ଆତଙ୍କି ଷଡ଼ଯନ୍ତ୍ରରେ ଡାକ୍ତର : ଆରଡିଏକ୍ସରୁ ଏକେ-୪୭!

ବଡ଼ ଧରଣର ଆତଙ୍କି ହମଲା ପାଇଁ ହୋଇଥିଲା ପୁରା ପ୍ଲାନ୍। ହେଲେ ପଣ୍ଡ କରିଦେଲା ଫରିଦାବାଦ ପୁଲିସ। ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଡାକ୍ତର। ଡାକ୍ତରଙ୍କ ଘରୁ ମିଳିଲା ୩ଶହ କେଜି ଆରଡିଏକ୍ସ! ୧୪ଟି ବ୍ୟାଗରେ ଏହା ଭର୍ତ୍ତି ହୋଇଥିଲା। ଏହା ସହ ଗୋଟିଏ ଏକେ-୪୭ ଓ ଦୁଇଟି ଅଟୋମେଟିକ୍ ପିସ୍ତଲ ବି ଜବତ ହୋଇଛି। ୮୪ଟି କାରତୁସ ଓ ୫ ଲିଟର କେମିକାଲ ଜବତ କରିଛି। ଯେଉଁ ଘରୁ ଏ ସବୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା, ସେ ଘରକୁ ୩ ମାସ ହେଲା ଭଡ଼ାରେ ନେଇଥିଲେ ଡାକ୍ତର ଜଣକ। ଆଉ ଘର ମାଲିକଙ୍କୁ କହିଥିଲେ ଯେ, କେବଳ ଘରେ ସେ ନିଜ ସାମଗ୍ରୀ ରଖିବେ। କିନ୍ତୁ ଘରେ ରଖିଥିଲା ୧୪ ବ୍ୟାଗ ଭର୍ତ୍ତି ବିସ୍ଫୋରକ ସାମଗ୍ରୀ। ଜମ୍ମୁ କଶ୍ମୀର ପୁଲିସ ଫରିଦାବାଦରେ ରେଡ୍ ମାରି ଏହି ଖୁଲାସା କରିଛି। ୧୦ରୁ ଅଧିକ ଟିମ୍ ରେଡ୍ କରିଥିଲା। ଗୁଇନ୍ଦା ବିଭାଗ ଓ ସ୍ଥାନୀୟ ପୁଲିସ ସହାୟତାରେ ଏହି ରେଡ୍ ହୋଇଥିବା ସୂଚନା ଦେଇଛନ୍ତି ଫରିଦାବାଦ ପୁଲିସ କମିଶନର ସତ୍ୟେନ୍ଦ୍ର ଗୁପ୍ତା। ଅଭିଯୁକ୍ତ ଡାକ୍ତରର ନାଁ ମୁଜାମିଲ୍ ସକିଲ୍। ସେ ଜୈସ୍ ସମର୍ଥକ ଥିବା କହିଛି ପୁଲିସ। ସେ କଶ୍ମୀରରେ ଡାକ୍ତର ଅଛନ୍ତି। ତଦନ୍ତ ଏଜେନ୍ସି ଏବେ ଡାକ୍ତର ମୁଜାମିଲ ସକିଲ ଓ ଡାକ୍ତର ଆଦିଲଙ୍କ ଭିତରେ ସମ୍ଭାବ୍ୟ କନେକ୍ସନକୁ ନେଇ ଯାଞ୍ଚ କରୁଛି। ଡାକ୍ତର ଆଦିଲଙ୍କୁ କିଛି ଦିନ ତଳେ ଶ୍ରୀନଗର ପୁଲିସ ସହାରନପୁରରୁ ଗିରଫ କରିଥିଲା। ଡାକ୍ତର ଆଦିଲ ଜୈସ-ଏ- ମହମ୍ମଦ ସମର୍ଥନରେ ପୋଷ୍ଟର ଲଗାଇବା ଓ ହତିଆର୍ ରଖିବା ଅଭିଯୋଗ ଥିଲା। ଗୁଇନ୍ଦା ବିଭାଗର କହିବା କଥା, ଦୁଇ ଡାକ୍ତର କୌଣସି ବଡ଼ ଆତଙ୍କି ନେଟଓ୍ୱର୍କର ଅଂଶ ଥିଲେ। ଯିଏ ଦେଶର ଅଲଗା ଅଲଗା ଜାଗାକୁ ରାସାୟନିକ ଅବା ବିସ୍ଫୋଟକ ସାମଗ୍ରୀରେ ଆକ୍ରମଣ ଯୋଜନା କରିଥିଲେ। ଜବତ ହୋଇଥିବା ଆରଡିଏକ୍ସ ଓ ଅସ୍ତ୍ରଶସ୍ତ୍ରକୁ ଫରେନସିକ୍ ଯାଞ୍ଚ ଲାଗି ପଠାଯାଇଛି। ଏହା ଆରଡିଏକ୍ସ ନୁହେଁ, ଆମୋନିୟମ ନାଇଟ୍ରେଟ୍ ବୋଲି କହିଛି ପୁଲିସ। ଯାହାକି ଅତ୍ୟନ୍ତ ଜ୍ୱଳନଶୀଳ ପଦାର୍ଥ ଅଟେ। ଏଭଳି ବଡ଼ ରେଡ୍ ନେଇ ରାଜନୀତି ବି ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, ଏହାର କ୍ରେଡିଟ୍‌ ପ୍ରଧାନମନ୍ତ୍ରୀଙ୍କୁ ଯାଏ। ଯିଏ କୁହନ୍ତି, ଆତଙ୍କବାଦୀଙ୍କ କୌଣସି ଧର୍ମ ନାହିଁ, ସେ ଏ କଥାକୁ ନଜର ଦିଅନ୍ତୁ। ଯେଉଁ ଡାକ୍ତର ଗିରଫ ହେଲେ, ତାହା ସୂଚାଉଛି ଏହା ଧାର୍ମିକ ଆତଙ୍କବାଦ। ଏ ମାମଲାରେ ୪ ରାଜ୍ୟ ଜମ୍ମୁ କଶ୍ମୀର, ୟୁପି, ହରିଆଣା ଓ ଗୁଜରାଟ ପୁଲିସ ତନାଘନା ଜାରି ରଖିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *