ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍

ନୂଆଦିଲ୍ଲୀ: ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍। ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ଅବମାନନା ଅଭିଯୋଗରେ ଆଜି ବିଜୟ ମାଲ୍ୟାଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ତାଙ୍କୁ ୪ ସପ୍ତାହ ମଧ୍ୟରେ ୪୦ ନିୟୁତ ଆମେରିକୀୟ ଡଲାର ୮ ପ୍ରତିଶତ  ସୁଧ ସହ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନେତୃତ୍ବରେ ବିଭିନ୍ନ ଦ୍ୱାରା ଦାଖଲ ହୋଇଥିବା ଯାଚିକାରେ ଉଲ୍ଲେଖ କରାଯାଇଥିଲା କି, ୨୦୧୭ ମସିହାରେ ମାଲ୍ୟା କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରି ତାଙ୍କ ପିଲାମାନଙ୍କୁ ୪୦ ମିଲିୟନ ଆମେରିକୀୟ ଡଲାର ସ୍ଥାନାନ୍ତର କରିଥିଲେ। ଏହି ମାମଲାରେ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଏହି ଦଣ୍ଡ ଘୋଷଣା କରିଥିବା ବେଳେ କହିଛନ୍ତି ଯେ ମାଲ୍ୟା ଦଣ୍ଡ ଶୁଣାଣି ସମୟରେ କୋର୍ଟରେ  ହାଜର ହୋଇନଥିଲେ କି ତାଙ୍କ ଆଚରଣ ପାଇଁ କୌଣସି ଅନୁତପ୍ତ ନୁହଁନ୍ତି। ଆଇନ ବ୍ୟବସ୍ଥାର ସମ୍ମାନ୍ନ ରକ୍ଷା କରିବାକୁ ତାଙ୍କ ଉପରେ ପର୍ଯ୍ୟାପ୍ତ ପରିମାଣର ଦଣ୍ଡ ଦିଆଯିବା ଉଚିତ। ତେଣୁ ୪ ସପ୍ତାହ ମଧ୍ୟରେ ୮ ପ୍ରତିଶତ ସୁଧ ସହିତ ୪ ମିଲିୟନ ଡଲାର ଜମା କରିବାକୁ ମାଲ୍ୟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଯଦି ନିର୍ଦ୍ଦେଶ ପାଳନ ନ ହୁଏ ତେବେ କେନ୍ଦ୍ର ସରକାରଙ୍କ ସହଯୋଗରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି କୋର୍ଟ।

ଜଷ୍ଟିସ ୟୁ ୟୁ ଲଳିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ  ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ମାର୍ଚ୍ଚ ୧୦ ତାରିଖରେ ମାଲ୍ୟାଙ୍କ ଅନୁପସ୍ଥିତିରେ ମାମଲାର ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ମାମଲାର ଶୁଣାଣି ବେଳେ ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ୱାର ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲେ ବି ମାଲ୍ୟା ହାଜର  ହୋଇନଥିଲେ।

ଭାରତୀୟ  ସଂଘ ଏହା ପୂର୍ବରୁ କୋର୍ଟଙ୍କୁ ସୂଚେଇ ଦେଇଥିଲେ ଯେ , ମାଲ୍ୟାଙ୍କୁ ଲଣ୍ଡନରୁ ଫେରିବାକୁ କୁହାଯାଇଛି, ତଥାପି ତାଙ୍କ ବିରୋଧରେ ବିଚରାଧୀନ କିଛି ମାମଲାକୁ ଦୃଷ୍ଟିରେ ରଖି ତାଙ୍କୁ ଭାରତ ଅଣାଯାଇପାରିବ ନାହିଁ। ସେପଟେ ମାଲ୍ୟାଙ୍କୁ ହାଜର ହେବାକୁ ସୁଯୋଗ ଦେବା ପାଇଁ କୋର୍ଟ ଏହି ଦଣ୍ଡକୁ କିଛି ଦିନ ସ୍ଥଗିତ ରଖିଥିଲେ। ହେଲେ ସେ ହାଜର ହେବାକୁ ମନା କରିଥିବାରୁ ତାଙ୍କ ଅନୁପସ୍ଥିତିରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିଲେ। ବରିଷ୍ଠ ଓକିଲ ଜୟଦୀପ ଗୁପ୍ତାଙ୍କୁ ଏହି ମାମଲାରେ ଆମିକସ କ୍ୟୁରିଆ ନିଯୁକ୍ତି କରାଯାଇଥିଲା। ନିଜର ବନ୍ଦ ହୋଇଥିବା କିଙ୍ଗଫିସର ଏୟାରଲାଇନ୍ସରେ ୯ ହଜାର କୋଟିରୁ ଅଧିକ ବ୍ୟାଙ୍କ ଋଣରେ ଅଭିଯୁକ୍ତ ମାଲ୍ୟା ବ୍ରିଟେନରେ ରହୁଛନ୍ତି।  

ତେବେ ମାଲ୍ୟା ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଟିଏ ହେଉଛି ସମ୍ପତ୍ତିର ସୂଚନା ନ ଦେବା ସହ କୋଟି କୋଟି ଟଙ୍କା ଋଣ ନେଇଥିଲେ। ଦ୍ବିତୀୟଟିରେ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଆଦେଶର ଉଲ୍ଲଙ୍ଘନ କରି ମାଲ୍ୟା ତଥ୍ୟ ଲୁଚାଇବା ସହ ତାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା , ଝିଅ ଲୀନା ମାଲ୍ୟା ଏବଂ ତାନିଆ ମାଲ୍ୟାଙ୍କୁ ୪୦ କୋଟି ଡଲାର ଦେଇଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ। ଏବେ ମଧ୍ୟ ବିଜୟ ମାଲ୍ୟାଙ୍କ ନାମରେ ୯ ହଜାର କୋଟିର ବ୍ୟାଙ୍କ ଋଣ ଠକେଇ ମାମଲା ରହିଛି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *