ଇସ୍ପାତ ଜେନେରାଲ ହସ୍ପିଟାଲରେ ଦଲାଲ ରାଜ୍‌, ରୋଗୀ ସେବା ଚୁଲିକୁ ଗଲାଣି, ଲାଭବାନ୍ ହେଉଛନ୍ତି ଘରୋଇ ଡାକ୍ତରଖାନା ମାଲିକ

Spread the love

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ଅଧିନରେ ଥିବା ଡାକ୍ତରଖାନା ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ରେ ଏବେ ଦଲାଲ ରାଜ ବଢି ଚାଲିଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ହେବା ସହ ସେମାନଙ୍କ ପରିବାର ବର୍ଗ ହା ହା କାର ଡାକିଲେଣି । ଆଇଜିଏଚର ଏଭଳି ଅବସ୍ଥା ଯୋଗୁଁ ରାଉରକେଲା ଓ କଟକ, ଭୁବନେଶ୍ୱରରେ ଥିବା ଘରୋଇ ଡାକ୍ତରଖାନା ମାନଙ୍କ ଉପରେ ରୋଗୀ ଭରସା କରୁଛନ୍ତି ଏବଂ ଏହି ଡାକ୍ତରଖାନା ଏକ ରେଫରାଲ୍ ଡାକ୍ତରଖାନାରେ ପରିଣତ ହୋଇଛି । ପାଖରେ ଆରମ୍ଭ ହେଲାଣି ଭାରତରେ ପ୍ରସିଦ୍ଧି ଲାଭ କରିଥିବା ଅନ୍ୟତମ ହସ୍ପିଟାଲ ଆପୋଲୋ ହସ୍ପିଟାଲ ।  

ଦଲାଲ୍ ମାନେ ଆଇଜିଏଚ ଭିତରକୁ ମନଇଚ୍ଛା ପ୍ରବେଶ ଯୋଗୁଁ ସେବାରେ ଥିବା ରୋଗୀ ମାନଙ୍କ ଲାଗି ନାନା ସମସ୍ୟାର କାରଣ ହୋଇଛି ଓ ସେବା ଏଠାରେ ବେପାର ପାଲଟିଛି । ରାଉରକେଲା ସହରର ଏହି ଡାକ୍ତରଖାନା ଲାଗି ସେଲ୍ ଅନେକ ଅର୍ଥ ବିନିଯୋଗ କରୁଛି । ଏହାର ଅନେକ ସୁନାମ ରହିଥିବା ବେଳେ ଏହାର ସୁନାମକୁ ଧିରେ ଧିରେ ଦଲାଲ୍ ମାନେ ନଷ୍ଟ କରିବାରେ ଲାଗିଛନ୍ତି, କିନ୍ତୁ ଏନେଇ ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ନୀରବ । ଏଠାରେ ଘରୋଇ ଓ କାରଖାନାର କର୍ମଚାରୀଙ୍କୁ ସେବା ମିଳିଥାଏ, କାରଖାନାର କର୍ମଚାରୀ ମାନେ ମାଗଣା ଓ ବାହାର ରୋଗୀ ଟଙ୍କା ଖର୍ଚ୍ଚ କରି ସେବା ପାଇଥାନ୍ତି । ତେବେ ଏଠାରେ ଆଡମିଟ ହେଉଥିବା ରୋଗୀ ମାନଙ୍କ ଲାଗି ଡାକ୍ତର ଯେଉଁ ମେଡିସିନ ମାନ ଲେଖୁଛନ୍ତି ସେ ସବୁ ବାହାର ମେଡିସିନ ଦୋକାନରୁ ଆଣିବାକୁ ପ୍ରାୟତଃ ପଡିଥାଏ । ତେବେ ମେଡିସିନ ଆଣି ରୋଗୀଙ୍କ ଲୋକ ରଖିବା ପରେ ସେମାନଙ୍କର ଅନୁପସ୍ଥିତର ସୁଯୋଗ ନେଇ, ଇସ୍ପାତ ମାର୍କେଟ ଅଂଚଳରେ ଥିବା କିଛି ମେଡିସିନ ଷ୍ଟୋରର ଦଲାଲ ମାନେ ସେହି ମେଡିସିନ ଗୁଡିକୁ ଚୋରୀ କରିନେଉଥିବାର ଅଭିଯୋଗ ହେଉଛି । ନାନା ପ୍ରକାର ମେଡିସିନ ଓ ସାଲାଇନ ମାନ ଏଠାରୁ ନିୟମିତ ପ୍ରତି ରୋଗୀ ପାଖରୁ ଚୋରୀ ହେଉଛି । ଫଳରେ ସେହି ମେଡିସିନ ଗୁଡିକୁ ରୋଗୀ ମାନେ ପୁର୍ନବାର କିଣୁଛନ୍ତି । ଏହାଦ୍ୱାରା ଗୋଟାଏ ରୋଗୀ ଚିକିତ୍ସା ହେବା ଲାଗି ଯାହା ଖର୍ଚ୍ଚ ହେବା କଥା ତାହା ବଢିଯାଇ ତାର ପରିବାର ବର୍ଗଙ୍କୁ ନାନା ସମସ୍ୟାରେ ପକାଉଛି । ତେବେ ଡାକ୍ତରଖାନା ଭିତରକୁ ସବୁ ସମୟରେ ସବୁ ଲୋକ ଯାଇପାରିବେନି, ସେଥିଲାଗି ସୁରକ୍ଷା ବ୍ୟବସ୍ଥା ଏଠାରେ ରହିଛି, ତା ସତ୍ୱେ କିଭଳି ଏହି ଦଲାଲ୍ ମାନେ ଡାକ୍ତରଖାନା ଭିତରକୁ ପ୍ରବେଶ କରୁଛନ୍ତି ସେନେଇ ସାଧାରଣରେ ଉଠିଛି ପ୍ରଶ୍ନ । ତା ଛଡା ଭୁବନେଶ୍ୱର କଟକର କିଛି ଘରୋଇ ଡାକ୍ତରଖାନାର ଦଲାଲ୍ ମଧ୍ୟ ଏଠାରେ ଘୁରି ବୁଲିବା ସହ କିଛି ଘରୋଇ ଆମ୍ବୁଲାନ୍ସ ବାଲାଙ୍କୁ ହାତରେ ରଖିଛନ୍ତି, ସେମାନେ ଗୁରୁତର ରୋଗୀ ମାନଙ୍କୁ ବିଭିନ୍ନ ଡାକ୍ତରଙ୍କ ମାଧ୍ୟମରେ ଏଠାରୁ ରେଫର କରି ସେହି ସବୁ ଡାକ୍ତରଖାନାକୁ ନେଇ ବେପାର ଚଳାଇଥିବା ଅଭିଯୋଗ ହେଉଛି । ବିଶେଷ କରି ଯେଉଁମାନଙ୍କର ବୀମା ସୁବିଧା ଓ ଆରଏସପିରୁ ବିଲ୍ ହେବାର ସୁବିଧା ରହିଛି ସେହି ସବୁ ରୋଗୀ ମାନଙ୍କୁ ଏମାନେ ଟାର୍ଗେଟ୍ କରୁଥିବା କୁହାଯାଉଛି । ଏହି ଡାକ୍ତରଖାନାରେ ରୋଗୀ ସେବା ଏବେ ବେପାରରେ ପରିଣତ ହୋଇଥିବା ବେଳେ ଏହାର ପାଇଖାନା ଓ ଅନ୍ୟାନ୍ୟ ସଫେଇ କାମ ମଧ୍ୟ ସଠିକ୍ ଭାବେ ହେଉନଥିବା ଅଭିଯୋଗ ହେଉଛି । ବରିଷ୍ଠ ଡାକ୍ତରମାନେ ଏଠି କିଛି ରୋଗୀଙ୍କୁ ସମୟ ଦେଉଥିବା ବେଳେ କନିଷ୍ଠ ଡାକ୍ତରମାନଙ୍କ ଉପରେ ଅନ୍ୟ ରୋଗୀ ମାନେ ଭରଷା କରୁଛନ୍ତି । ଯଦିବି କେହି ବରିଷ୍ଠ ମାନଙ୍କୁ ଅନୁରୋଧ କରୁଛି ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଏତେ ସବୁ ସମସ୍ୟା ରହିଥିବା ବେଳେ ରୋଗୀ ମାନେ କାହାକୁ ଗୁହାରୀ କରି ନ୍ୟାୟ ପାଇବେ ଓ ସେବା ପାଇବେ ତାହା ଜାଣି ପାରୁନାହାନ୍ତି ।

ଡାକ୍ତରଖାନା ପରିସରରେ ଜଣେ ପ୍ରଶାସନିକ ଅଧିକାରୀ ମୋଟା ଅଙ୍କର ଦରମା ନେଇ ବସିଛନ୍ତି, ତା ସତ୍ୱେ ଏତେ ସବୁ ସମସ୍ୟା ଲାଗି ରହିବା ରୋଗୀ ସେବା ଏଭଳି ଅନୁଷ୍ଠାନରେ ବେପାର ଓ ଶୋଷଣରେ ପରିଣତ ହେବା ସେହି ପଦବୀର ଗାରିମା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ତେବେ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ମାନଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟସେବା ଲାଗି ଦୀର୍ଘ ଦିନରୁ ନିର୍ମାଣ ହୋଇଥିବା ଏହି ଆଇଜିଏଚର ଏଭଳି ଅବସ୍ଥା ଲାଗି କର୍ମଚାରୀ ମାନେ ଆଶା ଓ ଆଶଙ୍କା ଭିତରେ ରହିଛନ୍ତି । ସେପଟେ ରାଉରକେଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଭଳି ଅବ୍ୟବସ୍ଥାକୁ ନଜରରେ ରଖି ଘରୋଇ ଡାକ୍ତରଖାନା ଆପୋଲୋ ହସ୍ପିଟାଲ ଆଇଜିଏଚ ପରିସରରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍‌) ଦ୍ୱାରା ନିର୍ମିତ ହୋଇଥିବା କୋଠାରେ ତାର ହସ୍ପିଟାଲ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ତେବେ ରାଉରକେଲା ସହରରେ ସ୍ୱାସ୍ଥ୍ୟସେବା ଅନ୍ୟାନ୍ୟ ଘରୋଇ ଡାକ୍ତରଖାନାରେ ଯାହାବି ମିଳୁଥିଲା, ତା ଠାରୁ ଅଧିକ ସେବା ନେଇ ଲୋକେ ଭରସା କରୁଥିଲେ ଆଇଜିଏଚ ଉପରେ । ହେଲେ ଆଇଜିଏଚରେ ଏଭଳି ଅବ୍ୟବସ୍ଥା ପରେ ଆଗାମୀ ଦିନରେ ରାଉରକେଲା ବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ଅଧିକ ଖର୍ଚ୍ଚ ଦାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । 

Leave a Reply

Your email address will not be published. Required fields are marked *