ଦିଲ୍ଲୀ ବିସ୍ଫୋରଣ ଆତ୍ମଘାତୀ ନଥିଲା। ସନ୍ଦିଗ୍ଧ ଅଭିଯୁକ୍ତ ଘାବରାଇ ବିସ୍ଫୋରଣ କରିଥିଲା। ଯେହେତୁ ବମ୍ ପୁରା ବିକଶିତ ହୋଇନଥିଲା, ସେଥିଲାଗି ଏହାର ପ୍ରଭାବ ସୀମିତ ରହିଲା। ଲାଲକିଲ୍ଲା ପାଖରେ ହୋଇଥିବା ବିସ୍ଫୋରଣର ତଦନ୍ତ ଭାର ନେଇଛି ଏନଆଇଏ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଫରେନସିକ୍ ଟିମ୍ ସିଲିଣ୍ଡର ଓ କାର୍ର ଟୁକୁଡ଼ା ଟୁକୁଡ଼ା ଅଂଶ ଜବତ କରିଛି। ଦିଲ୍ଲୀ ବିସ୍ଫୋରଣରେ ତୁର୍କୀ କନେକ୍ସନ ପାଇଛି ତଦନ୍ତ ଏଜେନ୍ସି। ସନ୍ଦିଗ୍ଧ ଡାକ୍ତର ଉମର ଓ ମୁଜାମିଲ୍ ନିକଟରେ ତୁର୍କୀ ଗସ୍ତ କରିଥିଲେ। ତୁର୍କୀରୁ ଫେରିବା ପରେ ନୂଆ ଟେଲିଗ୍ରାମ୍ ଗ୍ରୁପରେ ଯୋଡ଼ି ହୋଇଥିଲେ। ଜୈସ ହ୍ୟାଣ୍ଡଲର ଏମାନଙ୍କୁ ପୁରା ଟାର୍ଗେଟ ଦେଇଥିଲା। ତଦନ୍ତକାରୀ ଏଜେନ୍ସି ଲାଲକିଲ୍ଲା କ୍ଷେତ୍ରରେ ଥିବା ମୋବାଇଲ୍ ଟାଓ୍ୱାର ଡାଟାକୁ ବିଶ୍ଳେଷଣ କରୁଛି। ଏନଆଇଏ ଟିମ୍ ଘଟଣାସ୍ଥଳରେ ତନାଘନା କରିଛି। ସବୁ ଦିଗକୁ ଅନୁଧ୍ୟାନ କରୁଛି। ଯେଉଁ ହ୍ୟୁଣ୍ଡାଇ କାରରେ ବିସ୍ଫୋରଣ ହୋଇଥିଲା, ତାହା କିଣାଯାଇଥିବା ସେକେଣ୍ଡ ହ୍ୟାଣ୍ଡ ସୋରୁମ ରୋୟାଲ କାର୍ ଜୋନକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଛି। ଫରିଦାବାଦରେ ଥିବା ଏହି ସୋରୁମ ମାଲିକଙ୍କୁ ଅଟକ ରଖି ଜେରା ଚାଲିଛି। ବିସ୍ଫୋରଣରେ ମୃତକଙ୍କ ପରିବାର ଭାଙ୍ଗିପଡ଼ିଛନ୍ତି। ସୋମବାର ସଂଧ୍ୟାରେ ଲାଲକିଲ୍ଲା ପାର୍କିଂରେ ହୋଇଥିବା ବିସ୍ଫୋରଣରେ ନିଜ ପ୍ରିୟଜନଙ୍କୁ ହରାଇ ପରିବାର ଭାଙ୍ଗିପଡ଼ିଛନ୍ତି। ଏଭଳି ଆତଙ୍କି ଷଡ଼ଯନ୍ତ୍ରରେ କିଏ ପରିବାରର ରୋଜଗାରକ୍ଷମକୁ ହରାଇଛି ତ କାହାର ସଂସାର ଉଜୁଡ଼ିଯାଇଛି। କିଏ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇଥିଲା ତ କିଏ କସମେଟିକ ସାମଗ୍ରୀ ରଖିବାକୁ ଯାଇ ଆଉ ଫେରିନଥିଲେ। ଟିଭିରୁ ଦେଖି ଅନେକ ଜାଣିଥିଲେ, ସେମାନଙ୍କ ପିଲା ଆଉ ନାହାନ୍ତି। ପୀଡିତଙ୍କୁ ଭୂଟାନ ସରକାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ମୋଦି ଭୂଟାନ ଗସ୍ତରେ ଥିବାରୁ ମୋଦିଙ୍କ ଉପସ୍ଥିତିରେ ଗଭୀର ଶୋକବ୍ୟକ୍ତ କରିଥିଲେ ଭୂଟାନ ରାଜା। ମୃତକଙ୍କ ଆତ୍ମାର ସଦଗତି କରି ପ୍ରାର୍ଥନା କରିଥିଲେ। ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସକାଶେ ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଛି। ସେପଟେ ଜମ୍ମୁକଶ୍ମୀରରୁ ଆତଙ୍କି ଲିଂକର ଚେରକୁ ଖୋଜି ଶ୍ରୀନଗର ହସ୍ପିଟାଲରୁ ତାଜାମୁଲ ଅହମ୍ମଦ ମଲ୍ଲିକ ନାମକ ଡାକ୍ତରଙ୍କୁ ପୁଲିସ ଉଠାଇନେଇଥିଲା। ଦିଲ୍ଲୀ ବିସ୍ଫୋରଣରେ ତାଙ୍କ ପୁଅର କୌଣସି ଲିଂକ ନାହିଁ ବୋଲି କହିଛନ୍ତି ବାପା ମହମ୍ମଦ ଆୟୁବ ମଲ୍ଲିକ। ପୁଲିସ କେବଳ ଶୀତଳଭଣ୍ଡାର ପ୍ରୋଜେକ୍ଟ ନେଇ ଫଣ୍ଡିଂକୁ ନେଇ ପ୍ରଶ୍ନ କରିଥିଲା। ତାଙ୍କ ପୁଅ ଆତଙ୍କି ଲିଂକ ଥିବା ଖବର ଗୁଜବ ବୋଲି କହିଛନ୍ତି ମଲ୍ଲିକ। ଦିଲ୍ଲୀ ବିସ୍ଫୋରଣ ପଛରେ ପିଲିଟିକ୍ସ ଥିବା ପୋଷ୍ଟ କରି ବନ୍ଧା ହୋଇଛନ୍ତି ଆସାମର ଅବସରପ୍ରାପ୍ତ ପ୍ରିନ୍ସିପାଲ୍ ନଜରୁଲ୍ ଇସଲାମ। ଏଭଳି କମେଣ୍ଟ ପାଇଁ ତାଙ୍କୁ ପୁଲିସ ଅଟକ ରଖି ଜେରା କରିଥିଲା। ପୀଡ଼ିତ ପରିବାରକୁ ଦିଲ୍ଲୀ କଂଗ୍ରେସର ପ୍ରତିନିଧି ଦଳ ଭେଟିଛି। ସରକାର, ଗୁଇନ୍ଦାର ବିଫଳତାକୁ ଦାୟୀ କରିଛି କଂଗ୍ରେସ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି। ପୀଡ଼ିତ ପରିବାର ସହ ସରକାର ଅଛନ୍ତି। ତଦନ୍ତ ଏଜେନ୍ସି ସବୁ ଦିଗକୁ ଅନୁଧ୍ୟାନ କରି ଷଡ଼ଯନ୍ତ୍ରର ଚେରକୁ ଖୋଜୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀ ବିସ୍ଫୋରଣ ପରେ ଏହା ପଛର ଷଡ଼ଯନ୍ତ୍ରକାରୀଙ୍କୁ ଧରିବା ଏବେ ସରକାରଙ୍କ ଲାଗି ସବୁଠୁ ବଡ଼ ଆହ୍ୱାନ ସାଜିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now