ଭିଆଇପି ଛକ ଫପସିରୁ ୬ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ : ଜଣେ ଗିରଫ

Spread the love

ବଲାଙ୍ଗିର : ଗତକାଲି ୬୩ ଲକ୍ଷ ଟଙ୍କାର ୬ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ କାରବାର ଧରିବାକୁ ବଲାଙ୍ଗିର ଅବକାରୀ ବିଭାଗ ସଫଳ ହୋଇଛି।

ବଲାଙ୍ଗିର ଅବକାରୀ ବିଭାଗ ଅଧିକ୍ଷକଙ୍କ ସୂଚନା ମୁତାବକ, ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ବଲାଙ୍ଗିର ଜିଲ୍ଲା ଦେଇ ଅନେକ ସମୟରେ ଗଞ୍ଜେଇ ଚୋରାଚାଲାଣ କରାଯାଉ ଥିବା ଦେଖାଯାଉଛି । ବୌଦ୍ଧ, ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ, ତୁଷୁରା ଓ ବଲାଙ୍ଗିର ସହର ଦେଇ ବାହାର ରାଜ୍ୟକୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । ଅବକାରୀ ବିଭାଗ ଓ ପୋଲିସ ବିଭାଗ ବିଭିନ୍ନ ସମୟରେ ଚଢଉ କରି ଗଞ୍ଜେଇ ଚୋରାଚାଲାଣକୁ ରୋକିବାକୁ ଚେଷ୍ଟା ଚଳାଇଛି । ଗତକାଲି ସଂଧ୍ୟାରେ କୌଣସି ଏକ ସୂତ୍ରରୁ ସୂଚନା ପାଇ ବଲାଙ୍ଗିର ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲିଙ୍କ ନିର୍ଦ୍ଦେଶରେ ଟିଟିଲାଗଡ ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗର ଅଧିକାରୀଙ୍କ ଏକ ଟିମ୍ ଫପସି ଭିଆଇପି ଛକର ସନ୍ତୋଷ ଜେନାଙ୍କ ପୁଅ ଘନଶ୍ୟାମ ଜେନାଙ୍କ ଘରେ ଚଢଉ କରିଥିଲେ । ଏକ ପରିତ୍ୟକ୍ତ ଘରୁ ବିଭିନ୍ନ କବାଡି ଜିନିଷ ଭିତରେ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ ଥିବା ଦେଖି ବିଭାଗ କର୍ମଚାରୀ ଏହାକୁ ଜବତ କରିଥିଲେ । ଜବତ ପ୍ୟାକେଟରେ ୧ କ୍ଵିଣ୍ଟାଲରୁ ଅଧିକ ଗଞ୍ଜାଇ ଥିବାର ଅନୁମାନ କରାଯାଉଛି । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ମପା ଗଲା ପରେ ଏହା ୬ କ୍ଵିଣ୍ଟାଲ ୩୦ କିଲୋ ଯାହାର ମୂଲ୍ୟ ୬୩ ଲକ୍ଷ ହେବ ବୋଲି ଅବକାରୀ ବିଭାଗ ଅଧିକ୍ଷକ ଶ୍ରୀ ମୁଦୁଲି କହିଛନ୍ତି । ଏହି ଗଞ୍ଜେଇ ରଖିଥିବା ଅଭିଯୋଗରେ ଘନଶ୍ୟାମ ଜେନାଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

ଏହି ଚଢଉରେ ଟିଟିଲାଗଡ ଅବକାରୀ ଇନ୍ସପେକ୍ଟର ଆଶିଷ ବେହେରା, ବଙ୍ଗୋମୁଣ୍ଡା ଏସଆଇ ସୁମିତ ସାହୁ, ଏଏସଆଇ ସମୀର ରଂଜନ ଭୋଇ, ସିପାହୀ କୁମୁଦିନୀ ମଲ୍ଲିକ, ଲଳିତା ଭୋଇ, ସୁନୀଳ ବଢେଇ, ଆଶିଷ ବାଗ, ଗଗନ ବିହାରୀ ମିଶ୍ର, ଚନ୍ଦନ କୁମାର ପଟେଲ ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ଥିଲେ । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *