ରିମୁଳି ଗ୍ରାମରେ ମଦ ଓ ଗଞ୍ଜେଇର ଅବାଧ ବିକ୍ରିକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

Spread the love

ଚମ୍ପୁଆ :ଉପାନ୍ତ ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ଗ୍ରାମରେ ଚାଲିଛି ଦେଶୀ ମହୁଲି ମଦ, ବିଦେଶୀ ମଦ ଓ ଗଞ୍ଜେଇର ଅବାଧ ବିକ୍ରି। ଚମ୍ପୁଆ ପୋଲିସ ଓ ଅବକାରୀ ବିଭାଗ ଅଭିଯୋଗ ପାଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ତେଣୁ ଗ୍ରାମର ଶତାଧିକ ମହିଳା ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ହୋଇ ଜିଲ୍ଲାପାଳଙ୍କୁ ଏ ନେଇ ଅଭିଯୋଗ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ରିମୁଳି ଗ୍ରାମରେ କିଛି ପୁରୁଷ ଓ ମହିଳା ତାଙ୍କ ଘରେ ଓ ଦୋକାନ ମାନଙ୍କରେ ଦେଶୀ ମହୁଲି ମଦ, ବିଦେଶୀ ମଦ ଓ ଗଞ୍ଜେଇ ରଖି ବିକ୍ରି କରୁଥିବା ଜଣାପଡ଼ିଛି। ରିମୁଳି ଗ୍ରାମରେ କିଛି ଦୋକାନରେ ବେଆଇନ ଭାବେ ଦେଶୀ ମହୁଲି ମଦ ଓ ବିଦେଶୀ ମଦ ବିକ୍ରି ହେବା ସହିତ ଗଞ୍ଜେଇର ଅବାଧ ବିକ୍ରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗ୍ରାମରେ କିଛି ମହିଳା ଓ ପୁରୁଷ ତାଙ୍କ ଘର ମାନଙ୍କରେ ମଧ୍ୟ ଦେଶୀ ମହୁଲି ମଦ, ବିଦେଶୀ ମଦ ଓ ଗଞ୍ଜେଇ ବେଆଇନ ଭାବେ ରଖି ବିକ୍ରି କରିବା ଗ୍ରାମର ପରିବେଶକୁ ଏକ ପ୍ରକାର ନଷ୍ଟ କରିଦେବାକୁ ବସିଛି। ଗ୍ରାମର ଶ୍ରମଜୀବୀ ପୁରୁଷ ମାନେ ଏହି ଦେଶୀ ମହୁଲି ମଦ ପିଇ ମାତାଲ୍ ହୋଇ ରହୁଥିବା ବେଳେ ସେମାନେ କୌଣସି ଶାରୀରିକ ପରିଶ୍ରମ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ଦେଖିବାକୁ ମିଳୁଛି। କିଛି ଯୁବ ବୟସର ବ୍ୟକ୍ତି ଦେଶୀ ମହୁଲି ମଦ ପିଇବା ଦ୍ଵାରା ଏପରି ଦୁର୍ବଳ ଓ ରୋଗୀଣା ହୋଇ ଯାଇଛନ୍ତି ଯେ ସେମାନେ କୌଣସି କାମ କରି ପାରୁ ନାହାଁନ୍ତି। ଅନେକ ବ୍ୟକ୍ତି ଯୁବ ବୟସରେ ଅତ୍ୟଧିକ ଭାବରେ ନିଶା ସେବନ କରୁଥିବା ଯୋଗୁଁ ବିଭିନ୍ନ ରୋଗରେ ପଡି ଅକାଳରେ ମୃତ୍ୟୁବରଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଗ୍ରାମର ଅଧିକାଂଶ ଶ୍ରମଜୀବୀ ବର୍ଗର ପୁରୁଷ ମାନେ ମଦ ଓ ଗଞ୍ଜେଇ ପରି ନିଶା ଦ୍ରବ୍ୟ ସେବନ କରୁଥିବା ବେଳେ ଯୁବକ ଓ ଅଳ୍ପ ବୟସ୍କ ପିଲା ମାନେ ମଧ୍ୟ ଦିନକୁ ଦିନ ଏହି ମଦ ଓ ଗଞ୍ଜେଇ ନିଶା ପ୍ରତି ଆଶକ୍ତ ହେଉଥିବା ଦେଖିବାକୁ ମିଳୁଛି। ଏପରିକି କଲେଜ ପଢୁଆ ପିଲା ମାନେ ମଧ୍ୟ ଏହି ନିଶା କବଳରେ କବଳିତ ହୋଇ ପଡ଼ୁଥିବା ଏକ ଚିନ୍ତାଜନକ ବିଷୟ। ଗ୍ରାମର ଅନେକ ଘରର ପୁରୁଷ ମାନେ ମଦ ଓ ଗଞ୍ଜେଇ ନିଶା ସେବନ କରି ନିଶାସକ୍ତ ଅଵସ୍ଥାରେ ରହୁଥିବା ଯୋଗୁଁ ସେମାନେ ଅଧିକାଂଶ ସମୟରେ ଘରର ମହିଳା ମାନଙ୍କୁ ମାରପିଟ କରୁଥିବା ବେଳେ ପୁରୁଷ ମାନେ କୌଣସି କାମ କରି ପାରୁ ନଥିବା ଯୋଗୁଁ ସେମାନଙ୍କ ଘରେ ଦିନେ ଦିନେ ଚୁଲି ମଧ୍ୟ ଜଳୁ ନାହିଁ। ନିଶା ସେବନ କରିବାକୁ ଟଙ୍କା ନ ପାଇଲେ ନିଶାସକ୍ତ ପୁରୁଷ ମାନେ ଘରେ ଥିବା ଆସବାବପତ୍ର ଏପରିକି ସୁନା ଗହଣା ଆଣି ଅନ୍ୟତ୍ର ବିକ୍ରି କରିଦେଇ ନିଶା ସେବନ କରୁଛନ୍ତି। ଏପରି ହେବାଦ୍ବାରା ସେମାନଙ୍କ ଘରର ଅର୍ଥିକ ଅଵସ୍ଥା ଅତି ଶୋଚନୀୟ ହୋଇପଡ଼ୁଛି। ତେବେ ଗ୍ରାମର ଅନେକ ଶ୍ରମଜୀବୀ ପୁରୁଷ, ଯୁବକ ଓ ସ୍କୁଲ କଲେଜ ପଢୁଆ କିଶୋର ମାନେ ଦିନକୁ ଦିନ ଏହି ଦେଶୀ ମହୁଲି ମଦ, ବିଦେଶୀ ମଦ ଓ ଗଞ୍ଜେଇ କବଳରେ ପଡି ନିଶାଖୋର ହୋଇପଡୁଥିବା ଦେଖି ସର୍ବଦା ଚିନ୍ତାରେ ବୁଡି ରହୁଥିବା ମା, ଭଉଣୀ ଓ ସ୍ତ୍ରୀ ମାନେ ଏହା ବିରୋଧରେ ଏକଜୁଟ ହୋଇ ରିମୁଳି ପଞ୍ଚାୟତର ସରପଞ୍ଚଙ୍କୁ ରିମୁଳି ଗ୍ରାମରେ ଚାଲିଥିବା ବେଆଇନ ମଦ ଓ ଗଞ୍ଜେଇ କାରବାରକୁ ରୋକିବା ସହିତ ଏହି ସମସ୍ୟାର ମୂଳ କାରଣ ରିମୁଳି ଠାରେ ଥିବା ସରକାରୀ ମହୁଲି ମଦଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ରିମୁଳି ପଞ୍ଚାୟତର ସରପଞ୍ଚ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଗ୍ରାମର ମହିଳା ମାନେ ରିମୁଳି ଫାଣ୍ଡି ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଥିଲେ। ତେବେ ରିମୁଳି ଫାଣ୍ଡି ତରଫରୁ ଗ୍ରାମର ମହିଳା ମାନଙ୍କୁ ଏ ବିଷୟରେ ଚମ୍ପୁଆ ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦିଆଯିବାରୁ ମହିଳା ମାନେ ରିମୁଳି ଫାଣ୍ଡିରୁ ଚମ୍ପୁଆ ଅବକାରୀ ଅଧିକାରୀଙ୍କ ମୋବାଇଲ ନମ୍ବର ପାଇ ତାଙ୍କୁ ଫୋନ ଯୋଗେ ଅଭିଯୋଗ କରିବାରୁ ଚମ୍ପୁଆ ଅବକାରୀ ବିଭାଗ ତରଫରୁ ଗ୍ରାମର ମହିଳା ମାନଙ୍କୁ ଆଜି କାଲି କହି ଦିନ ଗଡ଼ାଇ ଚାଲିବା ସହ ତାଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗ୍ରାମର ମହିଳା ମାନେ ଏକଜୁଟ ହୋଇ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରକୁ ଯାଇ ଏ ନେଇ ଅଭିଯୋଗ କରିବା ପରେ ଚମ୍ପୁଆ ଅବକାରୀ ବିଭାଗକୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ତେବେ ଗ୍ରାମର ମହିଳା ମାନଙ୍କ ଠାରୁ ଅଭିଯୋଗ ପାଇଲା ପରେ ମଧ୍ୟ ଚମ୍ପୁଆ ପୋଲିସ ଓ ଅବକାରୀ ବିଭାଗ ବେଆଇନ ମହୁଲି ମଦ, ବିଦେଶୀ ମଦ ଓ ଗଞ୍ଜେଇ ମଦ କାରବାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଉକ୍ତ ବିଭାଗ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *