ବଦଲାପୁର ଫେକ୍ ଏନକାଉଣ୍ଟର- ୫ ପୁଲିସ ଦୋଷୀ

ବଦଲାପୁରର ଏକ ସ୍କୁଲରେ କୋମଳମତି ଶିଶୁଙ୍କୁ ଯୌନଶୋଷଣ କରିଥିବା ଅଭିଯୁକ୍ତ ଅକ୍ଷୟ ସିନ୍ଦେଙ୍କୁ ମିଛ ଏନକାଉଣ୍ଟର ମହଙ୍ଗା ପଡ଼ିଛି ପୁଲିସକୁ। ଏହି ଏନକାଉଣ୍ଟରରେ ସାମିଲ୍ ଥିବା ୫ଜଣ ପୁଲିସ କର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଏହି ୫ ପୁଲିସ କର୍ମୀଙ୍କ ବିରୁଦ୍ଧରେ ଏତଲା ହେବ। ମାଜିଷ୍ଟ୍ରେଟଙ୍କ ତଦନ୍ତରେ ୫ ପୁଲିସ କର୍ମୀ ଦୋଷୀ ଥିବା ଜଣାପଡ଼ିଛି। ବମ୍ୱେ ହାଇକୋର୍ଟରେ ମାଜିଷ୍ଟ୍ରେଟ୍ ଏହି ତଦନ୍ତ ରିପୋର୍ଟ ଆଜି ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଅକ୍ଷୟଙ୍କ ମୃତ୍ୟୁ ଲାଗି ୫ ପୁଲିସ କର୍ମୀ ଦାୟୀ। କାରଣ ପୁଲିସ ସେତେବେଳେ କହିଥିଲା ଯେ, ଅକ୍ଷୟ ପୁଲିସ ଭ୍ୟାନରେ ଯାଉଥିବା ବେଳେ ପୁଲିସର ବନ୍ଧୁକ ଛଡ଼ାଇ ପୁଲିସ ଟିମ୍ ଉପରକୁ ଫାୟାରିଂ କରିଥିଲା। ଆଉ ସେଥିଲାଗି ଆତ୍ମରକ୍ଷା ଲାଗି ପୁଲିସ ତାକୁ ଏନକାଉଣ୍ଟ କରିଥିଲା। କିନ୍ତୁ ତଦନ୍ତରେ କେଉଁଠି ବି ବନ୍ଧୁକରେ ମୃତକର ଅଙ୍ଗୁଳି ଚିହ୍ନ ହିଁ ନାହିଁ। ଆତ୍ମରକ୍ଷା ଲାଗି ଅକ୍ଷୟ ଉପରକୁ ପୁଲିସ ଗୁଳି ଚଳାଇବା କଥା ଅନୁଚିତ୍ ଓ ସନ୍ଦେହ ଘେରରେ। ୨୪ ବର୍ଷୀୟ ଅକ୍ଷୟକୁ ଅଗଷ୍ଟ ୨୦୨୪ରେ ବଦଲାପୁର ଏକ ସ୍କୁଲର ଶୌଚାଳୟରେ ଦୁଇ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଗିରଫ କରାଯାଇଥିଲା। ଅକ୍ଷୟ ସ୍କୁଲର ଆଟେଣ୍ଡାଣ୍ଟ ଥିଲା। ସେପ୍ଟେମ୍ୱରରେ ତଲୋଜା ଜେଲରୁ ପଚରାଉଚୁରା ଲାଗି ପୁଲିସ ତାକୁ ନେଉଥିଲା ବେଳେ ଏନକାଉଣ୍ଟର କରିଥିଲା। ତେବେ ପୁଲିସ ହେପାଜତରେ ଅକ୍ଷୟର ମୃତ୍ୟୁ ହୋଇଥିବାରୁ ଆଇନ ଅନୁସାରେ ମାଜିଷ୍ଟ୍ରେଟସ୍ତରୀୟ ଯାଞ୍ଚ ହେବା ପରେ ଅସଲ କଥା ଜଣାପଡ଼ିଲା। ଫରେନସିକ୍ ଟିମ୍ ପୁଲିସ ଭ୍ୟାନର ଯାଞ୍ଚ କରିଥିଲା। ଏନକାଉଣ୍ଟରକୁ ନେଇ ସନ୍ଦେହ କରି ଅକ୍ଷୟଙ୍କ ବାପା ହାଇକୋର୍ଟରେ ଅପିଲ୍ କରିଥିଲେ। ଅକ୍ଷୟଙ୍କ ବାପା ଦାବି କରିଥିଲେ ଯେ, ପୁଲିସ ତାଙ୍କ ପୁଅକୁ ମିଛ ଏନକାଉଣ୍ଟରରେ ମାରିଛି। ହାତକଡ଼ି ଲାଗିଥିଲା ବେଳେ ବନ୍ଧୁକ ଛଡ଼ାଇ କେମିତି ଗୁଳି କରିବା ସମ୍ଭବ। ଜଷ୍ଟିସ ରେବତୀ ମୋହିତେ ଡେରେ ଓ ଜଷ୍ଟିସ ନୀଲା ଗୋଖଲେଙ୍କ ଖଣ୍ଡପୀଠ କହିଛନ୍ତି ଯେ, ମାଜିଷ୍ଟ୍ରେଟ ତଦନ୍ତରୁ ସ୍ପଷ୍ଟ, ୫ ପୁଲିସ କର୍ମୀ ଏହି ମିଛ ଏନକାଉଣ୍ଟର ଲାଗି ଦାୟୀ। ତେବେ ଏହି ଘଟଣାରେ ଏତଲା ଦିଆଯିବ। ଆଉ ଦୁଇ ସପ୍ତାହ ଭିତରେ ସରକାର କୋର୍ଟକୁ କହିବେ ଯେ, ଏହି ମାମଲାର ଯାଞ୍ଚ କେଉଁ ଏଜେନ୍ସି କରିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *