ଦେଶରୁ ବିଦା ହେବେ ବାଂଲାଦେଶୀ-ରୋହିଙ୍ଗ୍ୟା..

ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ସୀମା ଉପରେ ତୀକ୍ଷ୍ନ ନଜର ରହିଛି। ଅନୁପ୍ରବେଶ ଉପରେ କଡ଼ା ପ୍ରହରା ଲାଗିଥିଲା ବେଳେ ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ନେଇ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି। ଅନେକ ଆଧାରକାର୍ଡ ଓ ଅନ୍ୟ ଦସ୍ତାବିଜକୁ ଜାଲି କରି ଦେଶରେ ବେଆଇନ ଭାବେ ରହିଛନ୍ତି। ଅନେକ ଅନୈତିକ କାର୍ଯ୍ୟକଳାପରେ ବି ଲିପ୍ତ ଅଛନ୍ତି। ସେଥିଲାଗି ବାଂଲାଦେଶୀଙ୍କୁ ହଟାଇବା ଲାଗି ଜାରି ରହିଛି ସବୁଠି ଅଭିଯାନ। ରାଜସ୍ଥାନରେ ୯ଶହରୁ ବେଶୀ ରୋହିଙ୍ଗ୍ୟା ବାଂଲାଦେଶୀଙ୍କୁ ଗିରଫ କରାଗଲାଣି। ଏମାନେ ରାଜସ୍ଥାନର ମୂଳ ନିବାସୀ ପ୍ରମାଣପତ୍ର ବି ହାସଲ କରିଥିଲେ। ଏମାନଙ୍କୁ ୨୪ଟି ଶରଣାର୍ଥୀ ଶିବିରରେ ରଖାଯାଇଛି। ଏମାନଙ୍କୁ ସ୍ୱତନ୍ତ୍ର ବିମାନରେ ପଶ୍ଚିମବଙ୍ଗକୁ ପଠାଯିବ। ସେଠାରୁ ବିଏସଏଫ ଜରିଆରେ ବାଂଲାଦେଶ ଓ ମିଆଁମାରକୁ ପଠାଇଦିଆଯିବ। ଏବେ ସୁଦ୍ଧା ୧୫୦ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗ ପଠାସରିଲାଣି। ଅଧିକାଂଶ ବାଂଲାଦେଶୀ ଅନୁପ୍ରବେଶକାରୀ ସୀମା ପାର୍ କରି କବାଡ଼ି କାରଖାନାରେ ମଜଦୁରୀ, ଇଟା ଭାଟି, ଅଳିଆ ଗଦାରେ କାମ କରନ୍ତି। ଆଉ କେତେକ ଅପରାଧିକ କାମରେ ଲିପ୍ତ ରହୁଛନ୍ତି। ଅବୈଧ ରୂପରେ ଭାରତରେ ଥିବା ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ପଠାଇଦେବାକୁ ଗୃହ ମନ୍ତ୍ରାଳୟ ବି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦେଶ ଦେଇସାରିଛି। ଗଲା ମାସରେ ଅହମଦାବାଦରୁ ୬ଶହ ବାଂଲାଦେଶୀଙ୍କୁ ଧରିଥିଲା ପୁଲିସ। ଆଉ କିଛି ବାଂଲାଦେଶୀଙ୍କ କହିବା କଥା, ସେମାନେ ଏବେ କୁଆଡ଼େ ଯିବେ। ଦୀର୍ଘ ବର୍ଷ ହେଲା ସେମାନେ ଏଠାରେ ବାସ କରୁଛନ୍ତି। ଏଇଠାରେ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଆଉ କିଛି ଏମାନଙ୍କ ସମର୍ଥନରେ ବାହାରିଛନ୍ତି। ଅନେକଙ୍କ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚାଲିଲାଣି।ଭାରତରେ ଶରଣାର୍ଥୀ ସମସ୍ୟା ଜଟିଳ ହେଉଥିବା ବେଳେ ଶରଣାର୍ଥୀଙ୍କ ସ୍ଥାୟୀ ରହଣୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତ ଧର୍ମଶାଳା ନୁହେଁ ଆଉ ଏଠାରେ ଅନ୍ୟ ଦେଶରୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ମିଳିପାରିବନି। ଏମିତିରେ ଭାରତ ୧୪୦ କୋଟି ଜନସଂଖ୍ୟାର ବୋଝକୁ ମୁକାବିଲା କରୁଛି। ବିଶିଷ୍ଟ ସାମାଜିକ କର୍ମୀ ହର୍ଷ ମନ୍ଦର କହିଛନ୍ତି, ୨୨ହଜାର ରୋହିଙ୍ଗ୍ୟାଙ୍କୁ କଅଣ ଭାରତରେ ଶରଣ ଦେବାକୁ ଅନୁମତି ଦିଆଯାଇପାରିବନି। ଏହାକୁ କେବଳ ଆଇନଗତ ଦୃଷ୍ଟିରୁ ନୁହେଁ, ବରଂ ମାନବୀୟତା ଦୃଷ୍ଟିକୋଣରୁ ଦେଖିବା ଦରକାର। ନକ୍ସଲ ତ ଦେଶରେ ରହି ଆଭ୍ୟନ୍ତରୀଣ ବିପଦ ପ୍ରତି ସୃଷ୍ଟି କରୁଛନ୍ତି। ସେପଟେ ଓଡ଼ିଶା ସରକାର ବି ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବିଦା କରିବାକୁ କାର୍ଯ୍ୟାନୁଷ୍ଠାନ ଲାଗି ଅଣ୍ଟା ଭିଡ଼ିଲେଣି। ଓଡ଼ିଶାର ୫୧୧ କିଲୋମିଟର ବିସ୍ତୃତ ଉପକୂଳ ଅଞ୍ଚଳରେ ବାଂଲାଦେଶୀ ନାଗରିକ ଆଡ୍ଡା ଜମାଇଛନ୍ତି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ ଓ ଭୁବନେଶ୍ୱର ଭଳି ପ୍ରମୁଖ ସ୍ଥାନରେ ଏମାନଙ୍କୁ ଚିହ୍ନଟ ହୋଇଛି। ଆଇନମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ କୌଣସି ଅଣନାଗରିକ ରହିପାରିବେନି। ଏସଟିଏଫ କହିଛି, ଏହାକୁ ନେଇ ତନାଘନା ଜାରି ରହିଛି। ସବୁ ଗଳିକନ୍ଦି ବୁଲି ପୁଲିସ ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରିବ। ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ନେଇ ସବୁଠି ଟେନସନ। ସେମାନଙ୍କୁ ତୁରନ୍ତ ଚିହ୍ନଟ କରି ବିଦା କରିବା ଅଭିଯାନ ଜାରି ରହିଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *