ପରିବାରର ୩ ଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା

Spread the love

ବରଗଡ଼ : ବରଗଡ଼ ଜିଲା ଭେଡେନ ଜାଣ୍ଡୋଲ ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ । ଉଜୁଡି ଯାଇଛି ହସଖୁସିର ସଂସାର । ମୂଳପୋଚ୍ଛ ହୋଇଯାଇଛି ସମ୍ବଲପୁରୀ କପଡା ବୁଣି ଗୁଜୁରାଣ ମେଣ୍ଟାଉଥିବା ଶେସଦେଵଙ୍କ ପରିବାର । ମା ବାପା ଙ୍କ ସହ ଭାଇ ଭଉଣୀଙ୍କ ମୃତଦେହ ବନ୍ଦ  କୋଠରୀରୁ ଉଦ୍ଧାର କରିଛି ବରଗଡ଼ ପୋଲିସ । ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ପରିବାରର ୩ ଜଣଙ୍କୁ ହତ୍ୟା ପରେ ପୁଅ ଅରବିନ୍ଦ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।

ରବିବାର ଦିନ ବନ୍ଦ ଘରେ ଥିବା ଭିନ୍ନ ଭିନ୍ନ କୋଠରୀରୁ ଠାବ ହୋଇଛି ଚାରି ଚାରୋଟି ମୃତଦେହ ।  ଭେଡେନ ଥାନା ଜାଣ୍ଡୋଲ ଗ୍ରାମର କନ୍ଦପଡ଼ାରେ  ରହୁଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଶେସଦେଵ ମେହେର, ତାଙ୍କ ପତ୍ନୀ ଖିରେଶ୍ଵରୀ ମେହେର, ପୁଅ ଅରବିନ୍ଦ ମେହେର ଓ ଝିଅ ଶିବାନୀ । ରବିବାର ସନ୍ଧ୍ୟାରେ ଘରୁ ଦୁର୍ଗନ୍ଧ ଆସୁଥିବାରୁ ଉକ୍ତ ଘରେ କିଛି ଅଘଟଣ ଘଟିଥିବା ସନ୍ଦେହ କରିଥିଲେ ସ୍ଥାନୀୟ ଲୋକେ। ଖବର ପାଇ ଅତିରିକ୍ତ ତହସିଲଦାର ଦେବାନନ୍ଦ ସାହୁଙ୍କ ଉପସ୍ଥିତିରେ ପୁରା ଘରକୁ  ସିଲ କରିଥିଲା ପୋଲିସ। ମୃତଦେହ ଉଦ୍ଧାର କରି ଘରେ ଥିବା ସମସ୍ତ ମୋବାଇଲକୁ ସିଜ ସହ କଲ ରେକର୍ଡ ଯାଞ୍ଚ ପାଇଁ ପଠାଯାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଲାଗିରହିଛି ଚର୍ଚ୍ଚା।

ତେବେ ସେସଦେଵ ମେହେରଙ୍କ ପୂର୍ବ ସ୍ତ୍ରୀ ଅସର୍ପି ମେହେରଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଥିବାବେଳେ ପ୍ରଥମ ଝିଅର କୁବେଡେଗା ଗ୍ରାମରେ ବିବାହ ହୋଇଛି। ଅସର୍ପିଙ୍କ ମୃତ୍ୟୁ ପରେ ସେସଦେଵ ଖିରେଶ୍ୱରୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ତେବେ ସେସଦେଵଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ଅରବିନ୍ଦ ଓ ଦ୍ଵିତୀୟ ସ୍ତ୍ରୀ ଖିରେଶ୍ୱରୀ, ଝିଅ ଶିବାନୀ ମିଶି ଗୋଟିଏ ଘରେ  ରହୁଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଝିଅ ଜ୍ୱାଇଁ ମଧ୍ୟ ପହଞ୍ଚିଥିଲେ। ଖୁସିରେ ସମସ୍ତେ ରହୁଥିଲେ ବୋଲି କହିଛନ୍ତି ବୃନ୍ଦାବତୀ ।

ସମସ୍ତ ପରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ। ଏକାସାଙ୍ଗରେ ବନ୍ଦ ଘରୁ ୪ଟି ମୃତଦେହ ମିଳିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *