ଟ୍ରମ୍ପଙ୍କ ଖାସ୍ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରିଥିବା ହତ୍ୟାକାରୀ ଏଯାଏଁ ଧରାପଡ଼ିନି। ଯଦିଓ ଏଫବିଆଇ ସନ୍ଦିଗ୍ଧ ହତ୍ୟାକାରୀର ସିସିଟିଭି ଫୁଟେଜ ଓ ଫଟୋ ଜାରି କରିସାରିଛି। ଆଗ ଛାତ ଉପରକୁ ଯାଇ ଏକ ଠିକଣା ସ୍ଥିର କରିଥିଲା ଦୁର୍ବୃତ୍ତ। ହତ୍ୟାକାରୀ ଦୂରରୁ ଏକ କୋଠା ଉପରୁ ଲକ୍ଷ୍ୟ କରି ଗୁଳି କରିଥିଲା ଚାର୍ଲିଙ୍କୁ। ଯେଉଁ ଗୁଳି ସିଧା ଚାର୍ଲିଙ୍କ ବେକରେ ବାଜିଥିଲା ଓ ସେହିଠାରେ ହିଁ ଟଳିପଡ଼ିଥିଲେ। ହତ୍ୟାକାରୀ ହାଇପାଓ୍ୱାର ରାଇଫଲ ବ୍ୟବହାର କରିଥିଲା। ଯାହାକୁ ପୁଲିସ ଜବତ କରିସାରିଛି। ରାଇଫଲରେ ଥିବା ଅଙ୍ଗୁଳିର ଚିହ୍ନ, ଘଟଣାସ୍ଥଳରେ ମିଳିଥିବା ଟଙ୍କାର ସାମ୍ପୁଲକୁ ଲ୍ୟାବକୁ ଅନୁଧ୍ୟାନ ଲାଗି ପଠାଇ ଦିଆଯାଇଛି। ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ଜାରି ରହିଛି। ସନ୍ଦିଗ୍ଧ ବାବଦରେ ସୂଚନା ଦେଲେ ୧ ଲକ୍ଷ ଆମେରିକୀୟ ଡଲାରର ପୁରଷ୍କାର ଘୋଷଣା କରିଛି ଏଫବିଆଇ। ହତ୍ୟାକାରୀକୁ ଖୋଜିବାରେ ଜନତାଙ୍କ ସମର୍ଥନ ଲୋଡିଛନ୍ତି ଏଫବିଆଇ ନିର୍ଦେଶକ କାଶ ପଟେଲ। ଟ୍ରମ୍ପ ଭିଡ଼ିଓ ସନ୍ଦେଶ ଜାରି କରି କହିଛନ୍ତି, ଖୁବ ଶୀଘ୍ର ଅଭିଯୁକ୍ତକୁ ଧରିବାକୁ ସେ ସଂକଳ୍ପ ନେଇଛନ୍ତି। ସତ ଓ ସ୍ୱତନ୍ତ୍ରତା ଲାଗି ଚାର୍ଲି ଶହୀଦ ହୋଇଗଲେ। କଟ୍ଟର ବାମପଂଥୀ ଦଳ ଏହି ପଲିଟିକାଲ ମର୍ଡର କରିଥିବା କହୁଛନ୍ତି ଟ୍ରମ୍ପ। କାରଣ ଚାର୍ଲି ଥିଲେ କଞ୍ଜରଭେଟର ସମର୍ଥକ। ଚାର୍ଲି ଆମେରିକାର ବନ୍ଧୁକ ସଂସ୍କୃତିର ସମର୍ଥକ ଥିଲେ। ୨୦୨୩ରେ ଭିଡ଼ ଭିତରେ ହୋଇଥିବା ଗୁଳିକାଣ୍ଡକୁ ନେଇ ସେ କହିଥିଲେ, ନିଜ ଅଧିକାରକୁ ରକ୍ଷା ସକାଶେ ପାଖରେ ବନ୍ଧୁକ ରଖିବା ଉଚିତ୍। ଚାର୍ଲି କିର୍କଙ୍କୁ ଯେଉଁ ସଭାରେ ଗୁଳି କରାଗଲା, ସେଠାରେ ୩ହଜାରରୁ ବେଶୀ ଲୋକ ଉପସ୍ଥିତ ଥିଲେ। ଯୁବ ଭୋଟରଙ୍କ ଭିତରେ ରିପବ୍ଲିକାନଙ୍କ ସପକ୍ଷରେ ସମର୍ଥନ ବୃଦ୍ଧି ଲାଗି ଏମିତିରେ ଚାର୍ଲିଙ୍କୁ ଶ୍ରେୟ ଦିଆଯାଇଥାଏ। ସେପଟେ ଚାର୍ଲିଙ୍କ ହତ୍ୟାକୁ ନିନ୍ଦା କରିବା ସହ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଟ୍ରମ୍ପ ପ୍ରଶାସନ ଉପରେ ବର୍ଷିଛନ୍ତି। ଶବ ଉପରେ ମିଛ ଅନୁକମ୍ପା ରାଜନୀତିର ଖେଳ ଖେଳୁଛନ୍ତି ଟ୍ରମ୍ପ। ରିପବ୍ଲିକାନଙ୍କ ଭିତରେ ତାଙ୍କ ପ୍ରତି ଘୃଣାର ପ୍ରଚାର କରୁଛନ୍ତି ଟ୍ରମ୍ପ। ଏଭଳି ହିଂସା ଲାଗି ଆମେରିକାରେ କୌଣସି ସ୍ଥାନ ନାହିଁ। ଏହା ଶେଷ ହେବା ଜରୁରୀ। ଚାର୍ଲିଙ୍କ ପରିବାରକୁ ଏ ଦୁଃଖଦ ସମୟରେ ଭଗବାନ ସାହାସ ଓ ଧୈର୍ଯ୍ୟ ଦିଅନ୍ତୁ। ଚାର୍ଲିଙ୍କ ଏଭଳି ଅକାଳ ବିୟୋଗକୁ ନେଇ ପୁରା ଆମେରିକା ସ୍ତବ୍ଧ। ସେପଟେ ହତ୍ୟାକାରୀ ଧରାପଡ଼ିବା ମାତ୍ରେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି କୁଆଡ଼େ ଟ୍ରମ୍ପ ଏକ ଏମର୍ଜେନ୍ସି ଅର୍ଡର ଜାରି କରିଛନ୍ତି। ହ୍ୱାଇଟହାଉସରୁ ଏଭଳି ସୂଚନା ଆସିଛି। କ୍ଷମା କରିବାର କୌଣସି ସମ୍ଭାବନା ନାହିଁ ବୋଲି ଏହି ଅର୍ଡରରେ ଦସ୍ତଖତ କରିଛନ୍ତି ଟ୍ରମ୍ପ।

Naxatra News is now on Whatsapp
Join and get latest news update delivered to you via whatsapp
Join Now