ତେଜସ୍ୱୀଙ୍କ ବିରୁଦ୍ଧରେ ଲଢ଼ିଥାଆନ୍ତେ- ଗୁଳି ଖାଇ ଜୀବନ ହାରିଲେ

ବିହାର ନିର୍ବାଚନ ପୂର୍ବରୁ ହିଂସା। ପାଟନାରେ ଆରଜେଡି ନେତା ଓ ପ୍ରପର୍ଟି ଡିଲର ରାଜକୁମାର ରାୟଙ୍କୁ ଗୁଳି କରି ହତ୍ୟା କରିଦିଆଗଲା। ଦୁଇ ଅଜ୍ଞାତ ଦୁର୍ବୃତ୍ତ ରାଜଙ୍କ ଉପରେ ୬ ରାଉଣ୍ଡ ଗୁଳି କରିଛନ୍ତି। ମର୍ଡର ପଛରେ ଜମି ବିବାଦ ଓ ରାଜନୈତିକ ଷଡ଼ଯନ୍ତ୍ର ଥିବା ପୁଲିସ ଆଶଙ୍କା କରୁଛି। ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ପୁଲିସ ଆଖପାଖ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଲୋକଙ୍କୁ ପଚରାଉଚୁରା କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ରାଜଙ୍କ ଘର ଆଗରେ ପ୍ରସ୍ତୁତ ହୋଇ ରହିଥିଲେ ଦୁଇ ଦୁର୍ବୃତ୍ତ। ଘର ଆଗରେ ରାୟ ଗାଡ଼ି ଲଗାଇବା ମାତ୍ରେ ଗୁଳି କରିଥିଲେ ଦୁର୍ବୃତ୍ତ। ଜୀବନ ବଞ୍ଚାଇବାକୁ ଧାଇଁଥିଲେ ରାଜ୍। କିନ୍ତୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ଉପରେ ଗୁଳି ବର୍ଷା କରିଥିଲେ ଦୁଇ ଦୁର୍ବୃତ୍ତ। ଏକ ହୋଟେଲରେ ପଶିଯାଇଥିଲେ ବି ସେଠାରେ ପଶି ମାରିଥିଲେ।ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା।ତେବେ ବଡ଼ କଥା ହେଲା, ରାୟ ରାଘୋପୁର ଆସନରୁ ସ୍ୱାଧୀନ ଭାବେ ଲଢ଼ିବାକୁ ପ୍ରସ୍ତୁତ ହେଉଥିଲେ। ଅର୍ଥାତ୍ ଆରଜେଡି ବିଧାୟକ ତେଜସ୍ୱୀ ଯାଦବଙ୍କ ବିରୁଦ୍ଧରେ ଲଢ଼ିଥାଆନ୍ତେ ରାଜ୍। ଏହା ପୂର୍ବରୁ ବି ସେ ରାଘୋପୁର ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ। ଆରଜେଡିର ପଞ୍ଚାୟତିରାଜ ପ୍ରକୋଷ୍ଠ ବୈଶାଳି ଜିଲ୍ଲାର ଅଧ୍ୟକ୍ଷ ବି ଥିଲେ ରାଜ୍। ରାଜଙ୍କ ମର୍ଡରକୁ ନେଇ ନୀତିଶ ସରକାରଙ୍କ ଉପରେ ବର୍ଷିଛନ୍ତି ତେଜସ୍ୱୀ। ବିହାରରେ ଅପରାଧୀଙ୍କୁ ସୁରକ୍ଷା ଓ ସଂରକ୍ଷଣ ମିଳୁଛି। ଲଗାତାର ହତ୍ୟାକାଣ୍ଡ ହେଉଛି। ରାଜ୍ୟ ସରକାର ବେଫିକର୍। ଏହା ସହ ଗମ୍ଭୀର ଆରୋପ ଲଦିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀଙ୍କ ଘରୁ ହିଁ ହତ୍ୟାର ଷଡ଼ଯନ୍ତ୍ର ହୋଇଛି। ହତ୍ୟା, ଲୁଟ, ଗ୍ୟାଙ୍ଗଓ୍ୱାର ଓ ଅପହରଣ ଭଳି ବଡ଼ ଘଟଣା ଘଟୁଛି। କିନ୍ତୁ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଶାସକ ଦଳ କହିଛି, ଯିଏ ବି ଦୋଷୀ, ନିସ୍ତାର ପାଇବନି। ମର୍ଡର ପଛରେ କିଏ ଷଡ଼ଯନ୍ତ୍ରକାରୀ ସେ ଖୁଲାସା ବି ହେବ। ଗଲା କେଇ ମାସ ଭିତରେ ପାଟନାରେ ଅନେକ ହାଇପ୍ରୋଫାଇଲ୍ ମର୍ଡର ହେଲାଣି। ଜୁଲାଇ ମାସରେ ତ କ୍ରାଇମ୍ ଯେମିତି ଆଉଟ୍ ଅଫ କଣ୍ଟ୍ରୋଲ ହୋଇଯାଇଥିଲା। ଜୁଲାଇ ମାସରେ ପ୍ରତିଷ୍ଠିତ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ତାଙ୍କ ଘର ଆଗରେ ଗୁଳି କରି ହତ୍ୟା କରିଦିଆଯାଇଥିଲା। ଏଥିରେ ବ୍ୟବସାୟିକ ବିବାଦ ମୁଖ୍ୟ କାରଣ ଥିଲା। ଷଡ଼ଯନ୍ତ୍ରକାରୀ ଓ ସୁପାରି କିଲରଙ୍କୁ ପୁଲିସ ଗିରଫ କରିଥିଲା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବିକାଶକୁ ଏନକାଉଣ୍ଟରରେ ମାରିଥିଲା ପୁଲିସ। ସେଇ ଜୁଲାଇରେ ବ୍ୟବସାୟୀ ରାମକାନ୍ତ ଯାଦବ ଓ ଓକିଲ ଜିତେନ୍ଦ୍ର ମହତୋଙ୍କୁ ହତ୍ୟା କରାଯାଇଥିଲା। ଗ୍ୟାଙ୍ଗଷ୍ଟର ଚନ୍ଦନ ମିଶ୍ରା ହତ୍ୟାକାଣ୍ଡ ହଇଚଇ ଖେଳାଇଦେଇଥିଲା। ପାରୋଲରେ ଆସି ଚିକିତ୍ସାଧୀନ ଅବସ୍ଥାରେ ଥିବା ଚନ୍ଦନଙ୍କୁ ହସ୍ପିଟାଲରେ ପଶି ଦୁର୍ବୃତ୍ତ ମର୍ଡର କରିଥିଲେ। ଗଲା ୯ ତାରିଖରେ ସିଓ୍ୱାନର ଚୈନପୁର ବଜାରରେ କୁଖ୍ୟାତ ଅପରାଧୀ ଲାଲି ଯାଦବଙ୍କୁ ଗୁଳି କରି ମର୍ଡର କରାଗଲା। ଜାମିନରେ ବାହାରକୁ ଆସିଥିଲା ଲାଲି। ଏ ସବୁ ଘଟଣା ବିହାରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଅଙ୍ଗୁଳି ଉଠାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *