ବାହାଘର ପରେ ଶାଶୁ ଘରୁ ବୋହୂ ଫେରାର

Spread the love

କୋରେଇ : ବାହାଘର ପରେ ଶାଶୁ ଘରକୁ ଆସିବାର ମାତ୍ର କେଇ ଘଣ୍ଟା ପରେ ନବବିବାହିତା ବୋହୂ ଶାଶୁଘରୁ ଫେରାର ହୋଇଯିବା ଘଟଣା ପାଣିକୋଇଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ମିଳିଥିବା ସୁଚନାନୁସାରେ ପାଣିକୋଇଲି ଥାନା ଅନ୍ତର୍ଗତ ଖେଳପଡିଆ ନିକଟରେ ରହୁଥିବା ଜଣେ ଯୁବକଙ୍କର ରଗଡ଼ି ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗତ କାଲି ପଛିକୋଟ ପଞ୍ଚାୟତର ଅଧିଷ୍ଟାତ୍ରୀ ଦେବୀ ମା କାମୁଡ଼େଇଙ୍କ ପୀଠରେ ବାହାଘର ହୋଇଥିଲା । ବାହାଘର ପରେ ସଂଧ୍ୟା ୫ଟାବେଳେ ବରକନ୍ୟା ଘରକୁ ଫେରିଥିଲେ । ବରର ପରିବାର କୈାଣସି କାରଣରୁ ଘରେ ଅନୁପସ୍ଥିତ ଥିବା ବେଳେ ଏକମାତ୍ର ନବବଧୁଟି ଘରେ ରହିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ନବବଧୁଟି ଏକ ବୋଲେରୋ ଗାଡ଼ିରେ ଘରୁ ଚମ୍ପଟ ମାରିଥିଲା । ପରେ ଘରକୁ ଫେରି ନବବଧୁକୁ ନପାଇ ଯୁବକର ମା’ ତାର ବାପଘର ଲୋକଙ୍କୁ ଜଣାଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ କନ୍ୟାର ଘରଲୋକଙ୍କୁ ଖବର ଦେଇ ଥାନାକୁ ଆସିବାକୁ କହିଥିଲା ।  ବିଳମ୍ବିତ ରାତିରେ କନ୍ୟାର ମାଆ ଓ ବଡ଼ଭଉଣୀ ଆସି ଥାନାରେ ପହଞ୍ଚିବା ସହିତ କନ୍ୟାଟି ତାର ଭିଣୋଇ ସହିତ ପ୍ରେମ ସମ୍ପର୍କ ଯୋଗୁଁ ପଳାଇ ଯାଇଛି ବୋଲି କନ୍ୟାର ବଡ଼ଭଉଣୀ ଥାନାରେ କହିବା ପରେ ପୁଲିସ ଚକିତ ହୋଇଯାଇଥିଲା । ଏହା ପରେ କନ୍ୟାର ମା’ ଓ ଭଉଣୀ ଥାନାରୁ ପଳାଇଯିବା ପରେ ବରର ପରିବାର ଲୋକେ ନିଜ ଭାଗ୍ୟକୁ ନିନ୍ଦି ଘରକୁ ଫେରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *