ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ବୈତରଣୀ କୂଳରେ ଥିବା ଗ୍ରାମ ଶ୍ମଶାନରୁ ଶୁକ୍ରବାର ରାତ୍ରରେ ଶବ ଚୋରି ହୋଇଥିବା ଘଟଣାର ଅଭିଯୋଗ କ୍ରମେ ସୋମବାର ମାମଲା ଋଜୁ ହୋଇଛି। ଗ୍ରାମର ତପନ ବେହେରା ଏଥିନେଇ ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗ ଅନୁଯାୟୀ ୨୦ ଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରାଙ୍କ ଶବକୁ ବୈତରଣୀ ନଦୀକୂଳ ‘ସ୍ୱର୍ଗଦ୍ୱାର’ ଶ୍ମଶାନରେ ସମାଧି ଦିଆଯାଇଥିଲା। ମାତ୍ର ୨୩ ତାରିଖ ରାତ୍ରରେ ଦୁର୍ବୁତ୍ତମାନେ ଗାତଖୋଳି ଶବ ନେବା ସହ କିଛି ଅଂଶ ପଡିଥିବା ପରଦିନ ସକାଳୁ ଜଣାପଡିଥିଲା। ସେଠାରେ ଏକ ମେଡିକାଲ ଗ୍ଲୋବ୍ସ ମଧ୍ୟ ପଡିଥିଲା। ଏତ ଯୋଗୁଁ ବାର୍ଷିକ କ୍ରିୟା ବାଧାପ୍ରାପ୍ତ ହେବ ଓ ସ୍ମୃତିଚଉରା ନିର୍ମାଣ ସମ୍ଭବ ହେବ ନାହିଁ। ଶବ ଉଦ୍ଧାର କରାଯିବା ସହ ଦୋଷୀକୁ ଧରିବାକୁ ଅନୁରୋଧ କରାଯାଇଛି। ଏଥିସହ ଅନୁରୂପ ଭାବେ ଗ୍ରାମର ଶ୍ରୀକାନ୍ତ ବେହୁରିଆ ଓ ଅନନ୍ତ ନାଥଙ୍କ ଶବକୁ ନିଆଯାଇଥିବା ଓ ଏହାକୁ ଉଦ୍ଧାର କରିବାକୁ ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ଆଧାରରେ ଥାନାରେ ମାମଲା ଋଜୁ ହୋଇଥିବା ଜଣାଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଶନିବାର ସକାଳେ ଗ୍ରାମର କେତେକ ଯୁବକ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ‘ସ୍ୱର୍ଗଦ୍ୱାର’ ଶ୍ମଶାନର କେତେକ ସ୍ଥାନରେ ଖୋଳାଯାଇଥିବା ଦେଖିଥିଲେ। ସଦ୍ୟ ସଂସ୍କାର ହୋଇ ପୋତାଯାଇଥିବା ୩ ଟି ଶବ ନଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗତ ଅପ୍ରେଲ ୨୪ ତାରିଖରେ ମୃତୁ୍ୟବରଣ କରିଥିବା ଗ୍ରାମର ଶ୍ରୀକାନ୍ତ ବେଉରିଆ, ଗତ ୩ ତାରିଖରେ ମୃତ୍ୟୁବରଣ କରିଥିବା ଅକ୍ଷୟ ବେହେରା ଓ ଅନନ୍ତ ନାଥଙ୍କ ଶବ ନଥିବା ଜଣାପଡିଥିଲା। ଖୋଳାଯାଇଥିବା ୩ ଟି ଗାତ ନିକଟରୁ ସଂସ୍କାର ସମୟରେ ଶବର ପିନ୍ଧାବସ୍ତ୍ର ପଡିଥିଲା। ମାତ୍ର ୨୨ ଦିନ ପୂର୍ବେ ମୃତ୍ୟୁବରଣ କରିଥିବା ଅକ୍ଷୟ ଓ ଅନନ୍ତଙ୍କ ସଢାମାଂସ କଢାଯାଇ ପଡିଥିଲା। ଗୋଟିଏ ଗ୍ଲୋବସ ପଡିଥିଲା। ଗ୍ରାମବାସୀଙ୍କ ଶବ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ଗ୍ରାମବାସୀମାନେ ମତପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗଣମାଧ୍ୟମରେ ଏହି ଘଟଣା ପ୍ରକାଶ ପାଇବା ପରେ ଜିଲ୍ଲା ପୁଲିସ ଅଧିକ୍ଷକ ବରୁଣ ଗୁପାଲ୍ଲୀ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ପରେ ପୁଲିସ ଉପଖଣ୍ଡ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଘଟଣାସ୍ଥଳକୁ ରବିବାର ଅପରାହ୍ନରେ ପ୍ରାଥମିକ ତଦନ୍ତ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now