ଆନ୍ନା ବିଶ୍ୱବିଦ୍ୟାଳୟରେ ଘଟିଥିବା ଯୌନ ଉତ୍ପୀଡ଼ନ ଘଟଣାରେ ମେ ୨୮ ତାରିଖରେ ଅଭିଯୁକ୍ତ ଏ. ଜ୍ଞାନଶେକରନ୍ କୁ ୧୧ଟି ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ ଚେନ୍ନାଇ ମହିଳା ଅଦାଲତ। ଯାହା ମଧ୍ୟରେ ଦୁଷ୍କର୍ମ,ଆକ୍ରମଣ, ଅପହରଣ ଓ ମାନସିକ ଚାପ ରହିଛି। ଆଉ ଆଜି ଦଣ୍ଡବିଧାନ ଘୋଷଣା କରିଛନ୍ତି। ଜ୍ଞାନଶେକରକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅଦାଲତ। ଏହା ସହ ୯୦ହଜାର ଟଙ୍କାର ଜରିମାନା ଦଣ୍ଡ ବି ଦେଇଛନ୍ତି ଅଦାଲତ। ବିଚାରପତି ଜଷ୍ଟିସ ରାଜଲକ୍ଷ୍ମୀ କହିଛନ୍ତି, ଦୋଷୀକୁ ଅତିକମରେ ୩୦ ବର୍ଷ ଜେଲରେ ରଖିବା ଜରୁରୀ। ତା ଉପରେ କୌଣସି ଦୟାମାୟା ଦେଖାଇବା ଉଚିତ୍ ନୁହେଁ। ଡିସେମ୍ୱର ୨୩, ୨୦୨୪ ରେ ଆନ୍ନା ବିଶ୍ୱବିଦ୍ୟାଳୟରେ ଏକ ୧୯ ବର୍ଷୀୟ ଦ୍ୱିତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଯୌନଶୋଷଣ ସହ ପୁରୁଷ ବନ୍ଧୁଙ୍କୁ ଆକ୍ରମଣ କରିଥିଲା ଜ୍ଞାନଶେକରନ। ପ୍ରାୟ ରାତି ୮ଟାରେ ବିଶ୍ୱବିଦ୍ୟାଳୟ ପରିସରରେ ପଶି ଶୂନଶାନ ଜାଗାରେ ଛାତ୍ରୀଙ୍କ ଯୌନଶୋଷଣ କରିଥିଲା। ପୁରୁଷ ବନ୍ଧୁ ସହ ଅନ୍ତରଙ୍ଗ ଭିଡ଼ିଓର ଫେକ୍ ଭିଡ଼ିଓ ଦେଖାଇ ବ୍ଲାକମେଲିଂ କରିଥିଲା ଉଭୟଙ୍କୁ। ଯଦି ଭିଡ଼ିଓ ଭାଇରାଲ କରେ, ତେବେ ଉଭୟଙ୍କୁ କଲେଜରୁ ବାହାର କରିଦିଆଯିବାର ଭୟ ଦେଖାଇଥିଲା। ଆଉ ଯୁବକକୁ ସେଠାରୁ ଚାଲିଯିବାକୁ ବାଧ୍ୟ କରିବା ସହ ଯୁବତୀଙ୍କୁ କ୍ୟାମ୍ପସର ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲା। ଏହାର ଭିଡ଼ିଓ ବି କରିଥିଲା। ଛାତ୍ରୀ ଜଣକ ତା ସହ ନିରନ୍ତର ଶାରୀରିକ ସମ୍ପର୍କ ନ ରଖିଲେ ଭିଡ଼ିଓ ଭାଇରାଲର ଧମକ ଦେଇଥିଲା। କିନ୍ତୁ ଛାତ୍ରୀଜଣକ ନୀରବ ନ ରହି ସାହାସର ପରିଚୟ ଦେଇଥିଲେ। ଅଭିଯୁକ୍ତ ୩୭ ବର୍ଷୀୟ ଜ୍ଞାନଶେକରନ୍ ଜଣେ ରୋଡ଼ ସାଇଡ୍ ରେ ବିରିୟାନି ବିକ୍ରେତା ଥିଲା ଓ ତାର ପୂର୍ବ ଅପରାଧିକ ରେକର୍ଡ ବି ରହିଛି। ଜ୍ଞାନଶେକରର ପତ୍ନୀ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଥିଲେ। ସେଥିଲାଗି ଜ୍ଞାନଶେକର କ୍ୟାମ୍ପସକୁ ଯିବା ଆସିବା କରିପାରୁଥିଲା। ଏ ଘଟଣା ପରେ ଗିରଫ ହେଇଥିଲେ। ମାଡ୍ରାସ ହାଇକୋର୍ଟ ନିଜ ଆଡ଼ୁ ମାମଲାର ସଂଜ୍ଞାନ ନେଇଥିଲେ। ପୋଲିସ ତଦନ୍ତରେ ତ୍ରୁଟିକୁ ନେଇ ଅନେକ ଅଙ୍ଗୁଳି ଉଠିଥିଲା। ଅଦାଲତ ଏକ ବିଶେଷ ତଦନ୍ତ ଦଳ ଏସଆଇଟି ଗଠନ କରିଥିଲେ। ଯେଉଁଥିରେ ୩ ଜଣ ମହିଳା ଆଇପିଏସ ଅଫିସର ଥିଲେ। ରାଜ୍ୟ ସରକାର ପୀଡ଼ିତାଙ୍କୁ ୨୫ଲକ୍ଷ ଟଙ୍କାର ଅନ୍ତରୀଣ ଆର୍ଥିକ ସହାୟତା ଦେବାକୁ ନିର୍ଦେଶ ଦେଇଥିଲେ। ଘଟଣାଟି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା। ବିପକ୍ଷ ଦଳଗୁଡ଼ିକ ଅଭିଯୋଗ କରିଥିଲେ ଯେ ଜ୍ଞାନଶେକରନ୍ ଶାସକ ଦଳ ଡିଏମକେ ସହ ସଂପୃକ୍ତ। କିନ୍ତୁ ଡିଏମକେ ଦଳ ସ୍ପଷ୍ଟ କରିଥିଲା ଯେ ସେ କେବଳ ଏକ ସମର୍ଥକ ଥିଲା, ସଦସ୍ୟ ନୁହେଁ। ଏହି ଘଟଣା ସାରା ରାଜ୍ୟରେ ବିଶ୍ୱବିଦ୍ୟାଳୟ ସୁରକ୍ଷା, ପୋଲିସର ଦାୟିତ୍ୱ ବିଷୟରେ ଆନ୍ଦୋଳିତ କରିଥିଲା। ବିଚାରପତି ରାଜଲକ୍ଷ୍ମୀ କହିଛନ୍ତି, ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ମିଳିବା ଜରୁରୀ। କାରଣ ସବୁ ଆରୋପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କିନ୍ତୁ ଦୋଷୀ ରାଜଶେକରନ କମ୍ ଦଣ୍ଡ ପାଇଁ ପ୍ରାର୍ଥନା କରିଥିଲା। ନିଜର ବୟସ୍କା ମାଆ ଓ ୮ ବର୍ଷର ଝିଅର ଦେଖାଶୁଣା କରିବାର ଅଛି ବୋଲି ଯୁକ୍ତି ଦର୍ଶାଇଥିଲା ରାଜଶେକରନ୍।


Naxatra News is now on Whatsapp
Join and get latest news update delivered to you via whatsapp
Join Now