ଯାଜପୁରରେ ବଢ଼ିଚାଲିଛି ଅପରାଧ

ଯାଜପୁରରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ। ଘଟିଚାଲିଛି ଗୋଟିଏ ପରେ ଗୋଟିଏ କ୍ରାଇମ। ବର୍ଷ ଆରମ୍ଭର ମାସକ ଭିତରେ ତିନି ତିନୋଟି ଡକାୟତି ଓ ରାହାଜାନି ଘଟଣା। ଜାନୁଆରୀ ୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରେ ପଶି ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ କଲେ ଦୁର୍ବୃତ୍ତ। ବନ୍ଧୁକ ଫୁଟାଇ ଦୁଇ ଜଣଙ୍କର ଜୀବନ ବି ନେଇଗଲେ। ଏହା ପରେ ପରେ ନିକଟରେ ବାରବାଟୀରେ ଜଣେ ଆଳୁ ବ୍ୟବସାୟୀଙ୍କୁ ବନ୍ଧୁକ ଫୁଟାଇ ଭୟଭୀତ କରିବା ସହ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଲେ। ଏହାପରେ ପୁଣି ଶୁକ୍ରବାର ସନ୍ଧ୍ୟାରେ ଧର୍ମଶାଳା ଥାନା ଇମାମନଗର ଠାରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଜଣେ ମେଡିସିନ କମ୍ପାନୀ କର୍ମଚାରୀଙ୍କ ଠାରୁ ୭୦  ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। କେତେବେଳେ ରାଜପଥରେ ଘଟିଛି ତ ଆଉ କେତେବେଳେ ସାଧାରଣ ରାସ୍ତାରେ ବାଇକ ଛଡାଇ ବା କାର ଭଙ୍ଗାରୁଜା କରି ଆତଙ୍କ ଖେଲାଇଛନ୍ତି ଦୁର୍ବୃତ୍ତ। ଫଳରେ ସାଧାରଣ ଯାତ୍ରୀ ହୁଅନ୍ତୁ ଅବା ବ୍ୟବସାୟୀ କେହି ବି ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ଅପରାଧୀ ମାନେ କେବଳ ଡକାୟତି ବା ରାହାଜାନୀ କାଣ୍ଡ ଘଟାଇ ନାହାନ୍ତି। ଏମାନେ ଲୋକଙ୍କ ଦୁର୍ମୂଲ୍ୟ ଜୀବନ ମଧ୍ୟ ନେବାକୁ ପଛାଇ ନାହାନ୍ତି। ତେଣୁ ଚାରିଆଡେ ଲୋକଙ୍କ ଭିତରେ ଭୟର ଆତଙ୍କ ଖେଳିଯାଇଛି। ସେପଟେ ଅପରାଧ ନିୟନ୍ତ୍ରଣ କରିବା କିମ୍ବା ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ବରିଷ୍ଠ ନାଗରିକ ମାନେ ମାନେ ପୋଲିସର ଅପାରଗତାକୁ ଦାୟୀ କରୁଥିବା ବେଳେ କେନ୍ଦ୍ରାଞ୍ଚଳ ଡିଆଇଜି କହିଛନ୍ତି ଏଥିପାଇଁ ଉଦ୍ୟମ ଜାରି ରହିଛି। ଖୁବ୍ ଶୀଘ୍ର ଅପରାଧୀ ମାନେ ପୋଲିସ ହାତରେ ଧରାପଡ଼ିବେ।

 ଅପରାଧୀଙ୍କୁ ଧରିବା ଏବଂ ଅପରାଧ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଯେତେ ବଡ଼ ଚାଲେଞ୍ଜ, ଲୋକଙ୍କ ମନରୁ ଭୟ ଦୂର କରିବା ସହ ଯାତାୟାତ ବେଳେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପଦକ୍ଷେପ ନେବା ସେତିକି ଜରୁରୀ ହୋଇପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *