ଚାଲିଥିଲା ବିଏମସିରେ ଅଭିଯୋଗ ଶୁଣାଣୀ। ଗ୍ରୀଭାନ୍ସ ସରିବାକୁ ଥାଏ। ଗ୍ରୀଭାନ୍ସକୁ ଲିଡ୍ କରୁଥାଆନ୍ତି ଅତିରିକ୍ତ କମିଶନର ରତ୍ନାକର ସାହୁ। ଅଚାନକ ରତ୍ନାକରଙ୍କ ଚାମ୍ୱରକୁ ୨୯ ନମ୍ୱର ଓ୍ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କ ସହ ୫ରୁ୬ ଜଣ ପଶିଥିଲେ। ଜଗା ଭାଇଙ୍କୁ କାହିଁକି ଦୁର୍ବ୍ୟବହାର କଲ କହି ଅଚାନକ ରତ୍ନାକରଙ୍କୁ ମାଡ଼ ମାରି ଗାଡି ଭିତରକୁ ଟାଣି ନେବାକୁ ପ୍ରୟାସ କରିଥିଲେ। ରତ୍ନାକରଙ୍କ ମୁହଁ, କାନ୍ଧ ଓ ଛାତିରେ କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ସ୍ୱଛସାଥୀ ଓ ସୁପରଭାଇଜରଙ୍କ କାମରେ ଅନିୟମିତତା ସମ୍ପର୍କିତ ଏକ ତଦନ୍ତ ରିପୋର୍ଟ ଅତିରିକ୍ତ କମିଶନରଙ୍କ ପାଖରେ ଥିଲା। ଏହାକୁ ନେଇ ଜୀବନ ଓ ରତ୍ନାକରଙ୍କ ଭିତରେ ସକାଳୁ କୁଆଡ଼େ ଅସନ୍ତୋଷ କୁହୁଳୁଥିଲା। କିନ୍ତୁ ଏଭଳି ଆକ୍ରମଣ ପଛରେ ଏ କାରଣ ହୋଇନପାରେ ବୋଲି କହିଛନ୍ତି ରତ୍ନାକର। ଏଭଳି ଘଟଣା ଦେଖି ସମସ୍ତେ ତଟସ୍ଥ ହୋଇପଡ଼ିଥିଲେ। ଲୋକଙ୍କ ପାଇଁ କାମ କରିବେ ଆଉ ଲୋକ ଆସି ପିଟିବେ, ଏ କଥା ସହଜେ ଗ୍ରହଣ କରିହେଉନଥିଲା। ଏଭଳି ଘଟଣାକୁ ନେଇ ବିଏମସି ଅଫିସର ସମସ୍ତ କର୍ମଚାରୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ। ମେୟର ସୁଲୋଚନା ଦାସ କହିଛନ୍ତି, ଜଣେ ଅଫିସରଙ୍କୁ ଚାମ୍ୱର ଭିତରେ ପଶି ଏଭଳି ଆକ୍ରମଣ ନିନ୍ଦନୀୟ। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। କେଉଁ ପରିସ୍ଥିତିରେ ଅତିରିକ୍ତ କମିଶନରଙ୍କୁ ମାଡ଼ ମାରି ଘୋଷାରି ନେବାକୁ ବସିଥିଲେ, ପୁଲିସ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ। ଖାରବେଳନଗର ଥାନାରେ ଏତଲା ପରେ ପୁଲିସ ଆସି ସିସିଟିଭି ଫୁଟେଜ ଅନୁଧ୍ୟାନ କରିଛି। ଅତିରିକ୍ତ କମିଶନରଙ୍କୁ କାହିଁକି ଏଭଳି ସଂଘବଦ୍ଧ ଆକ୍ରମଣ କଲେ କର୍ପୋରେଟର। ଏଭଳି ଅପ୍ରୀତିକର ପରିସ୍ଥିତି କାହିଁକି ସୃଷ୍ଟି ହେଲା। ଯାହାକୁ ନେଇ ସବୁଠି ହଇଚଇ। ସ୍ୱଛସାଥୀରେ ଅନିୟମିତତା ବାବଦରେ କୌଣସି ନକରାତ୍ମକ ତଦନ୍ତ ରିପୋର୍ଟ ଦେଇଥାଆନ୍ତେ କି ରତ୍ନାକର। ଏ ବାବଦରେ ଆଗୁଆ ସୂଚନା ପାଇ କର୍ପୋରେଟରଙ୍କ ସହ ତାଙ୍କର ଚାଲିଥିଲା କି ତୁତୁମେମେ। ଏମିତି ତମାମ ପ୍ରଶ୍ନ ଏ ଘଟଣାକୁ ନେଇ ଆନ୍ଦୋଳିତ କରୁଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now