ପାକିସ୍ତାନୀଙ୍କୁ ଖୋଜୁଥିଲେ। କିନ୍ତୁ ଧରାପଡ଼ିଲେ ବାଂଲାଦେଶୀ। ପାକିସ୍ତାନ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛି ସୁରାଟ ପୁଲିସ। ଗୁଜରାଟର ଅହମଦାବାଦ ଓ ସୁରାଟରେ ୫ଶହରୁ ଅଧିକ ସନ୍ଦିଗ୍ଧଙ୍କୁ ଧରିଛି ପୁଲିସ। ପହଲଗାମ ଆତଙ୍କି ଆକ୍ରମଣ ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୁଲିସ। କେଉଁଠି ଅନୁପ୍ରବେଶକାରୀ ଲୁଚିଛନ୍ତି, ତାକୁ ନେଇ ରେଡ୍ କରିଥିଲା। ଯାଞ୍ଚ ପରେ ଯେଉଁମାନେ ଅବୈଧ ଭାବେ ଏଠାରେ ରହୁଥିଲେ, ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରକ୍ରିୟା ଆରମ୍ଭ କରିଛି ପୁଲିସ। ଏମାନେ ସମସ୍ତେ ଜାଲି ଦସ୍ତାବିଜ୍ ବଳରେ ଏଠାରେ ରହୁଥିଲେ। ଡିସିପି ରାଜଦୀପ ସିଂଙ୍କ ନେତୃତ୍ୱରେ ସ୍ପେଶିଆଲ ଅପରେସନ ଗ୍ରୁପ ଏହି ଅପରେସନ ଆରମ୍ଭ କରିଥିଲା। ଭୋର୍ ୩ଟାରୁ ଆରମ୍ଭ ହୋଇଥିଲା ଅପରେସନ। ଅହମଦାବାଦ କ୍ରାଇମବ୍ରାଞ୍ଚ ସହ ଏସଓଜି, ଇଓଡବ୍ଲୁ ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ। ସେପଟେ ଓଡ଼ିଶାରେ ରହୁଥିବା ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ନ ନଜର ରହିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପାହଲଗାମ ଆତଙ୍କି ଆକ୍ରମଣ ପରେ ସମୁଦ୍ରତଟ ସୁରକ୍ଷା ଉପରେ କଡ଼ା ନଜର ରହିଛି। କୋଷ୍ଟଗାର୍ଡ ଓ ଭାରତୀୟ ନୌସେନା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି। ସବୁପ୍ରକାର ସ୍ଥିତିକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ। ଯେଉଁ ପାକିସ୍ତାନୀ ଓଡ଼ିଶାରେ ଅଛନ୍ତି, ସେମାନଙ୍କୁ ବାହାର କରାଯିବ। ଚିହ୍ନଟ ସରିଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର। ଗୃହ ବିଭାଗ ନଜର ରଖିଛି। ବିନା ରେକର୍ଡ, ବିନା ଭିସାରେ ଯେଉଁ ବାଂଲାଦେଶୀ ଓ ପାକିସ୍ତାନୀ ଓଡ଼ିଶାରେ ଅଛନ୍ତି, ତାଙ୍କୁ ବିଦା କରାଯିବ। କଂଗ୍ରେସ କହିଛି, ସରକାରଙ୍କ ଅଭିଜ୍ଞତା ନାହିଁ। ଭୁବନେଶ୍ୱରରେ ଥିବା ପାକିସ୍ତାନୀ ଲୋକର ଭିସା ୨୦୨୪ରୁ ସରିଲାଣି। ଗୁଇନ୍ଦା କଅଣ କରୁଥିଲା। ସର୍ଭେ କରନ୍ତୁ ସରକାର।ସେପଟେ ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିଅନ ପ୍ରସ୍ତୁତ ଲାଗି ୩ ମାସ ହେବ ପ୍ରକ୍ରିୟା ଜାରି ରହିଛି। ବାହ୍ୟ ଆକ୍ରମଣ ହେଉ ଅବା ଅନ୍ୟ ଯେକୌଣସି ପରିସ୍ଥିତିକୁ ମୁକାବିଲା ଲାଗି ସରକାର ପ୍ରସ୍ତୁତ। ପାହଲଗାମ ଆତଙ୍କି ଆକ୍ରମଣ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୧୨ ପ୍ଲାଟୁନ୍ ଫୋର୍ସଙ୍କୁ ମନ୍ଦିର ସୁରକ୍ଷାରେ ନିୟୋଜିତ ସହ ହାଇଆଲର୍ଟ କରାଯାଇଛି। ଭକ୍ତଙ୍କୁ କଡା ଚେକିଂରେ ଛଡ଼ାଯିବା ସହ ପୁରୀର ଚାରି ସାମୁଦ୍ରିକ ଥାନାକୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି ବୀନିତ ଅଗ୍ରଓ୍ୱାଲ। ପାହଲଗାମ ଆତଙ୍କି ଆକ୍ରମଣ ପରେ ପୁରା ଦେଶ ହାଇଆଲର୍ଟରେ ରହିଛି। ପୁଲିସ ତଲାସି ଅଭିଯାନ ଜାରି ରଖି ପାକିସ୍ତାନୀ ଓ ବାଂଲାଦେଶୀଙ୍କୁ ଖୋଜୁଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now