ରାଗିଂରେ ଅତିଷ୍ଠ ଛାତ୍ରୀଙ୍କ ପାଇଁ ଆତ୍ମହତ୍ୟା ଏକ ବିକଳ୍ପ!

Spread the love

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଚାରି ଦିନ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ୨୬ ବର୍ଷୀୟ ଅନୁସୂଚିତ ଜାତିର ଛାତ୍ରୀ ପ୍ରୀତିର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ମୁଣ୍ଡ ଟେକିଛି ରାଗିଂ ମାମଲା। ଘଟଣାରେ ପୁଲିସ ଅଭିଯୁକ୍ତ ସିନିୟର ଛାତ୍ରକୁ ଗିରଫ କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ପ୍ରୀତି ଜଣେ ମେଡିକାଲ ଛାତ୍ରୀ ଥିଲେ। ବୁଧବାର ସେ ଏମଜିଏମ ହସ୍ପିଟାଲରେ ନାଇଟ ସିପ୍ଟ ଡ୍ୟୁଟି କରୁଥିବା ବେଳେ ଆତ୍ମହତ୍ୟା ଚେଷ୍ଟା କରିଥିଲେ। ତାଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇ ବାରଙ୍ଗଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ  ୪ ଦିନ ପରେ ତାଙ୍କ ମୃତ୍ୟୁ ହୋଇଛି। ପ୍ରୀତିଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଷ୍ଟ ଗ୍ରାଜୁଏଟ ଦ୍ବିତୀୟ ବର୍ଷର ଛାତ୍ର ମହମ୍ମଦ ଅଲି ସୈଫକୁ ରାଗିଙ୍ଗ, ଆତ୍ମହତ୍ୟା ପାଇଁ ଉସକାଇବା ସହ ଏସସି-ଏସଟି ଅଧିନିୟମ ଅନ୍ତର୍ଗତ ପୀଡନ ଅଭିଯୋଗରେ ଗିରଫ କରାଯାଇଛି।

ବାରଙ୍ଗଲ ପୁଲିସ କମିଶନର ଏ ଭି ରଙ୍ଗଥାନଙ୍କ ସୂଚନା ମୁତାବକ, ପ୍ରୀତିଙ୍କ ହ୍ବାଟ୍ସଆପ ଚ୍ୟାଟ ରାଗିଂ ଦିଗକୁ ଇସାରା କରୁଛି। ଛାତ୍ରୀଙ୍କ ପିତା ନରେନ୍ଦ୍ର ଅଭିଯୋଗ କରିଛନ୍ତି କି, କଲେଜ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସେ ପୂର୍ବରୁ ଏନେଇ ଅଭିଯୋଗ କରିଥିଲେ। କିନ୍ତୁ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏବେ ମୋର ଝିଅ ଚାଲିଗଲା।

ଘଟଣା ପରେ ତେଲେଙ୍ଗାନା ସରକାର ପକ୍ଷରୁ ପ୍ରୀତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଛାତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ହୃଦୟବିଦାର ବୋଲି କହି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଏର୍ରାବେଲ୍ଲୀ ଦୟାକର ରାୱ ରବିବାର ପୀଡିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି।

ସେହିପରି ୱାରଙ୍ଗାଲରେ ମଧ୍ୟ ଜଣେ ୨୦ ବର୍ଷର ଇଞ୍ଜିନିୟରିଂ ଛାତ୍ରୀ ରକ୍ସିତା ସିନିୟରଙ୍କ ରାଗିଂରେ ଅତିଷ୍ଠ ହୋଇ ଆତ୍ମହତ୍ୟାକୁ ଆପଣେଇଛନ୍ତି। ପୁଲିସ ଅନୁଯାୟୀ, ଭୁପାଲପାଲ୍ଲୀ ଅଞ୍ଚଳର ସଙ୍କରାଚାରୀ ଓ ରାମାଙ୍କ ଝିଅ ରକ୍ସିତା ନର୍ସମପେଟସ୍ଥିତ  ଜୟମୁଖି ଇଞ୍ଜିନିୟରିଂ କଲେଜ ଇସିଇ ତୃତୀୟ ବର୍ଷର ଛାତ୍ରୀ ଥିଲେ।  ତାଙ୍କର ଜଣେ ସିନିୟର ଛାତ୍ର ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ହଇରାଣ କରୁଥିଲେ। ସିନିୟରଙ୍କ ଏପରି କାର୍ଯ୍ୟରେ ମାନସିକ ଦୁଶ୍ଚିନ୍ତାରେ ଥିବା ରକ୍ସିତା ଶେଷରେ ୱାରାଙ୍ଗାଲସ୍ଥିତ ତାଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ପଙ୍ଖାରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *