ମନ୍ଦିର ଗାର୍ଡ ଅଜିତ କୁମାରଙ୍କ ପୁଲିତ ହେପାଜତରେ ମୃତ୍ୟୁ ଘଟଣାକୁ ନେଇ ତାମିଲନାଡ଼ୁ ରାଜନୀତି ସରଗରମ ହୋଇଛି। ପରିବାର ବର୍ଗର ଅଭିଯୋଗ ହେଉଛି ଯେ, ହାଜତରେ ପୁଲିସ ପିଟି ପିଟି ମାରିଦେଇଛି। ଅଜିତଙ୍କୁ ଅକଥନୀୟ ନିର୍ଯାତନା ଦେବା ପୂର୍ବରୁ ତାଙ୍କ ମୁହଁକୁ ଚାପିଦେଇଥିଲା। ଶିବଗଙ୍ଗାର ମଦାପୁରମ କାଳିଅମ୍ମନ ମନ୍ଦିରରେ ଗାର୍ଡ ଭାବେ କାମ କରୁଥିଲେ ଅଜିତ। ଚୋରି ଅଭିଯୋଗରେ ଅଜିତଙ୍କୁ ପଚରାଉଚୁରା ଲାଗି ପୁଲିସ ନେଇଥିଲା। ସୁନା ଚୋରୀ ନେଇ ଶ୍ରଦ୍ଧାଳୁ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ ପରେ ଅଜିତଙ୍କୁ ପୁଲିସ କଷ୍ଟଡିକୁ ନେଇଥିଲା। ୪୨ ବର୍ଷୀୟ ଜଣେ ଭକ୍ତ ସୁନା ଚୋରୀ ନେଇ ଥିରୁପୁବନମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ, ସେ ପରିବାର ସହ ମନ୍ଦିର ଯାଇଥିଲେ। ନିଜ ଶାରୀରିକ ଅକ୍ଷମତାରୁ ସେ ଅଜିତକୁ ଗାଡ଼ି ପାର୍କ କରିବାକୁ କହିଥିଲେ। କିନ୍ତୁ ସେତେବେଳେ କାର୍ ଭିତରେ ଥିବା ୮୦ ଗ୍ରାମରୁ ଅଧିକ ସୁନାଗହଣା ଗାଏବ ହୋଇଯାଇଥିଲା। ଅଭିଯୋଗକାରିଣୀ ଦାବି କରିଛନ୍ତି ଯେ, ଘଣ୍ଟାଏ ପରେ କାରର ଚାବି ଫେରାଇଦେଇଥିଲେ ଅଜିତ। ପରିବାର ଲୋକଙ୍କ ଅଭିଯୋଗ ହେଉଛି ଯେ, ଅଜିତକୁ ପଚରାଉଚୁରା ପରେ ଆଗ ପୁଲିସ ଛାଡ଼ିଦେଇଥିଲା। କିନ୍ତୁ ପରେ ପୁଣି ପୁଲିସ ହେପାଜତକୁ ନେଇଥିଲା। ଆଉ ଏହା ପରେ ପୁଲିସ କିଛି ସମୟ ପରେ ଅଜିତର ମୃତ୍ୟୁ ହେବାର ସୂଚନା ଦେଇଥିଲା। ଅଜିତର ଭାଇ ନବୀନଙ୍କ କହିବା କଥା, ତାଙ୍କ ଭାଇଙ୍କ ଅପରାଧିକ ଇତିହାସ ନଥିଲା। ବିରୋଧୀ ଦଳ ଏହାକୁ ନିନ୍ଦା କରିବା ସହ ଦାୟୀ ପୁଲିସ କର୍ମୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଆଇଏଡିଏମକେ ମହାସଚିବ ଏ.କେ.ପଲାନୀସ୍ୱାମୀ ଏହାର ନ୍ୟାୟିକ ଯାଞ୍ଚ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କୁ ଟାର୍ଗେଟ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖିଆ। ବିଜେପି ରାଜ୍ୟ ସଭାପତି ନୈନାର ନାଗେନ୍ଦ୍ରନ୍ ଗଭୀର ଚିନ୍ତାପ୍ରକଟ କରିଛନ୍ତି। ଅଜିତକୁ ଜେରା ଆଳରେ ଦୁଇ ଦିନ ଧରି ପୁଲିସ ପିଟିଥିଲା। ଲକଅପରେ ମୃତ୍ୟୁ ସନ୍ଦେହ ସୃଷ୍ଟି କରିଛି। ପୁଲିସର ବର୍ବରତା ବଢ଼ିଛି । ଏ ଘଟଣାରେ ୬ଜଣ ପୁଲିସ କର୍ମୀଙ୍କୁ ସସପେଣ୍ଡ କରିଛନ୍ତି ସରକାର।


Naxatra News is now on Whatsapp
Join and get latest news update delivered to you via whatsapp
Join Now