲା।
ବାହିନୀପତି ଆଉ ପାଦେ ଆଗେଇଯାଇ କିଟ୍ କେଳେଙ୍କାରୀର ଗୋଟିକ ପରେ ଗୋଟିଏ ଫର୍ଦ୍ଦ ଓଲଟାଇଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ହେଉ। ତଦନ୍ତ ନହେଲେ ବିଧାନସଭାରେ ଧାରଣା ଦେବେ। ଯେଭଳି କିଟ୍ କ୍ୟାମ୍ପସରେ ନେପାଳି ଛାତ୍ରଛାତ୍ରୀଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରୁଥିଲେ, ହଷ୍ଟେଲ ଓ୍ୱାର୍ଡେନ ଅମାନବୀୟ ଆଚରଣ କରୁଥିଲେ, ସେ ଭିଡିଓ ଦେଖି କାନ୍ଦ ଲାଗୁଥିଲା। ନେପାଳ ଭାରତର କେବଳ ପଡ଼ୋଶୀ ରାଷ୍ଟ୍ର ନୁହେଁ। ନେପାଳ ସହ ଭାରତର ଆତ୍ମୀୟତା ଓ ଅନ୍ତରଙ୍ଗତା ରହିଆସିଛି। ନେପାଳ ପିଲାଙ୍କୁ ଏଭଳି ବ୍ୟବହାର ଲାଗି ଦିଲ୍ଲୀ ଦରବାରରୁ ପିଏମଓ ଯାଏ ଥରହର ହେଲାଣି। ଓଡ଼ିଆ ଜାତି ପ୍ରତି ଘୋର୍ ଅପମାନ। ବିଜେଡି ବି କହିଛି, ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ନିନ୍ଦିତ ହୋଇଛି। କିଟ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଆବଶ୍ୟକୀୟ ଆକ୍ସନ ଜରୁରୀ। ତେବେ ବିଜେପିର ଟଙ୍କଧର ତ୍ରିପାଠୀ ଜବାବ ଦେଇ କହିଥିଲେ ଯେ, କିଟ୍ ମାଲିକ କେଉଁ ଦଳର ସାଂସଦ ଥିଲେ। ଯିଏ ବେଆଇନ କାମ କରୁଥିଲା, ତାକୁ ଅତୀତ ସରକାର କୋଳରେ ବସାଇଥିଲେ।
ଏହି ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। କିଟ୍ ଏକ ଘରୋଇ ସଂସ୍ଥା କହି ଏଥିରେ ସରକାର ନିଜ ଉତ୍ତରଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରିଥିବା କେତେଦୂର ସମୀଚିନ ବୋଲି ପଚାରିଛନ୍ତି ଶ୍ରୀକାନ୍ତ। କ୍ୟାମ୍ପସରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ଅଧିକାରକୁ ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ପରାମର୍ଶ ଦେଇଛନ୍ତି ଶ୍ରୀକାନ୍ତ।

Naxatra News is now on Whatsapp
Join and get latest news update delivered to you via whatsapp
Join Now